ପଞ୍ଜଶୀର ଦଖଲ କଲା ତାଲିବାନ

ପଞ୍ଜଶୀର ଦଖଲ କଲା ତାଲିବାନ

ପଞ୍ଜଶୀର ଦଖଲ କଲା ତାଲିବାନ

କାବୁଲ: ତାଲିବାନ ବାହିନୀ ସପ୍ତାହ ବ୍ୟାପୀ ଭୀଷଣ ସଂଘର୍ଷ ପରେ ପଞ୍ଜଶୀରକୁ ଦଖଲ କରିନେଇଛି। ଆଫଗାନିସ୍ତାନର ଏହି ଏକମାତ୍ର ପ୍ରଦେଶ ତାଲିବାନର ନିୟନ୍ତ୍ରଣ ବାହାରେ ଥିଲା ଏବଂ ଏହାକୁ କବଜା କରି ତାଲିବାନ ସମଗ୍ର ଆଫଗାନିସ୍ତାନକୁ ନିଜର ଶାସନାଧୀନ କରିଛି । ଗତ କିଛି ଦିନ ଧରି ତାଲିବାନ ବାହିନୀ ପଞ୍ଜଶୀର ଅକ୍ତିଆର କରିବା ପାଇଁ ଉଦ୍ୟମ ଜାରି ରଖିଥିଲା । ପଞ୍ଜଶୀରର ବିଦ୍ରୋହୀ ଗୋଷ୍ଠୀ ଅପରାହ୍ନରେ ଛତ୍ରଭଙ୍ଗ ଦେବା ପରେ ତାଲିବାନ ବିଜୟ ଘୋଷଣା କରିଛି । ଆଫଗାନିସ୍ତାନରେ ତାଲିବାନ ଶାସନକୁ ବିରୋଧ କରି ଏକ ଯୁଗ୍ମ ସାମରିକ ବାହିନୀ ପଞ୍ଜଶୀରରେ ତାଲିବାନ ବିରୋଧରେ ସଂଘର୍ଷ କରୁଥିଲେ । ଅହମ୍ମଦ ମସୋଦ ଏବଂ ପୂର୍ବତନ ଉପରାଷ୍ଟ୍ରପତି ଅମରୁଲ୍ଲା ସଲେହଙ୍କ ନେତୃତ୍ୱରେ ଉକ୍ତ ଅଞ୍ଚଳରେ ବିଦ୍ରୋହ ଜାରି ରହିଥିଲା । ପଞ୍ଜଶୀରରେ ତାଲିବାନ ବିରୋଧରେ ଲଢ଼ୁଥିବା ଏହି ବିଦ୍ରୋହୀ ଗୋଷ୍ଠୀର ନାମ ଏନଆରଏଫ (ଜାତୀୟ ବିଦ୍ରୋହୀ ବାହିନୀ) ଏନଆରଏଫର ପ୍ରମୁଖ ଅଞ୍ଚଳ ଅକ୍ତିଆର କରି ନେବା ପରେ ତାଲିବାନ ଅଧିକ ଯୋଦ୍ଧାଙ୍କୁ ମୁତୟନ କରିଛି । ତେବେ ତାଲିବାନର ଦଖଲ ସତ୍ତ୍ୱେ ଆଗକୁ ମଧ୍ୟ ସଂଘର୍ଷ ଜାରି ରହିବ ବୋଲି କୁହାଯାଉଛି । ଏହି ସଂଘର୍ଷରେ ତାଲିବାନର ମଧ୍ୟ ପ୍ରାୟ ୩ ଶହ ଆତଙ୍କବାଦୀ ନିପାତ ହୋଇଛନ୍ତି । ଏନଆରଏଫରେ ପ୍ରାୟ ୧୦,୦୦୦-୧୫,୦୦୦ ସୈନିକ ଥିଲେ ମଧ୍ୟ ତାଲିବାନର ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ସମ୍ମୁଖରେ ସେମାନେ ତିଷ୍ଠି ପାରିନଥିଲେ ।