ନଦୀ ଭିତରେ ବୋଟ୍ ସହିତ ବୋଟ୍ ଧକ୍କା, ୬୦ ନିଖୋଜ
ନଦୀ ଭିତରେ ବୋଟ୍ ସହିତ ବୋଟ୍ ଧକ୍କା, ୬୦ ନିଖୋଜ
ଗୌହାଟୀ: ଆସାମର ବ୍ରହ୍ମପୁତ୍ର ନଦୀରେ ଦୁଇ ବୋଟ୍ ମଧ୍ୟରେ ଧକ୍କା ହେବାରୁ ୬୦ରୁ ଅଧିକ ଲୋକ ନିଖୋଜ ଅଛନ୍ତି। ୧୦୦ ରୁ ଅଧିକ ଯାତ୍ରୀଙ୍କୁ ଧରି ଯାତ୍ରା କରୁଥିବା ଏକ ବୋଟ ବୁଡ଼ିଯାଇଛି। ୪୧ ଜଣଙ୍କୁ ଉଦ୍ଧାର କରାଯାଇଛି। ଖବର ପାଇବା ମାତ୍ରେ ଏନଡିଆରଏଫ ଏବଂ ଏସଡିଆରଏଫ ପକ୍ଷରୁ ଉଦ୍ଧାର କାର୍ୟ୍ୟ ଆରମ୍ଭ ହୋଇଥିଲା । ଆସାମ ରାଜ୍ୟ ବିପର୍ୟ୍ୟୟ ପରିଚାଳନା ମୁଖ୍ୟ ଜିଡି ତ୍ରିପାଠୀ କହିଛନ୍ତି, ଦୁର୍ଘଟଣା ପରେ ପ୍ରାୟ ୩୦ ଲୋକ ପହଁରି କୂଳରେ ପହଞ୍ଚିବାକୁ ସକ୍ଷମ ହୋଇଥିଲେ । ଅନ୍ୟ ପକ୍ଷେ ଅନ୍ୟମାନଙ୍କ ଉଦ୍ଧାର କାର୍ୟ୍ୟ ଜାରି ରହିଛି । ବୁଡ଼ି ଯାଇଥିବା ବୋଟଟି ଜୋରହାଟର ନିମତିଘାଟରୁ ମଜୌଲୀ ନଦୀ ଆଇଲାଣ୍ଡକୁ ଯାତ୍ରା କରୁଥିବା ବେଳେ ବିପରୀତ ପାର୍ଶ୍ବରୁ ଆସୁଥିବା ବୋଟ ସହ ଧକ୍କା ହୋଇଥିଲା । ଅପରାହ୍ନ ପ୍ରାୟ ୪.୩୦ ମିନିଟ ସମୟରେ ଦୁର୍ଘଟଣା ହୋଇଥିଲା । ବୋଟରେ ଥିବା ଅନେକ ଗାଡ଼ି ବି ବୁଡ଼ି ଯାଇଛି । ଏନଡିଆରଏଫ ଡିଜିଙ୍କ କହିବା ଅନୁସାରେ ୨ ଟି ବୋଟରେ ପ୍ରାୟ ୧୨୦ ଯାତ୍ରୀ ଥିଲେ । ଉଦ୍ଧାର ହୋଇଥିବା ୨୩ ବର୍ଷୀୟା ଛାତ୍ରୀ ପରିଣୀତା ଦାସଙ୍କ କୋରହାଟ ହସ୍ପିଟାଲରେ ମୃତୁ୍ୟ ହୋଇଛି । ନଦୀରୁ ଉଦ୍ଧାର ହୋଇଥିବା ଲୋକମାନଙ୍କ ମଧ୍ୟରେ ୭ ଜଣ ଶିଶୁ ଅଛନ୍ତି । କେନ୍ଦ୍ର ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ଉକ୍ତ ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି । ସେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ସହ ଫୋନରେ କଥା ହୋଇଛନ୍ତି ଏବଂ ଜାରି ରହିଥିବା ଉଦ୍ଧାର କାର୍ୟ୍ୟ ସଂକ୍ରାନ୍ତରେ ବୁଝିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଉକ୍ତ ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ।




admin 