ଝଲସିବ ମା’ କଟକ ଚଣ୍ଡୀଙ୍କ ପୀଠ

ଝଲସିବ ମା’ କଟକ ଚଣ୍ଡୀଙ୍କ ପୀଠ

ଝଲସିବ ମା’ କଟକ ଚଣ୍ଡୀଙ୍କ ପୀଠ

କଟକ: ଆଗକୁ ଝଲସିବ ମା’ କଟକ ଚଣ୍ଡୀଙ୍କ ପୀଠ । ଚକାଚକ ହେବ ମନ୍ଦିର ପରିସର ଓ ଚାରିପାଶ୍ୱର୍ । ନବକଳେବର ହେବ କଟକର ଆରାଧ୍ୟ ଦେବୀ ମା’ ଚଣ୍ଡୀଙ୍କ ପୀଠର । ଏହି ଯୋଜନାକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିପାଇଁ ଖର୍ଚ୍ଚ ହେବ ୭୦ କୋଟି ଟଙ୍କା । ଏଥିରେ ଭକ୍ତମାନଙ୍କ ପାଇଁ ବିଭିନ୍ନ ସୁବିଧା ସୁଯୋଗ ବ୍ୟବସ୍ଥା କରାଯିବ । ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିବା ଲାଗି ବ୍ୟାପକ ନୂଆ ବ୍ୟବସ୍ଥା ହେବ ।୫-ଟି ଯୋଜନାରେ ଏସବୁ କାର୍ଯ୍ୟ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ପୂର୍ତ୍ତ ବିଭାଗ ପକ୍ଷରୁ ଓବିସିସି ଏ ଯୋଜନାକୁ କାର୍ଯ୍ୟକାରୀ କରିବ । 

  ପୂରା ଯୋଜନାଟି ଏଭଳି-ମନ୍ଦିର ଚାରିପାଶ୍ୱର୍ରେ ପଥର ପାଚେରି ନିର୍ମାଣ ହେବ । ଚାରି ଦିଗରେ ୪ଟି ଦ୍ୱାରା ରହିବ । ମନ୍ଦିର ପରିସରରେ ନୂଆ ଜଗମୋହନ, ଯଜ୍ଞ ମଣ୍ଡପ, ଚଣ୍ଡୀପାଠ ମଣ୍ଡପ, ମୁଣ୍ଡନ ମଣ୍ଡପ, ହନୁମାନ ମନ୍ଦିର ଓ ନୂଆ ରୋଷ ଘର ନିର୍ମାଣ ହେବ । ମନ୍ଦିର ପରିସରରେ ଖଣ୍ଡାଲାଇଟସ ପଥର ବିଛାଯିବ । ଆଲୋକିକରଣ ସହ ସିସିଟିଭି ବ୍ୟବସ୍ଥା ରହିବ । ବାଟମଙ୍ଗଳା ମନ୍ଦିର ମଧ୍ୟ ପୁନଃ ନିର୍ମାଣ କରାଯିବ । ପୋଲିସ କଂଟ୍ରୋଲ ରୁମ୍ ରହିବ । ପ୍ରସାଦ ସେବନ ବ୍ୟବସ୍ଥା, ପାନୀୟ ଜଳ ବ୍ୟବସ୍ଥା, ବ୍ୟାଖ୍ୟାନ କେନ୍ଦ୍ର କରାଯିବ । ଯାତ୍ରୀ ନିବାସ ବି ରହିବ । ୧୮ଟି ଦୋକାନ ହେବ ବିସ୍ଥାପିତ ବ୍ୟବସାୟୀଙ୍କ ପାଇଁ । ପାର୍କିଂ ପାଇଁ ଖୋଲା ସ୍ଥାନ ରହିବ । ସୌନ୍ଦର୍ଯ୍ୟକରଣ ପାଇଁ ଘାସ ଗାଲିଚା କରାଯିବ । ମନ୍ଦିର ନିକଟରେ ଭାରୀଯାନ ନିୟନ୍ତ୍ରଣ କରାଯିବ । ଏଥିପାଇଁ ଚଣ୍ଡୀ ମନ୍ଦିର ସମ୍ମୁଖ ରାସ୍ତାକୁ ଡାଇଭଟ କରାଯିବ । ଜଳ ନିଷ୍କାସନ ପାଇଁ ମନ୍ଦିର ଚଟାଣକୁ ଉଚ୍ଚା କରାଯିବ । ନିକଟରେ ୫-ଟି ସଚିବ ଭି.କେ.ପାଣ୍ଡିଆନ ଏହି ଶକ୍ତିପୀଠ ଦର୍ଶନ କରିବା ସହ ଏହାର ବିକାଶ ନେଇ ଯୋଜନା କରିଥିଲେ । ଏହାପରେ କଟକ ଚଣ୍ଡୀ ମନ୍ଦିର ପାଇଁ ମେଗା ଯୋଜନା ପ୍ରସ୍ତୁତ କରାଯାଇଛି ।