ଟୁକୁନିଙ୍କୁ ଅଟକାଇପାରିବେ କି ବିରୋଧୀ ?
ଟୁକୁନିଙ୍କୁ ଅଟକାଇପାରିବେ କି ବିରୋଧୀ ?

ଧିରେଧିରେ ତତଲା ହେବାରେ ଲାଗିଲାଣି ଟିଟିଲାଗଡ଼ ରାଜନୀତି । ଦିନେ ଏହା ଥିଲା ଯୋଗେନ୍ଦ୍ର ବେହେରାଙ୍କ ଗଡ଼ । କିନ୍ତୁ ଏବେ ଟିଟିଲାଗଡ଼ ଟୁକୁନି ସାହୁଙ୍କ ଗଡ଼ରେ ପରିଣତ ହୋଇଛି । ପୂର୍ବରୁ ବିଜେଡ଼ି ଓ କଂଗ୍ରେସ ମଧ୍ୟରେ ସିଧାସଳଖ ଲଢେ଼ଇ ହେଉଥିଲା । ଏବେ କିନ୍ତୁ ବିଜେପି ସେଠାରେ ଦମ ଦେଖାଇବା ଆରମ୍ଭ କରିଛି । ସରକାରୀ ବିରୋଧୀ ଭୋଟ ବିଜେପି ଓ କଂଗ୍ରେସ ବାଂଟି ନେଉଥିବାରୁ, ସୁବିଧାଜନକ ସ୍ଥିତିରେ ରହିଛି ବିଜୁ ଜନତା ଦଳ । ତେବେ ପଂଚାୟତ ଓ ପୌର ନିର୍ବାଚନରେ ବିଜେପି ଭଲ ପ୍ରଦର୍ଶନ କରିଛି । ସାଧାରଣ ନିର୍ବାଚନ ପାଖେଇ ଆସୁଥିବାବେଳେ, ଟିଟିଲାଗଡ଼ରେ ବିଜେଡ଼ିକୁ ଅଟକାଇବ କିଏ ? ଏହି ପ୍ରଶ୍ନ ଏବେ ଟିଟିଲାଗଡ଼ ରାଜନୀତିକ ଅଳିନ୍ଦରେ ଘୂରିବୁଲୁଛି ।
ଆଜିକା ଦିନରେ ପଶ୍ଚିମ ଓଡ଼ିଶାର ପାୱାରଫୁଲ ନେତ୍ରୀ ହେଉଛନ୍ତି ଟୁକୁନି ସାହୁ । ଜଳସମ୍ପଦ ଏବଂ ବାଣିଜ୍ୟ ଓ ପରିବହନ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ସେ ମନ୍ତ୍ରୀ ଅଛନ୍ତି । ଟୁକୁନିଙ୍କ ଉପରେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କର ବି ଆସ୍ଥା ରହିଛି । ତେଣୁ ୨୦୨୪ରେ ତାଙ୍କୁ ପୁଣି ଟିଟିଲାଗଡ଼ରୁ ଟିକେଟ ମିଳିବା ନିଶ୍ଚିତ । ଗତ ୨୦୧୯ରେ ଟୁକୁନିଙ୍କୁ ୭୩ ହଜାରରୁ ଉଦ୍ଧ୍ୱର୍ ଭୋଟ ମିଳିଥିଲା । ଯେତେବେଳେକି କଂଗ୍ରେସ ନେତା ସୁରେନ୍ଦ୍ର ସିଂ ଭୋଇ ୫୩ ହଜାର ଭୋଟରେ ସନ୍ତୁଷ୍ଟ ରହିଥିଲେ । ଅପରପକ୍ଷରେ ବିଜେପି ପ୍ରାର୍ଥୀ ଅଶୋକ ଦୋରା ୪୭ ହଜାରରୁ ଉଦ୍ଧ୍ୱର୍ ଭୋଟ ପାଇଥିଲେ ।
ବିରୋଧୀ ଭୋଟ ଭାଗ ଭାଗ ହୋଇଯିବାରୁ ଟୁକୁନି ୨୦ ହଜାର ଭୋଟରେ ବାଜିମାତ କରିଥିଲେ । ୨୦୧୯ରେ ଜିତିବା ପରେ ଟୁକୁନି ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇଛନ୍ତି । ରାଜ୍ୟ ରାଜନୀତିରେ ତାଙ୍କର କ୍ଷମତା ବଢ଼ିଥିଲେବି ଟିଟିଲାଗଡ଼ରେ ସଂଗଠନ କିନ୍ତୁ ଦୋହଲି ଯାଇଛି । ଟିଟିଲାଗଡ଼ ମୁନିସପାଲଟିରେ ବିଜେଡ଼ିକୁ ହରାଇବାରେ ସକ୍ଷମ ହୋଇଛି ବିଜେପି । ଏବେ ଟିଟିଲାଗଡ଼ ପୌରାଧ୍ୟକ୍ଷା ମମତା ଜୈନଙ୍କ ସ୍ୱାମୀ ନବୀନ ଜୈନ ବିଜେପିର ସଂଗଠନ କରୁଛନ୍ତି । ଟିଟିଲାଗଡ଼ ମୁନିସପାଲଟି ସହ ଗୁଡ଼ଭେଲା, ସଇଁତଳା ଓ ତୁଷରାରେ ବି ତାଙ୍କର ସଂଗଠନ ରହିଛି । ସେହିପରି ୨୦୧୯ର ବିଜେପି ପ୍ରାର୍ଥୀ ଅଶୋକ ଦୋରାଙ୍କ ପତ୍ନୀ ବେବି ଦୋରା ଏବେ ବ୍ଲକ ଅଧ୍ୟକ୍ଷ ଅଛନ୍ତି । ନବୀନ ଜୈନ ଓ ଅଶୋକ ଦୋରାଙ୍କ ଭଳି ବିଜେପି ଟିକେଟ ଦୌଡ଼ରେ ମୁକେଶ ଜୈନ ବି ରହିଛନ୍ତି ।
ଗାଏମୋଟ ଦେଖିଲେ ବିଜେପିର ସ୍ଥିତି, ପୂର୍ବ ତୁଳନାରେ ମଜବୁତ ରହିଛି । ସେପଟେ କଂଗ୍ରେସ ବି ପଛରେ ପଡ଼ିନାହିଁ । ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସର ଜଣେ ଟାଣୁଆ ନେତା । ବିଜେଡ଼ି ଓ ବିଜେପିର ହାୱା ସତ୍ୱେ ଗଲା ନିର୍ବାଚନରେ ଭଲ ଫାଇଟ ଦେଇଥିଲେ ସୁରେନ୍ଦ୍ର । ୨୦୨୪ରେ ବି ତାଙ୍କୁ କଂଗ୍ରେସ ଟିକେଟ ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି । ଆଗାମୀ ନିର୍ବାଚନରେ ଟିଟିଲାଗଡ଼ରେ ନୂଆ ସମୀକରଣ ସୃଷ୍ଟିହେବାର ସମ୍ଭାବନା ଅଛି । ବିଜେଡ଼ି ବିରୋଧୀ ଭୋଟ ଗୋଟିଏ ଦିଗରେ ଗଲେ, ଟୁକୁନିଙ୍କ ଚଉକି ଟଳମଳ ହେବାର ଆଶଙ୍କା ରହିଛି । ବିଜେପିରେ ଏବେ ଗଦାଗଦା ଆଶାୟୀ ଅଛନ୍ତି । ଯଦି ବିଜେପି ନେତାମାନେ ମିଳିତ ଭାବେ ଲଢ଼ନ୍ତି ତେବେ ବିଜେଡ଼ିର ଅଙ୍କ ଭୁଲ ହୋଇଯିବ ବୋଲି କୁହାଯାଇପାରିବ ।