ପଂଚାୟତକୁ ଆସୁଥିବା ଅର୍ଥକୁ ନେଇ ଏପରି କହିଲେ ଧର୍ମେନ୍ଦ୍ର ପ୍ରଧାନ

ପଂଚାୟତକୁ ଆସୁଥିବା ଅର୍ଥକୁ ନେଇ ଏପରି କହିଲେ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ବର : କିଟ୍ ବିଶ୍ୱବିଦ୍ୟାଳୟ ପରିସରରେ  କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ତରଫରୁ ‘ଶିଶୁ ଓ ମହିଳା ଅନୁକୂଳ ଗ୍ରାମପଞ୍ଚାୟତ ଗଠନ’ ପ୍ରସଙ୍ଗ ଉପରେ ୩ଦିନିଆ ରାଷ୍ଟ୍ରୀୟ କର୍ମଶାଳା ଉଦ୍‌ଘାଟିତ ହୋଇଛି। ଉଦ୍‌ଘାଟନ ସମାରୋହରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେବା ସହିତ ଓଡ଼ିଶାରେ ପିଏମ ଶ୍ରୀ ଯୋଜନା ଲାଗୁ କରିବା, ରାଜ୍ୟ ସରକାର ଓ ପଞ୍ଚାୟତ ସ୍ତରର ଜନପ୍ରତିନିଧିଙ୍କୁ ମୋଟ ୮ଟି ପ୍ରସ୍ତାବ ଓ ପରାମର୍ଶ ଦେଇଛନ୍ତି।
ଶ୍ରୀ ପ୍ରଧାନ କହିଛନ୍ତି ଯେ ମୋଦୀ ସରକାରରେ ଦେଶରେ ଗ୍ରାମାଞ୍ଚଳ ଭିତ୍ତିଭୂମିକୁ ମଜଭୁତ କରିବା ପାଇଁ ପଞ୍ଚଦଶ ଅର୍ଥ କମିସନରେ ଅର୍ଥ ବ୍ୟୟବରାଦ ପାଞ୍ଚ ଗୁଣା ବୃଦ୍ଧି ପାଇଁ ୨ ଲକ୍ଷ ୪୦ ହଜାର କୋଟି ଟଙ୍କାରେ ପହଞ୍ଚିଛି। ଓଡ଼ିଶା ସମେତ ବିଭିନ୍ନ ରାଜ୍ୟର ପଞ୍ଚାୟତିରାଜ ସହ ସଂଶ୍ଲିଷ୍ଟ ଅନୁଷ୍ଠାନଗୁଡିକ ମଜଭୁତ କରିବା ପାଇଁ ଏହି ଅର୍ଥ ଦିଆଯାଉଛି। କିନ୍ତୁ ରାଜ୍ୟ ସରକାର କନଭରଜେନ୍‌ସ ନାଁରେ ପଞ୍ଚାୟତକୁ ଆସୁଥିବା ଅର୍ଥ ଉଠାଉଥିବା ଖବର ଆସୁଛି। ଓଡ଼ିଶାରେ ଅର୍ଥର ଅଭାବ ନ ଥିବା ବେଳେ ରାଜ୍ୟ ସରକାର ପଞ୍ଚାୟତକୁ ଆସୁଥିବା ଅର୍ଥ ଉଠାଇବା ଅନୁଚିତ। ରାଜ୍ୟରେ ପିଏମ ଶ୍ରୀ ଯୋଜନା ଲାଗୁ କରାଯାଉଛି। ଏହି ଯୋଜନାରେ ଓଡ଼ିଶାକୁ ୮୦୦ଟି ସ୍କୁଲ ଓ ୧୬୦୦ କୋଟି ଟଙ୍କା ମିଳିବ। ମାତ୍ର ରାଜ୍ୟ ସରକାର ଏଥିପାଇଁ ଏମଓୟୁ କରିନାହାନ୍ତି।