ଧାମନଗର ଉପନିର୍ବାଚନ: ଅନ୍ତିମ ଦିବସରେ ପୁଣି ପ୍ରଚାର କରିବେ ଧର୍ମେନ୍ଦ୍ର

ଧାମନଗର ଉପନିର୍ବାଚନ: ଅନ୍ତିମ ଦିବସରେ ପୁଣି ପ୍ରଚାର କରିବେ ଧର୍ମେନ୍ଦ୍ର

ଧାମନଗର ଉପନିର୍ବାଚନ:  ଅନ୍ତିମ ଦିବସରେ ପୁଣି ପ୍ରଚାର କରିବେ ଧର୍ମେନ୍ଦ୍ର

ଭଦ୍ରକ: ନଭେମ୍ବର ୩ ତାରିଖରେ ଧାମନଗର ବିଧାନସଭା ଆସନ ପାଇଁ ଉପନିର୍ବାଚନ ହେବ । ତେଣୁ ମଙ୍ଗଳବାର ହେଉଛି ନିର୍ବାଚନୀ ପ୍ରଚାରର ଅନ୍ତିମ ଦିବସ । ଏହି ଅନ୍ତିମ ଦିବସରେ ବିଜେପି ପ୍ରାର୍ଥୀ ସୂର୍ୟ୍ୟବଂଶୀ ସୂରଜଙ୍କ ପାଇଁ ପ୍ରଚାର କରିବାକୁ ପୁଣି ଥରେ ମଇଦାନକୁ ଓହ୍ଲାଇବେ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଧାମନଗର ବ୍ଲକ ଧୁଷୁରୀ ବାସନ୍ତୀ ପଡ଼ିଆରେ ଅପରାହ୍ଣରେ ଏକ ଜନସଭାରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଉଦ୍‌ବୋଧନ ଦେବାର କାର୍ୟ୍ୟକ୍ରମ ରହିଛି ବୋଲି ଦଳୀୟ ସୂତ୍ରରୁ ସୂଚନା ମିଳିଛି ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଅକ୍ଟୋବର ୨୮ ଓ ୨୯ ତାରିଖ ଦୁଇଦିନ ଧରି ଦଳୀୟ ପ୍ରାର୍ଥୀ ସୂର୍ୟ୍ୟବଂଶୀ ସୂରଜଙ୍କ ପାଇଁ ବିଶାଳ ପଦଯାତ୍ରା ଓ ଶୋଭାଯାତ୍ରାରେ ପ୍ରଚାର କରିଥିଲେ । ଏହି ପ୍ରଚାର ସମୟରେ ପ୍ରଥମ ଦିନ ସେ ଦୋବଲ ବଜାର, ଧାମନଗର ବିଜ୍ଞାପିତ ଅଞ୍ଚଳ, ମେଡିକାଲ ଛକ, କୋଠାର ପଞ୍ଚାୟତ, ଅସୁରାଳି ବଜାର, ସହିଦନଗର ସ୍ଥିତ ଲୁଣିଆ ସହିଦ ପୀଠରେ ପ୍ରଚାର କରିବା ସହ ସହିଦ ସ୍ତମ୍ଭରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

ସେହିପରି ୨୯ ତାରିଖରେ ତିହିଡ଼ି ବ୍ଲକର ପାଳିଆବଜାର, ଦୋଳସାହି, ଗୁଆମାଳ, ବିଲଣା, ବୋଡ଼କ ପଞ୍ଚାୟତରେ ପ୍ରଚାର କରିଥିଲେ । ବିଜେପି ପ୍ରାର୍ଥୀ ସୂର୍ୟ୍ୟବଂଶୀ ସୂରଜଙ୍କ ପ୍ରତି ଥିବା ଅଭୂତପୂର୍ବ ଜନସମର୍ଥନକୁ ଲକ୍ଷ୍ୟ କରି ତାଙ୍କ ବିଜୟକୁ ନେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ବେଶ୍‌ ଆଶାବାଦୀ ଅଛନ୍ତି । ତେଣୁ ଦଳୀୟ ପ୍ରାର୍ଥୀଙ୍କ ବିଜୟ ସମ୍ଭାବନା ଓ ଦଳୀୟ କର୍ମୀଙ୍କ ଉତ୍ସାହ ବଢ଼ାଇବା ପାଇଁ ଶ୍ରୀ ପ୍ରଧାନ ପୁଣି ଥରେ ନିର୍ବାଚନ ପ୍ରଚାରରେ ଆସୁଥିବା ଜଣାପଡ଼ିଛି ।