ଧାର୍ମିକ ସମାବେଶରୁ ଏସିଆରେ କରୋନା କ୍ଲଷ୍ଟର
ଧାର୍ମିକ ସମାବେଶରୁ ଏସିଆରେ କରୋନା କ୍ଲଷ୍ଟର
admin
Apr 22, 2020 - 12:39
Updated: Apr 22, 2020 - 12:39
ନୂଆଦିଲ୍ଲୀ: ଏକ ରକ୍ଷଣଶୀଳ ଧାର୍ମିକ ଗୋଷ୍ଠୀ ‘ତବଲିଗି ଜମାତ’ ର ବିଶାଳ ସମାବେଶ ଯୋଗୁଁ ମାଲେସିଆ ଓ ଭାରତ ପରେ ଏବେ ପାକିସ୍ତାନରେ କରୋନା ଭୂତାଣୁ ହଟସ୍ପଟ ବଢ଼ିବାରେ ଲାଗିଛି । ସୁନ୍ନୀ ମୁସଲିମ ମିଶନାରୀ ଗ୍ରୁପ ଆୟୋଜିତ ସମାବେଶରେ ୩ ହଜାର ବିଦେଶାଗତଙ୍କ ସମେତ ୭୦ ହଜାର ଶ୍ରଦ୍ଧାଳୁ ଭାଗ ନେଇଥିଲେ । ସେମାନଙ୍କ ମଧ୍ୟରୁ ୨୨୫୮ ଜଣଙ୍କ ଠାରେ କୋଭିଡ-୧୯ ଚିହ୍ନଟ ହୋଇଥିବା ସରକାରୀ ତଥ୍ୟ କହୁଛି । ଏହି ୫ ଦିନିଆ ବାର୍ଷିକ ସମାବେଶ ହୋଇଛି, ପାକିସ୍ତାନରେ ଲକଡାଉନ ଲାଗୁ ହେବା ପୂର୍ବରୁ । ଏହି ଧାର୍ମିକ ସଂଗଠନ ହେଉଛି ବିଶ୍ୱର ବୃହତ୍ତମ ଧାର୍ମିକ ଆନ୍ଦୋଳନ, ଯାହାର ୧୫୦ ଦେଶରେ ଉପସ୍ଥିତି ରହିଛି । କୌଣସି ଔପଚାରିକ ସଦସ୍ୟତା ନଥିବା ଏହି ସଂଗଠନ, ଇସଲାମୀୟ ରୀତିରିୱାଜ ଅନୁପାଳନ କରି ପକ୍କା ମୁସଲମାନ ଜୀବନ ବଞ୍ଚିବାକୁ ତାଲିମ ଦେଇଥାଏ । ବିଶ୍ୱର ଅନେକ କୋଭିଡ ୧୯ ହଟସ୍ପଟର ସମ୍ପର୍କ ଏବେ ଏହାର ସମାବେଶ ସହିତ ରହିଥିବା ଜଣାପଡ଼ିଛି । ସେହିଭଳି ଦକ୍ଷିଣ କୋରିଆରେ ଏକ ଚର୍ଚ୍ଚ କାରଣରୁ ୫୨୦୦ ଜଣ କରୋନା ସଂକ୍ରମିତ ବୋଲି ଫେବ୍ରୁଆରୀରେ ଜଣାପଡ଼ିବା ପରେ ସାରା ବିଶ୍ୱର ଧ୍ୟାନ ଆକର୍ଷଣ କରିଛି । ଏହା ପରେ ସିଙ୍ଗାପୁର ସରକାର ତୁରନ୍ତ ଦକ୍ଷିଣକୋରୀୟମାନଙ୍କ ସହ କୌଣସି ପ୍ରକାର କାର୍ଯ୍ୟକଳାପକୁ ନିଷେଧ କରିଥିଲେ । ମାତ୍ରାଧିକ ରକ୍ଷଣଶୀଳ ୟହୁଦୀ ସମ୍ପ୍ରଦାୟ ଯୋଗୁଁ ଉଭୟ ନ୍ୟୁୟର୍କ ଓ ଇସ୍ରାଏଲ ଏବେ କରୋନା ସଂକ୍ରମଣର ନିଆଁଝୁଲ ପାଲଟିଛି । ସାମାଜିକ ଦୂରାବସ୍ଥାନ କାଳେ ସେମାନଙ୍କ ଆସ୍ଥା ବିରୋଧୀ! ଏଣେ ଭାରତରେ ଜଣେ ଶିଖ ଧର୍ମଗୁରୁ ୟୁରୋପରୁ ଫେରି ଆତ୍ମ ଏକାନ୍ତବାସରେ ରହିବାକୁ ମନା କରିଦେବା ପରେ ୩୦ ହଜାର ଲୋକଙ୍କୁ କଡା ସଙ୍ଗରୋଧ ଖୁଆଡ଼ ଭିତରେ ରହିବାକୁ ହୋଇଛି । ସେ ୨୦ ରୁ ବେଶି ଗାଆଁରେ ସମାବେଶରେ ଯୋଗ ଦେଇଥିଲେ ଏବଂ ଶେଷରେ ତାଙ୍କର କୋଭିଡ-୧୯ ସଂକ୍ରମଣରେ ତାଙ୍କ ମୃତ୍ୟୁ ହୋଇଯାଇଚି ।
ଦିଲ୍ଲୀର ତବଲିଗି ଜମାତ ସମାବେଶ ୪୩୦୦ ସଂକ୍ରମିତ ମାମଲା ସଂଶ୍ଲିଷ୍ଟ ଅଛି । ସେହିଭଳି ମାଲେସିଆର କୁଆଲାଲୁମ୍ପୁରରେ ଏକ ମସଜିଦରେ ୧୬ ହଜାର ଜମା ହୋଇଥିବା ବେଳେ ତହିଁରୁ ୧୯୪୬ ଚିହ୍ନିତ ସଂକ୍ରମିତ ଥିବା ବେଳେ ପୂରା ଦେଶର ସେଇ ସଂଖ୍ୟା ୫୪୨୫ । ଏହି ସମାବେଶ ସଂସ୍ଲିଷ୍ଟ ସିଙ୍ଗାପୁର ଓ ବ୍ରୁନେରେ ମଧ୍ୟ ସଂକ୍ରମିତ ଧରାପଡ଼ିଛନ୍ତି । ପାକିସ୍ତାନରେ ସେଇଭଳି ଇରାନରୁ ଫେରିଥିବା ସିଆ ତୀର୍ଥଯାତ୍ରୀଙ୍କ ଠାରୁ ସଂକ୍ରମିତ ସୁଅ ଛୁଟିଛି । ପାକିସ୍ତାନ ଏପ୍ରିଲ ମାସ ଶେଷ ସୁଦ୍ଧା ଲକଡାଉନ କରିଥିଲେ ସୁଦ୍ଧା ୬୮ ବର୍ଷ ମଧ୍ୟରେ ଏତେ ଉତ୍କଟ ଆର୍ଥିକ ସ୍ଥିତିକୁ ସାମ୍ନା କରିନଥିଲା । ତଥାପି ପାକିସ୍ତାନ ସରକାର ଏଇ ୧୮ ତାରିଖରୁ ମସଜିଦରୁ ତାଲାବନ୍ଦ ହଟାଇ ଦେଇଛି । ତେବେ ସବୁବେଳ ଭଳି କାନ୍ଧକୁ କାନ୍ଧ ନମିଶାଇ ୬ଫୁଟ ଦୂରରେ ପ୍ରତ୍ୟେକେ ଠିଆ ହେବେ ।