ନାଲି ବଲବର ମାୟା : ଖୋଜା ଚାଲିଛି ୧୯୯୪ ପୂର୍ବର ଟିଭି, ରେଡିଓ

ନାଲି ବଲବର ମାୟା : ଖୋଜା ଚାଲିଛି ୧୯୯୪ ପୂର୍ବର ଟିଭି, ରେଡିଓ

ନାଲି ବଲବର ମାୟା : ଖୋଜା ଚାଲିଛି ୧୯୯୪ ପୂର୍ବର ଟିଭି, ରେଡିଓ
ପୁରୀ: ଘରେ ପୁରୁଣା ଟିଭି ଅଛି କି? ଯଦି ଅଛି, ଏଥିରେ ନାଲି ବଲବ ଅଛି ନା ନାହିଁ ଦେଖ । ଯଦି ଅଛି କେତେ ଟଙ୍କା ନେବ କୁହ । ଆମେ ୫୦ ଲକ୍ଷରୁ କୋଟିଏ ଟଙ୍କା ପର୍ଯ୍ୟନ୍ତ ଦେବାକୁ ପ୍ରସ୍ତୁତ ଅଛୁ । ବେଶ କିଛି ମାସ ହେବ ପୁରୀ ଜିଲ୍ଲାରେ ଏଭଳି କିଛି ବେଟିଂ ଚାଲିଛି ପୁରୁଣା ଟିଭିକୁ ନେଇ । ଯେଉଁଥି ପାଇଁ ଗାଁଠୁ ସହର ଯାଏଁ ସବୁଠି ଏବେ ପୁରୁଣା ଟିଭି ଖୋଜାଚାଲିଛି । ହନୁମାନ ପଇସା ଭଳି ପୁରୁଣା ଟିଭିର ଏହି ଗୋଲକ ଧନ୍ଦା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟାନ୍ୱିତ କରିଛି । ଏହି ନାଲି ବଲବରେ ଏମିତି କଣ ଅଛି ଯେ ଲୋକେ ୫୦ ଲକ୍ଷରୁ କୋଟିଏ ଟଙ୍କା ପର୍ଯ୍ୟନ୍ତ ଦେବାକୁ ପ୍ରସ୍ତୁତ ଅଛନ୍ତି । ଯାହାର କାରଣ ଏବେ ବି ରହସ୍ୟ ଭିତରେ ରହିଛି । ପୁରୀ ଜିଲ୍ଲାରେ ୫ ମାସ ତଳୁ ପୁରୁଣା ଟିଭିକୁ ନେଇ ଏହି ଚର୍ଚ୍ଚା ଆରମ୍ଭ ହେଲାଣି । ଟିଭିର ଏହି ନାଲି ବଲବ ପଛରେ ଦୌଡ଼ିଥିବା ଦଲାଲମାନେ ୧୯୯୪ ମସିହା ପୂର୍ବରୁ ଟିଭିକୁ ଖୋଜିବା ଆରମ୍ଭ କରିଛନ୍ତି । ସେ ସମୟରେ ଓନିଡା, କୋଣାର୍କ ଆଦି ଟିଭି ଆସୁଥିଲା । ଘରେ ଘରେ ଯାହା ଏବେ ଅଦରକାରୀ ବସ୍ତୁ ଭାବେ ପଡ଼ି ରହିଛି । ଦଲାଲମାନଙ୍କ କହିବା ହେଲା ଏହି ଟିଭିର ମଦର ବୋର୍ଡରେ ଏକ ନାଲି ବଲବ (ଫୁ୍ୟଜ ଭଳି) ରହିଛି ଯେଉଁ ଥିରେ କିଛି ଲିକୁ୍ୟଇଡ ରହିଛି । ଯାହାର ଅମୂଲମୂଲ । ୧୯୯୪ ମସିହା ପୂର୍ବରୁ ଆସୁଥିବା ଟିଭି ମାନଙ୍କରେ କାଚର ନାଲି ବଲବ ରହିଥିଲା । ଏବକା ଟିଭିରେ ଆଉ ଏହି ବଲବ ନାହିଁ । କେବଳ ଟିଭି ନୁହେଁ, ୧୯୯୪ ମସିହା ପୂର୍ବରୁ ରେଡିଓ ବି ଖୋଜା ଚାଲିଛି । କୁଆଡେ଼ ରେଡିଓରେ ବି ଏହି ନାଲିର ବଲବ ରହିଛି । ଟିଭି ବଲବ ଭଳି ରେଡିଓ ଥିବା ନାଲି ବଲବ ଦାମ ବି ସମାନ ଦରରେ ବେଟିଂ କରାଯାଉଛି । ଗାଁଠୁ ସହର ଏବେ ସମସ୍ତେ ଏହି ଟିଭି ଓ ରେଡିଓ ପଛରେ ଦୌଡ଼ୁଛନ୍ତି । ଯେଉଁମାନେ ପୁରୁଣା ଟିଭି, ରେଡିଓ ଆଦି ରଖିଛନ୍ତି ସେମାନେ ବି ଏହାକୁ ଖୋଲି ନାଲି ବଲବ ଖୋଜିବା ଆରମ୍ଭ କରି ଦେଇଛନ୍ତି । କୋଟିଏ ଲୋଭରେ ଏବେ ଗାଁ ଗାଁରେ ଯୁବ ଗୋଷ୍ଠୀମାନେ ପୁରୁଣା ଟିଭି, ରେଡିଓ ଖୋଜିବା ଆରମ୍ଭ କରି ଦେଇଛନ୍ତି । ଏହି ବେଟିଂ ପଛରେ ଏକ ରାକେଟ କାମ କରୁଥିବା ଜଣାପଡ଼ିଛି । କେହି କେହି ଏହି ନାଲି ବଲବ ଭିତରେ ଥିବା ତରଳ ପଦାର୍ଥ ପରମାଣୁ ବୋମା ତିଆରିରେ ବ୍ୟବହାର କରାଯାଉଥିବା କହୁଥିବା ବେଳେ କେହି କେହି ସାଟେଲାଇଟ ପାଇଁ ବ୍ୟବହାର ହେଉଥିବା କହିଛନ୍ତି । ଚୀନ ଜିନିଷ ବନ୍ଦ ହୋଇଯିବା ପରେ ଭାରତର ବଜାର ଚାହିଦା ପୁରଣ ହୋଇପାରୁନି । ଯେଉଁଥିପାଇଁ ଏହି ସବୁ ପୁରୁଣା ଜିନିଷ ଖୋଜାଯାଉଛି ବୋଲି କେହି କେହି କହିଛନ୍ତି । କିନ୍ତୁ ଏହାର ସତ୍ୟତା ଜଣାପଡ଼ିନି । ଜିଲ୍ଲା ପ୍ରଶାସନ ହେଉ କି ପୁଲିସ ପ୍ରଶାସନ ଏହି ରହସ୍ୟକୁ ଖୋଜି ବାହାର କରିବା ସହ ଟଙ୍କା ଲୋଭରେ ଦୌଡ଼ୁଥିବା ଯୁବଗୋଷ୍ଠୀଙ୍କ ସନେ୍ଦହ ଦୂର କରିବାକୁ ବିଭିନ୍ନ ମହଲରୁ ଦାବି ହେଉଛି ।