ତାତିରେ ସିଝୁଛି ଓଡ଼ିଶା, ୯ ସ୍ଥାନରେ ତାପମାତ୍ରା ୪୩ ଡିଗ୍ରୀ ଉପରେ

ତାତିରେ ସିଝୁଛି ଓଡ଼ିଶା, ୯ ସ୍ଥାନରେ ତାପମାତ୍ରା ୪୩ ଡିଗ୍ରୀ ଉପରେ

ତାତିରେ ସିଝୁଛି ଓଡ଼ିଶା, ୯ ସ୍ଥାନରେ ତାପମାତ୍ରା ୪୩ ଡିଗ୍ରୀ ଉପରେ

ଭୁବନେଶ୍ୱର: ତାତିରେ ସିଝୁଛି ଓଡିଶା। ଅସହ୍ୟ ଗରମରେ ହନ୍ତସନ୍ତ ହେଉଛନ୍ତି ଜନଜୀବନ । ସକାଳ ୮ରୁ ବାଘ ଭଳିଆ ମାଡି ଆସୁଛି ଖରା । ଖରାର ମାତ୍ରା ବଢିବାରୁ ରାସ୍ତାଘାଟ ଚାରିଆଡ ଖାଁ ଖାଁ । ଏତେମାତ୍ରାରେ ଗରମ ହେଉଛି ଯେ, ନା ଘରେ ରହିହେଉଛି ନା ବାହାରକୁ ବାହାରି ହେଉଛି ।  ଆହୁରି ୫ ଦିନ କଲବଲ କରିପାରେ ଟାଣ ଖରା  । ଆଭ୍ୟନ୍ତରୀଣ ଓଡିଶାରେ ଆହୁରି ବଢିପାରେ ତାତି  ।

ଆଜି ୭ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର  । ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ଦେବଗଡ, ସୋନପୁର, ଅନୁଗୁଳ ଓ ବଲାଙ୍ଗୀର ଜିଲ୍ଲାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇପାରେ  । ୩୦ ତାରିଖ ଯାଏଁ ଏସବୁ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି  । ଗତକାଲି ସବୁଠୁ ଉତ୍ତପ୍ତ ସହର ହୋଇଥିଲା ବୌଦ୍ଧ ଜିଲ୍ଲା  । ବୌଦ୍ଧରେ ସର୍ବାଧିକ ତାପମାତ୍ରା ୪୪ ଦଶମିକ ୫ ଡିଗ୍ରୀ ରେକର୍ଡ କରାଯାଇଥିଲା  ।

ଝାରସୁଗୁଡାରେ ୪୩ ଦଶମିକ ୯ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା  । ୯ଟି ସ୍ଥାନର ତାପମାତ୍ରା ୪୩ ଡିଗ୍ରୀ ପାର କରିଥିଲା  । ସେହିପରି ୪୨ ଡିଗ୍ରୀ ଉପରେ ୧୪ ସହର ରହିଥିବା ବେଳେ ୪୦ ଡିଗ୍ରୀ ଉପରେ ୨୨ଟି ସହରର ତାପମାତ୍ରା ରେକର୍ଡ କରାଯାଇଥିଲା  । ଏପଟେ ଗତକାଲି ରାଜଧାନୀର ତାପମାତ୍ରା ସାମାନ୍ୟ କମ୍ ରହିଥିଲା  । ବର୍ତ୍ତମାନ ଉପକୂଳ ଓଡିଶାରୁ ଦକ୍ଷିଣା ପବନ ବହିବା ଆରମ୍ଭ କରିଛି  । ଫଳରେ ଉପକୂଳରେ ତାପମାତ୍ରା ଧୀରେ ଧୀରେ କମିବ ବୋଲି କୁହାଯାଉଛି  । ୨ ଦିନରେ ୨ ଡିଗ୍ରୀ ପର୍ୟ୍ୟନ୍ତ ତାପମାତ୍ରା ହ୍ରାସ ପାଇବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ।