ଧାମନଗର ଉପନିର୍ବାଚନ ପାଇଁ ଆଜି ଆସିବ ବିଜ୍ଞପ୍ତି
ଧାମନଗର ଉପନିର୍ବାଚନ ପାଇଁ ଆଜି ଆସିବ ବିଜ୍ଞପ୍ତି
ଭଦ୍ରକ : ଭଦ୍ରକ ଜିଲ୍ଲା ଧାମନଗର ସଂରକ୍ଷିତ ବିଧାନସଭା ଆସନ ଉପନିର୍ବାଚନ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇବ । ନଭେମ୍ବର ୩ରେ ଉପନିର୍ବାଚନ ହେବ । ହେଲେ ଏଥିପାଇଁ ସବୁ ରାଜନୈତିକ ଦଳ ପ୍ରାର୍ଥୀ ଚୟନ ନେଇ ବଳ କଷାକଷି ଆରମ୍ଭ କରିଛନ୍ତି । କଂଗ୍ରେସ ପକ୍ଷରୁ ଧାମନଗର ଉପନିର୍ବାଚନ ପାଇଁ ୬ ଜଣ ପର୍ୟ୍ୟବେକ୍ଷକ ବିଜୟଲକ୍ଷ୍ମୀ ସାହୁ, ସୁରେଶ ମହାପାତ୍ର, ଚିନ୍ମୟ ବେହୁରିଆ ଓ ଲଲାଟେନ୍ଦୁ ମହାପାତ୍ରଙ୍କୁ ନିଯୁକ୍ତି କରାଯାଇଛି । ସେମାନେ ଆଜି ଧାମନଗରରେ ପହଞ୍ଚି ଅନୁଧ୍ୟାନ କରିବେ । ପ୍ରାକ୍ତନ ସାଂସଦ ଅନନ୍ତ ସେଠୀ କିମ୍ବା ତାଙ୍କ ଝିଅ ମଧୁମିତା ସେଠୀଙ୍କୁ ପ୍ରାର୍ଥୀ କରାଯାଇପାରେ ବୋଲି ଚର୍ଚ୍ଚା ହେଉଛି । ଉପନିର୍ବାଚନ ପାଇଁ କଂଗ୍ରେସର ପ୍ରଚାର ଦାୟିତ୍ୱରେ ଅଛନ୍ତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ଶରତ ରାଉତ ଓ ଜଗନ୍ନାଥ ପଟ୍ଟନାୟକ ପ୍ରମୁଖ ।
ଏହି ଉପନିର୍ବାଚନ ଲାଗି ବିଜେଡି ଜୋରଦାର କମର କଷୁଛି । ବିଜେଡି ବିକାଶର ବାର୍ତ୍ତା ନେଇ ଘରକୁ ଘର ଯିବା ସହ ମୁଖ୍ୟମନ୍ତ୍ରୀଙ୍କ ସ୍ୱଚ୍ଛତା ସଂପର୍କରେ କହିବ ବୋଲି ଲିଫଲେଟ ବାଣ୍ଟିଲେଣି । ଏହା ସହିତ ତିହିଡ଼ି ଓ ଚାନ୍ଦବାଲି ବ୍ଲକର ଏହି ସଂରକ୍ଷିତ ଆସନରେ ଥିବା ୪୪ଟି ପଞ୍ଚାୟତର ୬ଟି ଜିଲ୍ଲା ପରିଷଦ ଜୋନକୁ ଦଳ ଭାଗ କରି ଦେଇଛି । କିଏ କେଉଁ ଅଞ୍ଚଳ ଦାୟିତ୍ୱରେ ରହିବେ, ନିଷ୍ପତ୍ତି ହୋଇଗଲାଣି । ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟଙ୍କୁ ୬ନଂ ଜିଲ୍ଲା ପରିଷଦ ଜୋନ ଦିଆଯାଇଥିବା ବେଳେ ୭ନଂ ଜୋନ ଦାୟିତ୍ୱରେ ବିଧାୟକ ବ୍ୟୋମକେଶ ରାୟ ରହିଛନ୍ତି ।
ସେହିପରି ଧାମନଗର ବ୍ଲକରେ ଥିବା ଅନ୍ୟ ୪ଟି ଜିଲ୍ଲା ପରିଷଦ ଜୋନରେ ମନ୍ତ୍ରୀ ଅଶ୍ୱିନୀ ପାତ୍ର, ପ୍ରୀତିରଂଜନ ଘଡ଼ାଇ, ଅମର ଶତପଥୀ, ପ୍ରମିଳା ମଲିକ ପ୍ରମୁଖଙ୍କୁ ଦାୟିତ୍ୱ ଦିଆଯାଇଛି । ପ୍ରାର୍ଥୀ ହେବା ନେଇ ଦଳର ବରିଷ୍ଠ ନେତା ଶରତ ଦାସ, ଡାକ୍ତର ସଂଜୟ ଦାସ, ବିବେକାନନ୍ଦ ସାମଲ, ରାଜେନ୍ଦ୍ର ଜେନାଙ୍କ ନାମ ଜୋରଦାର ଆଲୋଚନା ହେଉଛି ।
ଅନ୍ୟପକ୍ଷରେ ବିଜେପି ପକ୍ଷରୁ ସ୍ୱର୍ଗତ ବିଷ୍ଣୁ ସେଠୀଙ୍କ ପୁଅ ସୁରଜ ସୁର୍ୟ୍ୟବଂଶୀଙ୍କୁ ଟିକେଟ ଦେବା ପାଇଁ ଏକ ପ୍ରକାର ସ୍ଥିର କରାଯାଇଥିବା ଜଣା ପଡ଼ୁଛି । ଦଳର ପ୍ରାକ୍ତନ ମନ୍ତ୍ରୀ ମନମୋହନ ସାମଲ ଏହି ନିର୍ବାଚନର ମଙ୍ଗ ଧରିଛନ୍ତି । ବିଜେପି ଅନୁକମ୍ପା ଭୋଟ ପାଇବାକୁ କସରତ ଆରମ୍ଭ କରିଛି । ବିଜେପି ନେତୃବୃନ୍ଦ ବିଷ୍ଣୁଙ୍କ ଅଧୁରା ସ୍ୱପ୍ନକୁ ପୂରଣ କରିବା ପାଇଁ ସୁରଜଙ୍କୁ ଭୋଟ ଦେବାକୁ ନାରା ଦେଲେଣି ।




admin 