ଟିକାକରଣ କେନ୍ଦ୍ରରେ ଚିରିଦେଲେ ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟର
ଟିକାକରଣ କେନ୍ଦ୍ରରେ ଚିରିଦେଲେ ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟର
ଭୁବନେଶ୍ୱର: ରାଜ୍ୟରେ କରୋନାର ଦ୍ୱିତୀୟ ଲହର ହଇଚଇ କରିଦେଇଥିବାବେଳେ ଆଗକୁ ତୃତୀୟ ଲହର ଆସୁଛି । ଯାହା ପାଇଁ ସମସ୍ତେ ଚିନ୍ତିତ । ତେଣୁ ଟିକାକରଣ ପ୍ରକି୍ରୟାକୁ ତ୍ୱରାନ୍ୱିତ କରାଯାଇଛି । ତେବେ ଟିକାକରଣ କେନ୍ଦ୍ରରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ନରହିବାକୁ ନେଇ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ତୁମୁଳକାଣ୍ଡ ଘଟିଛି । ଟିକାକରଣ କେନ୍ଦ୍ରରେ କେବଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋ ରଖାଯିବାକୁ ବିଜେପି କର୍ମୀ ବିରୋଧ କରିଛନ୍ତି । ଏପରିକି ଅନୁଗୁଳରେ ଏକ ଟିକାକରଣ କେନ୍ଦ୍ରରେ ଥିବା ନବୀନଙ୍କ ଫଟୋ ଚିରାକୁ ନେଇ ରାଜନୀତି ଜୋର ଧରିଛି ।
ଅନୁଗୁଳରେ ଟିକାକରଣ ପୋଷ୍ଟରକୁ ନେଇ ବିରୋଧ କରିଛନ୍ତି ବିଜେପି କର୍ମୀ । କୋଭିଡ ଟିକାକରଣ କେନ୍ଦ୍ରରେ ଲାଗିଥିବା ନବୀନଙ୍କ ବିଭିନ୍ନ ପୋଷ୍ଟର ଚିରିବା ସହ ପ୍ରଧାନମନ୍ତ୍ରୀ ମୋଦିଙ୍କ ପୋଷ୍ଟର ଲଗାଯାଉ ବୋଲି ପାଟିତୁଣ୍ଡ କରିଥିଲେ । ଟିକାକରଣ କେନ୍ଦ୍ରରେ ପ୍ରାୟ ୧୫ ମିନିଟ୍ ଧରି ଏଭଳି ବିଶୃଙ୍ଖଳା ସୃଷ୍ଟିଥିଲେ । ତେବେ ପୋଲିସ ପହଞ୍ଚିବା ପୂର୍ବରୁ କିଛି କର୍ମୀ ସେଠାରୁ ଚାଲି ଯାଇଥିଲେ । ତେବେ ବିଜେପି କର୍ମୀଙ୍କ ଏଭଳି ବିଶୃଙ୍ଖଳା ଯୋଗୁଁ ବର୍ତମାନ ପାଇଁ ଟିକାକରଣ ବନ୍ଦ କରାଯାଇଛି । ପ୍ରାୟ ଦେଢ ମାସ ଧରି ଅନୁଗୁଳ ଷ୍ଟାଡିୟମରେ ଚାଲିଥିବା ବେଳେ ଆଜି ହଜାର ଲୋକଙ୍କ ପାଇଁ ଟିକାକରଣ ବ୍ୟବସ୍ଥା କରାଯାଇଥିଲା ।
ଅନ୍ୟପଟେ ବାଲେଶ୍ୱରରେ ଟିକାକରଣକୁ ନେଇ ମଧ୍ୟ ଉତ୍ତେଜନା ଦେଖିବାକୁ ମିଳିଛି । ଗାନ୍ଧୀ ସ୍ମୃତି ଟିକାକରଣ କେନ୍ଦ୍ରରେ ନବୀନ ପଟ୍ଟନାୟକଙ୍କ ଫଟୋକୁ ନେଇ ବିଜେପି କର୍ମୀ ପ୍ରତିବାଦ କରିଛନ୍ତି । କେନ୍ଦ୍ର ଟିକା ଦେଉଥିବା ବେଳେ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟର କାହିଁକି ରହିବ ବୋଲି ପ୍ରଶ୍ନ କରିବା ସହ ସେମାନେ ମୋଦିଙ୍କ ଫଟୋ ନେଇ ଟିକାକରଣ କେନ୍ଦ୍ରରେ ରଖିବା ପରେ ଉତେଜନା ସୃଷ୍ଟି ହୋଇଛି ।




admin 