ପିପିଲି ଉପନିର୍ବାଚନ ପାଇଁ ବିଜେଡି ଦେଲା ଏହି ନେତାଙ୍କୁ ଦାୟିତ୍ୱ
ପିପିଲି ଉପନିର୍ବାଚନ ପାଇଁ ବିଜେଡି ଦେଲା ଏହି ନେତାଙ୍କୁ ଦାୟିତ୍ୱ
admin
Apr 1, 2021 - 05:15
Updated: Apr 1, 2021 - 05:15
ଭୁବନେଶ୍ବର: ପିପିଲି ଉପନିର୍ବାଚନ ପାଇଁ ଏବେ ରାଜନୈତିକ ପାଣିପାଗ ସରଗରମ ହୋଇଛି । ଜମୁଛି ପ୍ରଚାର ମୈଦାନ । ପିପିଲି ଉପନିର୍ବାଚନ ପାଇଁ ତିନି ଦଳର କସରତ ଆରମ୍ଭ । ତେବେ ଏହାରି ଭିତରେ ପିପିଲି ଉପନିର୍ବାଚନ ପାଇଁ ବିଜେଡି ସଭାପତି ନବୀନ ପଟ୍ଟନାୟକ ଦଳୀୟ ନେତାଙ୍କୁ ବିଭିନ୍ନ ଅଞ୍ଚଳର ଦାୟିତ୍ବ ପ୍ରଦାନ କରିଛନ୍ତି। ପିପିଲି ବ୍ଲକ ପାଇଁ ସମୀର ରଞ୍ଜନ ଦାଶ, ଅତନୁ ସବ୍ୟସାଚୀ ନାୟକଙ୍କୁ ଦାୟିତ୍ବ ଦିଆଯାଇଥିବା ବେଳେ, ଡେଲାଙ୍ଗ ବ୍ଲକ ପାଇଁ ନବକିଶୋର ଦାଶ, ସୁଶାନ୍ତ ସିଂହ ଓ ବିଭୂତି ବଳବନ୍ତରାୟଙ୍କୁ ଦାୟିତ୍ବ ପ୍ରଦାନ କରାଯାଇଛି।
ସେହିପରି ପିପିଲି ବିଜ୍ଞାପିତ ପରିଷଦ ଅଞ୍ଚଳ ପାଇଁ ସୁଧୀର ସାମଲଙ୍କୁ ବିଜେଡି ସଭାପତି ଦାୟିତ୍ବ ଦେଇଛନ୍ତି ବୋଲି ବିଜେଡି ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ ସୂଚନା ପ୍ରଦାନ କରିଛନ୍ତି।
ବିଜେଡିରୁ ଦିବଙ୍ଗତ ନେତା ପ୍ରଦୀପ ମହାରଥିଙ୍କ ପୁଅ ରୁଦ୍ର ପ୍ରତାପ ମହାରଥୀ ମଙ୍ଗ ଧରିଛନ୍ତି। ସେପଟେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ମଇଦାନରେ ପ୍ରଚାର ଜୋରଦାର କରୁଥିବା ବେଳେ ଦଳ ତାଙ୍କୁ ବଳ ଦେବା ପାଇଁ ଗତକାଲି ୩୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି। ସେହିପରି କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ ଦଳୀୟ ଏଜେଣ୍ଡା ସହ ପିପିଲିବାସୀଙ୍କ ନିକଟକୁ ଯିବେ।
ପିପିଲି ଉପନିର୍ବାଚନ ପାଇଁ ଗତକାଲି ନାମାଙ୍କନପତ୍ର ଦାଖଲର ଶେଷ ଦିନରେ ମୋଟ ୧୨ଜଣ ପ୍ରାର୍ଥୀ ନିଜର ନାମାଙ୍କନ ଦାଖଲ କରିଛନ୍ତି। ତେବେ ପିପିଲି ଉପ ନିର୍ବାଚନ ପାଇଁ ମୋଟ ୧୫ ଜଣ ପ୍ରାର୍ଥୀ ନିଜର ନାମାଙ୍କନ ଦାଖଲ କରିଛନ୍ତି। ମୋଟ ୨୯ସେଟ ନାମାଙ୍କନପତ୍ର ଦାଖଲ ହୋଇଛି । ଆଜି ଏହା ଯାଞ୍ଚ ହେବ।
ଆସନ୍ତା ୩ ଓ ୪ ତାରିଖ ଦୁଇ ଦିନ ନାମାଙ୍କନପତ୍ର ପ୍ରତ୍ୟାହାର ଦିବସ ରହିଛି। ଅସନ୍ତା ୧୭ରେ ପିପିଲି ଉପ ନିର୍ବାଚନ ହେବ।