ଡି.ପ୍ରକାଶ ରାଓ ସମାଜ ସେବା କରିବାର ସଫଳ ଉଦାହରଣ ଥିଲେ - ଧର୍ମେନ୍ଦ୍ର ପ୍ରଧାନ
ଡି.ପ୍ରକାଶ ରାଓ ସମାଜ ସେବା କରିବାର ସଫଳ ଉଦାହରଣ ଥିଲେ - ଧର୍ମେନ୍ଦ୍ର ପ୍ରଧାନ
admin
Jan 23, 2021 - 07:46
Updated: Jan 23, 2021 - 07:46
କଟକ, ଜାନୁଆରୀ ୨୩ – ଓଡ଼ିଶାର ବିଶିଷ୍ଟ ସମାଜସେବୀ ସ୍ୱର୍ଗତ ପଦ୍ମଶ୍ରୀ ଡି.ପ୍ରକାଶ ରାଓ ଓଡିଶାର ଗୌରବ ଥିଲେ ଏବଂ ଲମ୍ବା ସମୟ ଧରି ନିଜ ବେଉସାରୁ ପଇସା ବଂଚାଇ ସମାଜ ସେବା କରିବାର ଅନନ୍ୟ ସଫଳ ଉଦାହରଣ ତିଆରି କରିଥିଲେ ବୋଲି ଶନିବାର ସ୍ୱର୍ଗତ ରାଓଙ୍କ କଟକ ସ୍ଥିତ ବାସଭବନରେ ତାଙ୍କ ପରିବାର ଲୋକଙ୍କୁ ଭେଟି ସମବେଦନା ଜଣାଇବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ କହିଛନ୍ତି ଯେ ଏକାନ୍ତ ନିଷ୍ଠା ଓ ପରିଶ୍ରମ ବଳରେ ସ୍ୱର୍ଗତ ରାଓ ସମାଜର ଅସହାୟ ବର୍ଗର ଲୋକଙ୍କୁ ସାହାଯ୍ୟ କରିବା ସହ ନିଜ ପ୍ରଚେଷ୍ଟାରେ ଛାତ୍ରଛାତ୍ରୀଙ୍କୁ ମାଗଣା ଶିକ୍ଷାଦାନ କରାଉଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱର୍ଗତ ରାଓଙ୍କ ସମାଜିକ କାର୍ଯ୍ୟ ବିଷୟରେ ଅବଗତ ଥିଲେ ଓ ୨୦୧୮ ରେ ତାଙ୍କ କଟକ ଗସ୍ତ ସମୟରେ ବିଶେଷ ଭାବରେ ପ୍ରକାଶ ବାବୁଙ୍କୁ ଆମନ୍ତ୍ରିତ କରି ତାଙ୍କ ସହ ଆଲୋଚନା କରିଥିଲେ । ତାଙ୍କ କାମକୁ ପ୍ରଶଂସା କରିବା ସହ ପ୍ରଧାନମନ୍ତ୍ରୀ ପ୍ରକାଶ ରାଓଙ୍କୁ ଭାରତର ସର୍ବୋଚ୍ଚ ସମ୍ମାନ ‘ପଦ୍ମଶ୍ରୀ’ ସମ୍ମାନରେ ସମ୍ମାନିତ କରିଥିଲେ । ସ୍ୱର୍ଗତ ରାଓ ସଦାସର୍ବଦା ଓଡ଼ିଆଙ୍କ ପାଇଁ ପ୍ରେରଣା ହୋଇ ରହିବେ । ସମାଜରେ ଯୁବପିଢ଼ିମାନେ ରାତାରାତି ବଡ଼ ଲୋକ ହେବାର ସ୍ୱପ୍ନ ଦେଖନ୍ତୁ ନାହିଁ ବରଂ କଠିନ ପରିଶ୍ରମ ଓ ଅଧ୍ୟବସାୟ ବଳରେ ନିଜେ ବଡ଼ ହେବା ସହ ସମାଜରେ ଉଦାହରଣ ହେବାକୁ ସ୍ୱର୍ଗତ ରାଓ ପରାମର୍ଶ ଦେଉଥିଲେ । ତାଙ୍କର ଏହି ମହାନ ଚିନ୍ତାଧାରା ଆମ ସମସ୍ତଙ୍କ ପାଇଁ ସର୍ବଦା ସ୍ମରଣୀୟ ହୋଇରହିବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ।