ପହିଲି ରଜରେ ସବୁଠି ପାନ ଓ ପୋଡ଼ପିଠାର ଆସର
raja id odisha
ଭୁବନେଶ୍ୱର : ସମଗ୍ର ରାଜ୍ୟରେ ଆଜି ପାଳିତ ହୋଇଛି ପହିଲି ରଜ। ପ୍ରବଳ ଗ୍ରୀଷ୍ମପ୍ରବାହ ସତ୍ତ୍ବେ ଉତ୍ସବ ମୁଖର ହୋଇଛି ପୁରପଲ୍ଲୀ। ସବୁଆଡେ ରଜ ପାନ ଓ ପୋଡ଼ ପିଠାର ଆସର ଜମିଛି। ମହକୁଛି ପୁରପଲ୍ଲୀ । ରଜ ଓଡ଼ିଶାର ଏକ ପାରମ୍ପରିକ କୃଷି ଭିତ୍ତିକ ପର୍ବ ।ଗ୍ରୀଷ୍ମ ଓ ବର୍ଷା ଋତୁର ସନ୍ଧିକ୍ଷଣରେ ଭିଜା ମାଟିର ବାସ୍ନା ନେଇ ଚଳିତ ବର୍ଷ ପୁଣି ଆସିଛି ଓଡ଼ିଶାର ଗଣ ପର୍ବ ରଜ । ସତେ ଯେମିତି ଏହା ଧରିତ୍ରୀ ମାତା ଓ ମୌସୁମୀ ର ମିଳନ ପର୍ବ । ଓଡ଼ିଶାରେ ସଜବାଜ ଦିନକୁ ମିଶାଇ ମୋଟ ୪ଦିନ ପାଳନ ହୋଇଥାଏ ରଜପର୍ବ । ବର୍ଷକରେ ଥରେ ଆସୁଥିବା ଏହି କୃଷି ଭିତ୍ତିକ ପର୍ବକୁ ଗ୍ରାମାଞ୍ଚଳ ଠାରୁ ଆରମ୍ଭ କରି ସହରାଞ୍ଚଳ ପର୍ୟ୍ୟନ୍ତ ପ୍ରତିଟି ଓଡ଼ିଆ ପରିବାର ବେଶ ଧୁମଧାମରେ ପାଳନ କରନ୍ତି। ଏହି ସମୟରେ ଝିଅ ମାନେ ସାଧାରଣତ କୌଣସି କାର୍ୟ୍ୟ ନ କରିବା ସହିତ ଖେଳି ବୁଲି ମଜା କରିଥାନ୍ତି ।
ଓଡ଼ିଶାରେ ଏହି ପର୍ବକୁ ଗଣ ପର୍ବ ଭାବେ ପାଳନ କରାଥାଏ । ଚଳିତ ବର୍ଷ ଜଗତସିଂହପୁର ଜିଲ୍ଲାରେ ଏହି ପର୍ବ ଝିଅମାନେ ଖୁବ ଆଡମ୍ବର ସହ ପାଳନ କରୁଛନ୍ତି । ସଜ ହୋଇ ରଜ ପାନ, ପୋଡପିଠା ଖାଇବା ସହ ଦୋଳିରେ ଝୁଲିଛନ୍ତି । ଲୁଡୁ, ତାସ ଓ ବାଗୁଡି ଆଦି ଖେଳ ବି ଜମିଛି । ରଜ ଅବସରରେ ବିଭିନ୍ନ ପ୍ରତିଯୋଗିତା ମଧ୍ୟ ଆୟୋଜନ ହୋଇଛି । କେବଳ ଜଗତସିଂହପୁର ନୁହେଁ ଅନ୍ୟ ସ୍ଥାନ ଗୁଡିକରେ ମଧ୍ୟ ବେସ ଯାକଜମକରେ ପାଳନ ଚାଲିଛି ପରମ୍ପରା ଓ ସଂସ୍କୃତିର ପର୍ବ ।




user2 