ଡାକ୍ତରଖାନା ଥିଲା ଘର, ପରଲୋକ ପରେ ଡାକ୍ତର ଦେଲେ ମୁଖାଗ୍ନି

ଡାକ୍ତରଖାନା ଥିଲା ଘର, ପରଲୋକ ପରେ ଡାକ୍ତର ଦେଲେ ମୁଖାଗ୍ନି

ଡାକ୍ତରଖାନା ଥିଲା ଘର, ପରଲୋକ ପରେ ଡାକ୍ତର ଦେଲେ ମୁଖାଗ୍ନି

ସମ୍ବଲପୁର, ୩୧।୮ (ଇମିସ): ଘରଲୋକ କରି ଦେଇଥିଲେ ପର। ମେଡିକାଲ୍ ମେଡିସିନ୍ ୱାର୍ଡ ପାଲଟିଥିଲା ଘର। ଡାକ୍ତର, ନର୍ସ ଓ କର୍ମଚାରୀ ସାଜିଥିଲେ ପରିବାର ସଦସ୍ୟ। ପକ୍ଷାଘାତରେ ପୀଡ଼ିତ ଜଣେ ଅସହାୟ ମହିଳାଙ୍କ ପରଲୋକ ପରେ ମୁଖାଗ୍ନି ଦେଲେ ଡାକ୍ତର। ଏମିତି ଏକ ପ୍ରଶଂସୀନୟ ଉଦାହରଣ ଘଟିଛି ସମ୍ବଲପୁର ବୁର୍ଲା ମେଡିକାଲ୍‌ କଲେଜରେ।  ଜଣେ ୪ ବର୍ଷ ଓ ଜଣେ ୩ ବର୍ଷରୁ ଅଧିକ ହେଲା ମହିଳା ମେଡିସିନ୍ ୱାର୍ଡ-୩ର ଦୁଇଟି ପାଖାପାଖି ଶଯ୍ୟାରେ ରହିଥିଲେ। ଡାକ୍ତର ଓ କର୍ମଚାରୀ ସେମାନଙ୍କ ଯତ୍ନ ନେଉଥିଲେ। ଔଷଧ ଓ ଚିକିତ୍ସା ସହ ସେମାନଙ୍କ ଖିଆପିଆ, ଲୁଗାପଟା କଥା ବି କର୍ମଚାରୀ ବୁଝୁଥିଲେ। ଡାକ୍ତରଖାନାରୁ ମିଳୁଥିବା ଖାଦ୍ୟ ଛଡ଼ା ରୋଗୀ ଦ୍ବୟ ଅନ୍ୟ କିଛି ଖାଇବାକୁ ଇଚ୍ଛା କଲେ ବହୁ ଶ୍ରଦ୍ଧାରେ ନିଜ ଖର୍ଚ୍ଚରୁ କିଣି ଆଣି ଖାଇବାକୁ ଦେଉଥିଲେ କର୍ମଚାରୀ। ରୋଗୀ ଦ୍ବୟଙ୍କୁ ଶାଢ଼ି, ପୋଷାକ ଆଦି କିଣି ପିନ୍ଧିବାକୁ ଦେଉଥିଲେ ଡାକ୍ତର। ରୋଗୀ ଦ୍ବୟ ମଧ୍ୟ ସମସ୍ତଙ୍କୁ ନିଜ ପୁଅଝିଅ ଭଳି ଦେଖୁଥିଲେ। କେହି ଯଦି ଡାକ୍ତରଖାନା ଛାଡ଼ି ଆଶ୍ରମକୁ ଯିବାକୁ କହୁଥିଲେ ସେମାନେ କାନ୍ଦି ପକାଉଥିଲେ। ମରିବା ଯାଏ ଡାକ୍ତରଖାନାରୁ ଅନ୍ୟ କୋଉଠିକୁ ନ ପଠାଇବାକୁ କାକୁତିମିନତି ହେଉଥିଲେ। ୩ ବର୍ଷରୁ ଅଧିକ ସମୟ ଡାକ୍ତରଖାନାକୁ ଘର କରି ରହିଥିବା ପୁଷ୍ପାଞ୍ଜଳି ବାଗ (୬୨)ଙ୍କର ଗତ ୨୮ ତାରିଖ ଦିନ ୧୦ଟା ୩୦ରେ ମୃତ୍ୟୁ ହୋଇଥିଲା। ମହିଳା ଦ୍ବୟଙ୍କ ନିୟମିତ ସେବା କରୁଥିବା ଡାକ୍ତର ଶଂକର ରାମଚନ୍ଦାନୀ ପୁଷ୍ପାଙ୍କ ଶେଷକୃତ୍ୟ କରିବାକୁ ପୁଲିସ୍କୁ ଅନୁମତି ମାଗିଥିଲେ। ପୁଲିସ୍ କିନ୍ତୁ ପ୍ରଥମେ ବୀରମହାରାଜପୁର ନିକଟସ୍ଥ ତାଙ୍କ ନିଜ ଗାଁକୁ ଖବର ପଠାଇଥିଲା। ହେଲେ ୩ ଦିନ ଧରି କେହି ମୃତଦେହ ନେବାକୁ ନ ଆସିବାରୁ ମଙ୍ଗଳବାର ଡା. ରାମଚନ୍ଦାନୀଙ୍କୁ ଶେଷକୃତ୍ୟ ପାଇଁ ଅନୁମତି ଦେଇଥିଲା। ସେ ବୁର୍ଲା ଶ୍ମଶାନକୁ ଶବ ନେଇ ନିଜେ ମୁଖାଗ୍ନି ଦେଇଥିଲେ। ସୂଚନାଯୋଗ୍ୟ, ପୁଷ୍ପା ୧୨ ଜୁଲାଇ ୨୦୧୮ରେ ଭିମସାର୍ରେ ଭର୍ତ୍ତି ହୋଇଥିଲେ।