ଡାହାଣୀ ହୋଇ ଲାଗୁଛନ୍ତି ଓ ଗୁଣିଆ ହୋଇ ଝାଡ଼ୁଛନ୍ତି ମୁଖ୍ୟମନ୍ତ୍ରୀ
ଡାହାଣୀ ହୋଇ ଲାଗୁଛନ୍ତି ଓ ଗୁଣିଆ ହୋଇ ଝାଡ଼ୁଛନ୍ତି ମୁଖ୍ୟମନ୍ତ୍ରୀ
admin
Dec 19, 2019 - 10:57
Updated: Dec 19, 2019 - 10:57
ଭୁବନେଶ୍ୱର - ଏନଆରସି ଓ ସିଏଏକୁ ନେଇ ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମନ୍ତବ୍ୟ ପରେ ତାଙ୍କୁ ଜଣେ ପରେ ଜଣେ ରାଜନେତା ସମାଲୋଚନା କରିବାରେ ଲାଗିଛନ୍ତି । ଗତକାଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ନବୀନଙ୍କୁ ସମାଲୋଚନା କରିଥିବାବେଳେ ଆଜି ବିଜେପି ନେତା ଗୋଲକ ମହାପାତ୍ର ସମାଲୋଚନା କରିଛନ୍ତି ।
ଶ୍ରୀ ମହାପାତ୍ର କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୋଟ ବ୍ୟାଙ୍କ ରାଜନୀତି ପାଇଁ ବ୍ୟଗ୍ର । ସିଏଏକୁ ହଁ ଓ ଏନଆରସିକୁ ନା ଭଳି ଦୋମୁହାଁ ନୀତି କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି । ମୁଖ୍ୟମନ୍ତ୍ରୀ ଡାହାଣୀ ହୋଇ ଲାଗୁଛନ୍ତି ଓ ଗୁଣିଆ ହୋଇ ଝାଡ଼ୁଛନ୍ତି । ତେବେ ସିଏଏ ଓ ଏନଆରସି ନେଇ ହେଉଥିବା ଅପପ୍ରଚାର ବିରୋଧରେ ଲୋକଙ୍କୁ ସଚେତନ ପାଇଁ ଉଦ୍ୟମ କରିବୁ ବୋଲି ଗୋଲକ ମହାପାତ୍ର କହିଛନ୍ତି । ବୁଧବାର ଏନଆରସି ଓ ସିଏଏକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ, ଭାରତୀୟ ନାଗରିକଙ୍କ ଉପରେ ସିଏଏର କିଛି ପ୍ରଭାବ ପଡ଼ିବନି । ସିଏଏ କେବଳ ବିଦେଶୀ ନାଗରିକଙ୍କ ପାଇଁ ପ୍ରଯୁଜ୍ୟ । ସିଏଏକୁ ଆମେ ସମର୍ଥନ କରୁଛୁ । ତେବେ ଆମେ ଏନଆରସିକୁ ସମର୍ଥନ କରୁନାହୁଁ । ଏନଆରସି ନେଇ ବିଜେଡି ଲୋକସଭା ଓ ରାଜ୍ୟସଭାରେ ସ୍ପଷ୍ଟ କରିଛି । ଏଥିସହ ଗୁଜବ ଉପରେ ବିଶ୍ୱାସ ନକରିବାକୁ ମୁଖ୍ୟମନ୍ତ୍ରୀ ଅପିଲ କରିଥିଲେ । ସେହିପରି ଶାନ୍ତି ବଜାୟ ରଖିବାକୁ ମୁଖ୍ୟମନ୍ତ୍ରୀ ଅପିଲ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଏହି ବୟାନ ପରେ ନିରଞ୍ଜନ ପଟ୍ଟନାୟକ କହିଥିଲେ ଯେ, ନୀବନ ପଟ୍ଟନାୟକ ୨୦ ବର୍ଷ ହେଲା ମୁଖ୍ୟମନ୍ତ୍ରୀ ରହିଲେଣି । ଆଉ କେତେ ଦିନ ମିଛ କଥା କହି ଭୁଆଁ ବୁଲାଇବେ । ସିଏଏ ଦ୍ୱାରା ଓଡ଼ିଶା ଲୋକେ ପ୍ରଭାବିତ ହେବେ ନାହିଁ ବୋଲି କହିବା ଡବଲ ଷ୍ଟାଣ୍ଡାର୍ଡ ବୋଲି ନିରଞ୍ଜନ ପଟ୍ଟନାୟକ କହିଥିଲେ ।