ଦୁଇ ଦିନିଆ ୟୁଏଇ ଗସ୍ତରେ ଧର୍ମେନ୍ଦ୍ର

ଦୁଇ ଦିନିଆ ୟୁଏଇ ଗସ୍ତରେ ଧର୍ମେନ୍ଦ୍ର

ଦୁଇ ଦିନିଆ ୟୁଏଇ ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର : ଆଜି ଠାରୁ ଦୁଇ ଦିନିଆ ୟୁଏଇ ଗସ୍ତରେ ଯାଇଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ତାଙ୍କ ସହ ଉଚ୍ଚସ୍ତରୀୟ ସରକାରୀ ଅଧିକାରୀ ଓ ବ୍ୟବସାୟିକ ପ୍ରତିନିଧି ଦଳ ଏହି ଗସ୍ତରେ ସାମିଲ ହୋଇଛନ୍ତି । ଶ୍ରୀ ପ୍ରଧାନ ୟୁଏଇ ମନ୍ତ୍ରୀ ସୁଲତାନ ଅହମ୍ମଦ ଅଲ୍ ଜାବେରଙ୍କ ନିମନ୍ତ୍ରଣ କ୍ରମେ ଆସନ୍ତା ୧୧ ତାରିଖରେ ହେବାକୁ ଥିବା ଆବୁଧାବୀ ଅନ୍ତରାଷ୍ଟ୍ରୀୟ ପେଟ୍ରୋଲିୟମ୍ ପ୍ରଦର୍ଶନୀ ଓ ସମ୍ମିଳନୀ (ଆଡିପେକ୍)ରେ ଯୋଗ ଦେବେ । ସେହି ଦିନ ଏକ ମନ୍ତ୍ରୀ ସ୍ତରୀୟ ବୈଠକରେ ମଧ୍ୟ ସେ ଅଂଶଗ୍ରହଣ କରିବେ । ଶ୍ରୀ ପ୍ରଧାନ ଓ ୟୁଏଇ ମନ୍ତ୍ରୀ ମିଳିତ ଭାବେ ଏଫ୍ଆଇପିଆଇ, ଡିଜିଏଚ୍ ଓ ସିଆଇଆଇ ସହଯୋଗରେ ହୋଇଥିବା ଭାରତ ପ୍ୟାଭିଲିୟନକୁ ଉଦ୍ଘାଟନ କରିବେ । ଏହି ଅବସରରେ ଡିଜିଏଚ୍ ପକ୍ଷରୁ ଭାରତର ଅନ୍ୱେଷଣ ଓ ଉତ୍ପାଦନ ଏବଂ ତୈଳ ଓ ଗ୍ୟାସ କ୍ଷେତ୍ରରେ ବିଦେଶୀ ପୁଞ୍ଜିନିବେଶକୁ ଆକୃଷ୍ଟ କରିବା ପାଇଁ ଏକ ରୋଡ୍ ସୋ' ଆୟୋଜନ କରିବାର କାର୍ଯ୍ୟକ୍ରମ ରହିଛି । ଗସ୍ତ କାଳରେ ଶ୍ରୀ ପ୍ରଧାନ ସେଠାକାର ବିଭିନ୍ନ ବିଭାଗର ମନ୍ତ୍ରୀମାନଙ୍କୁ ଭେଟି ହାଇଡ୍ରୋକାର୍ବନ, ଇସ୍ପାତ କ୍ଷେତ୍ର ସମ୍ବନ୍ଧରେ ଆଲୋଚନା କରିବା ସହ ଭାରତ ଓ ୟୁଏଇ ମଧ୍ୟରେ ଚାଲୁଥିବା ସମସ୍ତ ବ୍ୟବସାୟିକ କାମ ଉପରେ ଚର୍ଚ୍ଚା କରିବେ । ସେହିପରି କେନ୍ଦ୍ର ମନ୍ତ୍ରୀ ଆଡିପେକ୍-୨୦୧୯ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଆନ୍ତର୍ଜାତିକ ଉର୍ଜା ସଂଗଠନର ମୁଖ୍ୟ ଏବଂ ବିଶ୍ୱ ତୈଳ ଓ ଗ୍ୟାସ୍ କମ୍ପାନିର ସିଇଓଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି । ମଧ୍ୟ ପୂର୍ବ ଦେଶଗୁଡ଼ିକରେ ଇସ୍ପାତ ଯୋଗାଣର ସମ୍ଭାବନା ଉପରେ ମଧ୍ୟ ଗୁରୁତ୍ୱାରୋପ କରିବାର କାର୍ଯ୍ୟକ୍ରମ ରହିଛି ।