ପଞ୍ଚାୟତ ନିର୍ବାଚନ ତାରିଖ ଘୋଷଣାକୁ ନେଇ ଉତ୍କଣ୍ଠା

ପଞ୍ଚାୟତ ନିର୍ବାଚନ ତାରିଖ ଘୋଷଣାକୁ ନେଇ ଉତ୍କଣ୍ଠା

ପଞ୍ଚାୟତ ନିର୍ବାଚନ ତାରିଖ ଘୋଷଣାକୁ ନେଇ ଉତ୍କଣ୍ଠା

ଭୁବନେଶ୍ୱର:  ପାଖେଇ ଅସୁଛି ପଞ୍ଚାୟତ ନିର୍ବାଚନ । ଏଥିପାଇଁ ଜୋରଦାର ପ୍ରସ୍ତୁତି ପ୍ରକ୍ରିୟା ଚାଲିଛି ।  ପଞ୍ଚାୟତ ନିର୍ବାଚନର ତାରିଖ ଘୋଷଣା ଖୁବ୍ ଶୀଘ୍ର ହୋଇପାରେ । ପୂର୍ବରୁ ପଞ୍ଚାୟତ ନିର୍ବାଚନ ପାଇଁ ଚୂଡ଼ାନ୍ତ ଭୋଟର ତାଲିକା ଘୋଷଣା ହୋଇସାରିଛି । ୯୧,୯୧୩ ୱାର୍ଡ଼,୬୭୯୪ ପଞ୍ଚାୟତରେ ହେବ ନିର୍ବାଚନ। ସେହିପରି ରାଜ୍ୟରେ ୮୫୩ ଜିଲ୍ଲା ପରିଷଦ ଆସନ ପାଇଁ ହେବ ନିର୍ବାଚନ । ସେଥିପାଇଁ ଆବଶ୍ୟକ ବାଲାଟ ବାକ୍ସ ସଂଗ୍ରହ କରାଯାଉଛି । ଏହି ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ୟ୍ୟାଳୟ ପକ୍ଷରୁ ଏହା ସୁଚନା ଦିଆଯାଇଛି ।

ତେବେ ଯାହା ସୁଚନା ମିଳୁଛି ଡ଼ିସେମ୍ବର ମାସ ଶେଷ ସୁଦ୍ଧା ଏହି ତାରିଖ ଘୋଷଣା ହୋଇପାରେ । ଏଥର ବ୍ଲକ୍ରେ କାଉଣ୍ଟି ହେବାକୁ ଥିବା ବେଳେ ଯେତେ ୱାର୍ଡ଼ ରହିଛି ସେତିକି ବାଲାଟ୍ ବକ୍ସର ଆବଶ୍ୟକତା ପଡ଼ିବ  । ତେଣୁ ଏହାକୁ କିପରି ସୁରୁକ୍ଷୁରୁରେ ଶେଷ କରାଯିବ ତାହା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ୨୦୧୭ରେ ଯେପରି ୫ ଟି ପର୍ୟ୍ୟାୟରେ ନିର୍ବାଚନ ହୋଇଥିଲା ଏଥିର ମଧ୍ୟ ୫ ଟି ପର୍ୟ୍ୟାୟରେ ନିର୍ବାଚନ ହେବ  । ତେଣୁ ପ୍ରସ୍ତୁତି ଚୁଡ଼ାକ୍ତ ପରେ ତାରିଖ ଘୋଷଣା ହେବ । ଆସନ୍ତା ବର୍ଷ ମାର୍ଚ୍ଚ ୧୧ରେ ପଞ୍ଚାୟତ ସମିତିସ୍ତରୀୟ ନିର୍ବାଚିତ ପ୍ରତିନିଧିଙ୍କର ଏବଂ ମାର୍ଚ୍ଚ ୧୨ରେ ଜିଲ୍ଲା ପରିଷଦ ସଦସ୍ୟମାନଙ୍କର କାର୍ୟ୍ୟକାଳ ଶେଷ ହେବ । ଏହା ପୂର୍ବରୁ ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟା ଶେଷ ହେବ ।

ରାଜ୍ୟ ନିର୍ବାଚନ କମିଶନ ଚଳିତ ବର୍ଷ ୱାର୍ଡ ସଦସ୍ୟଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ପରିଷଦ ସଦସ୍ୟଙ୍କ ପର୍ୟ୍ୟନ୍ତ ଖର୍ଚ୍ଚ ସୀମା ବୃଦ୍ଧି କରିଛନ୍ତି । ୨୦୨୨ ଜାନୁଆରୀ ସୁଦ୍ଧା ୧୮ ବର୍ଷ ହୋଇଥିବା ସମସ୍ତ ନୂଆ ଭୋଟରଙ୍କୁ ଭୋଟର ତାଲିକାରେ ସାମିଲ୍ କରାଯାଇଛି । ଆସନ୍ତା ନିର୍ବାଚନରେ ଅଧାରୁ ଅଧିକ ସରପଞ୍ଚ ହେବେ ମହିଳା । ମୋଟ ଆସନ ମଧ୍ୟରୁ ୩ ହଜାର ୫ ଶହ ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି । ପଛୁଆବର୍ଗ ମହିଳାଙ୍କ ପାଇଁ ୪୨୯ଟି ଆସନ ସଂରକ୍ଷିତ ଥିବା ବେଳେ, ଅନୁସୂଚିତ ଜାତିର ମହିଳାଙ୍କ ପାଇଁ ୫୨୫ ଓ ଅନୁସୂଚିତ ଜନଜାତି ମହିଳାଙ୍କ ପାଇଁ ୧୩୭୬ ଆସନ ସଂରକ୍ଷିତ ରହଛି ।

ଏହା ସହିତ ୧୧୭୦ଟି ଆସନ କେବଳ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି । ସେହିପରି ସମିତି ସଭ୍ୟ ପ୍ରାର୍ଥୀ ପାଇଁ ୩ ହଜାର ୫୩୮ ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ରଖାଯାଇଛି । ଜିଲ୍ଲା ପରିଷଦରେ ୪୩୩ଟି ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ହୋଇଛି । ଏଥିପାଇଁ ତିନି ଦଳ ଆରମ୍ଭ କରିଛନ୍ତି ସଜବାଜ ।