ପାଳଲହଡା ନିର୍ବାଚନ ମଣ୍ଡଳୀର ହାଲଚାଲ

ପାଳଲହଡା ନିର୍ବାଚନ ମଣ୍ଡଳୀର ହାଲଚାଲ

ପାଳଲହଡା ନିର୍ବାଚନ ମଣ୍ଡଳୀର ହାଲଚାଲ
ପାଳଲହଡା:ପାଳଲହଡା ବିଧାନସଭା କ୍ଷେତ୍ର ପାଇଁ ରାଜ୍ୟର ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସର ଟିକେଟ୍ ଆଶାୟୀ ମାନେ ନିର୍ବାଚନ ପାଇଁ କସରତ ଆରମ୍ଭ କରି ଦେଇଛନ୍ତି । ବିଜେପିରେ ଆଶାୟୀଙ୍କ ସଂଖ୍ୟା ଅଧିକ ରହିଛି । ତେବେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ନିଷ୍ପତି ଉପରେ ସମସ୍ତଙ୍କ ନଜର ରହିଛି । ପାଳଲହଡା ହେଉଛି ଧର୍ମେନ୍ଦ୍ର ପ୍ରଧାନଙ୍କ ନିଜ ନିର୍ବାଚନ ମଣ୍ଡଳୀ । ୨୦୦୦ ନିର୍ବାଚନରେ ସେ ଏଠାରୁ ନିର୍ବାଚିତ ହୋଇ ପ୍ରଥମ ଥର ସେ ବିଧାନସଭାକୁ ଯାଇଥିଲେ । ୨୦୦୯ ନିର୍ବାଚନରେ କିନ୍ତୁ ବିଜେଡି ପ୍ରାର୍ଥୀ ରବିନାରାୟଣ ପାଣିଙ୍କ ଠାରୁ ମାତ୍ର ୫୧୬୭ ଭୋଟରରେ ଧର୍ମେନ୍ଦ୍ର ପ୍ରଧାନ ପରାଜିତ ହୋଇଥିଲେ । ଶ୍ରୀ ପାଣିଙ୍କୁ ୪୦୯୮୦ ଭୋଟ ମିଳିଥବା ବେଳେ ଧର୍ମେନ୍ଦ୍ର ପ୍ରଧାନ ୩୫୫୧୩ଟି ଭୋଟ ପାଇଥିଲେ । ପାଳଲହଡା ବ୍ଲକର ୨୬ଟି ଓ କଣିହାଁ ବ୍ଲକର ୧୯ଟି ପଂଚାୟତକୁ ନେଇ ଗଠିତ ପାଳଲହଡା ବିଧାନସଭା କ୍ଷେତ୍ରରେ ୨୦୧୪ ନିର୍ବାଚନରେ ବିଜେପିରେ ତିନିଥରିଆ ତାଳଚେର ବିଧାୟକ ମହେଶ ସାହୁ ବିଜେଡି ଟିକଟେରେ ପାଳଲହହାରୁ ନିର୍ବାଚନ ମଇଦାନକୁ ଓହ୍ଲାଇ ଥିଲେ । ମହେଶ ୪୪୨୬୪ଟି ଭୋଟ ପାଇ ବିଜୟୀ ହୋଇଥିବା ବେଳେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ବିଜେପି ପ୍ରାର୍ଥୀ ଅଶୋକ ମହାନ୍ତିଙ୍କୁ ୩୮୯୭୦ ଭୋଟ ମିଳିଥିଲା । କଂଗ୍ରେସ ପ୍ରାର୍ଥୀ ସୁବୋଧ ପାଣି ମାତ୍ର ୧୮୪୮୭ଟି ଭୋଟ ପାଇଥିଲେ । ଗତ ପଂଚାୟତ ନିର୍ବାଚନରେ ପାଳଲହଡା ବିଧାନସଭା କ୍ଷେତ୍ରରେ ୫ଟି ଜିଲ୍ଲା ପରିଷଦ ଜୋନରୁ ୪ଟି ବିଜେପି ଖାତାକୁ ଯାଇଥିବା ବେଳେ ୨ଟି ପଂଚାୟତ ସମିତି ଅଧ୍ୟକ୍ଷ ପଦ ମଧ୍ୟ ବିଜେପି ଅକ୍ତିଆର କରିଛି । ବର୍ତମାନର ବିଧାୟକ ମହେଶ ସାହୁଙ୍କୁ ପୁନର୍ବାର ବିଜେଡି ଏଠାରୁ ପ୍ରାର୍ଥୀ କରିବ ବୋଲି ଆଶା କରାଯାଉଛି । ନିକଟରେ କେତେକ ଦଳୀୟ ନେତା ତାଙ୍କ ବିରୋଧରେ ସ୍ୱର ଉତୋଳନ କରୁଥିବା ଦେଖା ଯାଇଥିଲା । ତେବେ ଭାଇରାଲ ହୋଇଥିବା ଏକ ଅଡିଓ କ୍ଲିପରେ ଅନୁଗୁଳ ଜିଲ୍ଲାର ୫ ଜଣ ବିଧାୟକଙ୍କ ମଧ୍ୟରୁ ଟିକେଟ ପାଇବା କ୍ଷେତ୍ରରେ ମହେଶଙ୍କ ସ୍ଥିତି ସୁଦୃଢ ଥିବା ଦର୍ଶା ଯାଇଥିଲା । ପୂର୍ବତନ ବିଧାୟକ ରବିନାରାୟଣ ପାଣି, ଜଗମୋହନ ପ୍ରଧାନ, ସୁଦର୍ଶନ ବେହେରା, ଇଂ.ସନ୍ଦୀପ ପ୍ରଧାନଙ୍କ ସମେତ ରେଙ୍ଗାଳି ବିସ୍ଥାପିତ ପ୍ରଜାସଂଘର ଉପଦେଷ୍ଟା ଡ. ସନ୍ତୋଷ ଦେହୁରୀ ମଧ୍ୟ ବିଜେଡି ଟିକେଟ୍ ପାଇଁ ଲବି ଚଳାଇଛନ୍ତି । ତେବେ ପଳଲହଡା ଆସନରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୁଣି ଏଥର ବିଧାୟକ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ଜୋର୍ ଧରିଛି । ଧର୍ମେନ୍ଦ୍ର ନିଜେ କିନ୍ତୁ ଏନେଇ କିଛି ସ୍ପଷ୍ଟ କରି ନାହାନ୍ତି । ଯଦି ଧର୍ମେନ୍ଦ୍ର ଏଠାରୁ ପ୍ରାର୍ଥୀ ହୁଅନ୍ତି, ତାହା ହେଲେ ଲଢେଇ ଟିକିଏ ଅଲଗା ହେବ । ଅନ୍ୟ ଦଳ ମଧ୍ୟ ହେବିୱେଟ ନେତାଙ୍କୁ ପ୍ରାର୍ଥୀ କରାଇବେ ବୋଲି ଆକଳନ କରାଇବେ ବୋଲି ଆକଳନ କରାଯାଉଛି । ତେବେ ପାଳଲହଡା ପଂଚାୟତ ସମିତି ଅଧ୍ୟକ୍ଷ ଯୁବନେତା ମୁକେଶ କୁମାର ପାଳ ଓ ଅଶୋକ ମହାନ୍ତି ବିଜେପି ଟିକେଟ୍ ପାଇଁ ଆଶାୟୀ ରହିଛନ୍ତି । ପ୍ରଦେଶ କଂଗ୍ରେସ ନିର୍ବାଚନ କମିଟି ସ୍କ୍ରିନିଂ ପରେ ସୁବୋଧ ପାଣି ଓ ସୁବ୍ରତ ଗଡନାୟକଙ୍କ ନାମ ଏଆଇସିସିକୁ ସୁପାରିସ କରିଛି । ତେବେ ବରିଷ୍ଠ କଂଗ୍ରେସ ନେତା ଫକୀର ମୋହନ ସାମଲ ଟିକେଟ୍ ପାଇଁ ଆଶାବାଦୀ ରହିଛନ୍ତି । ଅପରପକ୍ଷରେ ଉଭୟ ପୁରୁଣା ଓ ନୂଆ ପାଳଲହଡା ବିଧାନସଭା କ୍ଷେତ୍ରରେ ପ୍ରାୟତଃ ବାହାର ଅଂଚଳ ନେତା ପ୍ରାର୍ଥୀ ହୋଇ ନିର୍ବାଚିତ ନିର୍ବାଚିତ ହେଉଛନ୍ତି । ତେଣୁ ଆଗାମୀ ନିର୍ବାଚନରେ ତିନି ପ୍ରମୁଖ ଦଳ ମଧ୍ୟରୁ ଯେଉଁ ଦଳ ଏହି ମାଟିର ପୁଅକୁ ଟିକେଟ୍ ଦେବ, ସେହି ଦଳର ପଲା ଭାରି ରହିବ ବୋଲି ଚର୍ଚ୍ଚା ଚାଲିଛି ।