ପୀୟୁଷଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର
ପୀୟୁଷଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର
admin
Dec 5, 2019 - 06:46
Updated: Dec 5, 2019 - 06:46
ଭୁବନେଶ୍ୱର : ଅନୁଗୁଳ ଆଲୁମିନିୟମ ପାର୍କଠାରେ ପ୍ରସ୍ତାବିତ ଭିତ୍ତିଭୂମି ଉନ୍ନୟନ ପ୍ରକଳ୍ପକୁ ପୁଣି ଥରେ ଚାଲୁ କରିବା ପାଇଁ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋଏଲଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ପ୍ରସଙ୍ଗରେ ଶ୍ରୀ ଗୋଏଲଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡ଼ିଛନ୍ତି ଧର୍ମେନ୍ଦ୍ର ।
ଚିଠିରେ ଧର୍ମେନ୍ଦ୍ର ଉଲ୍ଲେଖ କରିଛନ୍ତି, ଶିଳ୍ପ ଉନ୍ନୟନ ବିଭାଗ ଓ ଅନ୍ତବାଣିଜ୍ୟ (ଡିପିଆଇଆଇଟି) ପକ୍ଷରୁ ସୂଚନା ଦିଆଯାଇଛି ଯେ ସଂଶୋଧିତ ଭିତ୍ତିଭୂମି ଉନ୍ନୟନ ଯୋଜନା (ଏମଆଇଆଇୟୁଏସ୍) ଅଧୀନରେ ୨୦୧୫ ଅଗଷ୍ଟ ୧୮ ତାରିଖରେ ଏହି ପ୍ରକଳ୍ପ ଲାଗି ମୋଟ ୯୯ କୋଟି ୬୦ ଲକ୍ଷ ଟଙ୍କାର କେନ୍ଦ୍ରୀୟ ସହାୟତା ମଧ୍ୟ ଯୋଗାଇ ଦିଆଯାଇଥିଲା । ଏହି ପ୍ରକଳ୍ପ ପାଇଁ କାର୍ଯ୍ୟକାରୀ ଏଜେନ୍ସି (ଆଇଏ) ର ଗଠନ ଅନୁଗୁଳ ପାର୍କ ପ୍ରାଇଭେଟ ଲିମିଟେଡ (ଏଏପିପିଏଲ) କରାଗଲା । ତେବେ ଏହି ପ୍ରକଳ୍ପ ବିଶେଷ ରୂପେ ଅଗ୍ରଗତି ହୋଇପାରିନଥିବା କାରଣରୁ ଗତ ୨୦୧୮ ଜାନୁଆରୀ ୧ ତାରିଖରେ ଅନୁଷ୍ଠିତ ସର୍ବୋଚ୍ଚ କମିଟି ବୈଠକରେ ଉକ୍ତ ପ୍ରକଳ୍ପ ବନ୍ଦ କରିବା ପାଇଁ ନିଷ୍ପତ୍ତି ନିଆଗଲା । ଏହା ସହ କାର୍ଯ୍ୟକାରୀ ସଂସ୍ଥା ଏଏପିପିଏଲକୁ ଏ ବାବଦରେ ମିଳିଥିବା କେନ୍ଦ୍ରୀୟ ସହାୟତା ଫେରାଇ ଦେବା ପାଇଁ ନିଦେ୍ର୍ଧଶ ଦିଆଗଲା ବୋଲି ଚିଠିରେ ଉଲ୍ଲେଖ କରାଯାଇଛି । ଧର୍ମେନ୍ଦ୍ର ଚିଠିରେ ଲେଖିଛନ୍ତି ଯେ ଓଡ଼ିଶାର ଖଣିଜ କ୍ଷେତ୍ରରେ ବିକାଶ ତଥା ରାଜ୍ୟ ଅର୍ଥନୀତିର ବିକାଶ ପାଇଁ କେନ୍ଦ୍ର ସରକାର ପ୍ରତିଶ୍ରୁତିବଦ୍ଧ । ତେଣୁ ଏହି ମାମଲାରେ ଶ୍ରୀ ଗୋଏଲ ହସ୍ତକ୍ଷେପ କରି ମନ୍ତ୍ରାଳୟର ଅଧିକାରୀଙ୍କ ସହ ପ୍ରକଳ୍ପ ସମୀକ୍ଷା କରନ୍ତୁ । ଅନୁଗୁଳ ଆଲୁମିନିୟମ ପାର୍କରେ ପ୍ରସ୍ତାବିତ ଭିତ୍ତିଭୂମି ଉନ୍ନୟନ ପ୍ରକଳ୍ପକୁ ପୁଣି ଥରେ ଚାଲୁ କରିବା ପାଇଁ ପଦକ୍ଷେପ ନିଅନ୍ତୁ । ଏହା ବ୍ୟତତୀ ଏମଆଇଆଇୟୁଏସ୍ ଅଧୀନରେ ଓଡ଼ିଶାରେ ଆଲୁମିନିୟମ କ୍ଲଷ୍ଟର ପାଇଁ ଆସିଥିବା କେନ୍ଦ୍ରୀୟ ସହାୟତାକୁ ନ ଫେରାଇ ଦେବା ପାଇଁ ଚିଠି ମାଧ୍ୟମରେ ଅନୁରୋଧ କରିଛନ୍ତି ଧର୍ମେନ୍ଦ୍ର ।