ଜୱାଦ କ୍ଷତିଗ୍ରସ୍ତ ଚାଷୀଙ୍କ ପାଇଁ ୫୦୭ କୋଟି
ଜୱାଦ କ୍ଷତିଗ୍ରସ୍ତ ଚାଷୀଙ୍କ ପାଇଁ ୫୦୭ କୋଟି
admin
Dec 27, 2021 - 15:34
Updated: Dec 27, 2021 - 15:34
ଭୁବନେଶ୍ଵର: ଚଳିତ ଡିସେମ୍ବର ୪ ଓ ୫ ତାରିଖ ଦୁଇ ଦିନ ଧରି ସଂଗଠିତ ହୋଇଥିବା ବାତ୍ୟା ଜୱାଦ ଦ୍ବାରା କ୍ଷତିଗ୍ରସ୍ତ ଚାଷୀ ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫୦୭ କୋଟି ଟଙ୍କାର ସ୍ବତନ୍ତ୍ର ସହାୟତା ଘୋଷଣା କରିଛନ୍ତି ।
୩୩ ପ୍ରତିଶତ ଫସଲ ନଷ୍ଟ ହୋଇଥିବା କ୍ଷୁଦ୍ର ଓ ନାମମାତ୍ର ଚାଷୀ ମାନଙ୍କୁ ବର୍ଷାଜଳ ଉପରେ ନିର୍ଭର କରୁଥିବା ଜମି ପାଇଁ ହେକ୍ଟର ପିଚ୍ଛା ୬୮୦୦ ଟଙ୍କା, ଜଳସେଚିତ ଅଞ୍ଚଳ ପାଇଁ ହେକ୍ଟର ପିଚ୍ଛା ୧୩,୫୦୦ ଟଙ୍କା ଏବଂ ଆମ୍ବ, କାଜୁ, ନଡିଆ, ପାନବରଜ, କିଆ ଆଦି ସବୁଦିନିଆ ଫସଲ ନିମନ୍ତେ ହେକ୍ଟର ପିଚ୍ଛା ୧୮ ହଜାର ଟଙ୍କା ସହାୟତା ଦିଆଯିବ ।
ସବୁଦିନିଆ ଫସଲ କ୍ଷତି ପାଇଁ ଇନପୁଟ ସବସିଡି ଭାବରେ ଚାଷୀଙ୍କୁ ସର୍ବନିମ୍ନ ୨୦୦୦ ଟଙ୍କା ଓ ଅନ୍ୟ ଫସଲ ପାଇଁ ୧୦୦୦ ଟଙ୍କା ଦିଆଯିବ।
କ୍ଷତିଗ୍ରସ୍ତ ୧୨ଟି ଜିଲ୍ଲାର ଚାଷୀମାନଙ୍କୁ ୧୨ ହଜାର କ୍ବିଣ୍ଟାଲ ପ୍ରମାଣୀକୃତ ଉଚ୍ଚମାନର ବିହନ ରିହାତି ଦରରେ ଯୋଗାଇ ଦିଆଯିବ ଏବଂ ବର୍ତ୍ତମାନ ରିହାତି ପରିମାଣର ଅତିରିକ୍ତ ୨୫ ପ୍ରତିଶତ ଡିବିଟି ଜରିଆରେ ୨୦୨୧-୨୨ ରବି ଫସଲ ପାଇଁ ଦିଆଯିବ । କ୍ଷତିଗ୍ରସ୍ତ ଜିଲ୍ଲାର ଚାଷୀ ମାନଙ୍କୁ ୫୦ ହଜାର ଡାଲି ଜାତୀୟ ବିହନ ମିନି କିଟ୍ ଯୋଗାଇ ଦିଆଯିବ । ଏହାସହିତ ୪ ଲକ୍ଷ ପରିବା ବିହନ ମିନିକିଟ୍ ମାଗଣାରେ ଯୋଗାଇ ଦିଆଯିବ ।
ଫଳ ଓ ପନିପରିବା ଚାଷ କରୁଥିବା ସ୍ବୟଂ ସହାୟକ ଗୋଷ୍ଠୀର ଏକ ଲକ୍ଷ ସଦସ୍ୟଙ୍କୁ ପ୍ଲାଷ୍ଟିକ ଜାଲି ବାକ୍ସ (Crate) ଯୋଗାଇ ଦିଆଯିବ। ପ୍ରତି ସଦସ୍ୟଙ୍କୁ ୯୦ ପ୍ରତିଶତ ରିହାତିରେ ୫ ଗୋଟି କ୍ରେଟ ଯୋଗାଇ ଦିଆଯିବ। ଯାହାଦ୍ବାରା ଫଳ ଓ ପରିବାର ଅମଳ ପରବର୍ତ୍ତୀ କ୍ଷତି କମ୍ କରାଯାଇପାରିବ । ଏକ ଲକ୍ଷ ଚାଷୀଙ୍କୁ ସେମାନଙ୍କ ଘର ପଛ ବଗିଚାରେ ଲଗାଇବା ପାଇଁ ମାଗଣାରେ ପ୍ରତ୍ୟେକଙ୍କୁ ୧୦ ଗୋଟି ଫଳ ଚାରା ଯୋଗାଇ ଦିଆଯିବ ।
ଏକ ଲକ୍ଷ ଚାଷୀଙ୍କୁ ହାଇବ୍ରିଡ ପରିବା ଚାଷ ପାଇଁ ସହାୟତା ଦିଆଯିବ। ପ୍ରତି ଚାଷୀଙ୍କୁ ୦.୨୦ ହେକ୍ଟର ପାଇଁ ୪୦୦୦ ଟଙ୍କା ଲେଖାଏ ସହାୟତା ମିଳିବ ।
କ୍ଷତିଗ୍ରସ୍ତ ଜିଲ୍ଲାମାନଙ୍କର ଚାଷୀ ମାନଙ୍କୁ କୃଷି ଯାନ୍ତ୍ରିକୀକରଣ ନିମନ୍ତେ ୫୦ କୋଟି ଟଙ୍କାର ରିହାତି ଦିଆଯିବ । ଏହା DBT ଜରିଆରେ ପ୍ରଦାନ କରାଯିବ। କ୍ଷତିଗ୍ରସ୍ତ ଅଞ୍ଚଳରେ ୫୦୦୦ ପମ୍ପସେଟ୍ ୫୦ ପ୍ରତିଶତ ରିହାତିରେ ଯୋଗାଇ ଦିଆଯିବ । ଏଥିପାଇଁ ରିହାତିର ସର୍ବୋଚ୍ଛ ପରିମାଣ ୧୦ ହଜାର ଟଙ୍କା ଦିଆଯିବ ।
କ୍ଷତିଗ୍ରସ୍ତ ଚାଷୀଙ୍କୁ ୫୦ ପ୍ରତିଶତ ରିହାତିରେ ୫୦୦୦ ସ୍ପ୍ରେୟର (ସିଞ୍ଚନ ଯନ୍ତ୍ର) ଯୋଗାଇ ଦିଆଯିବ । ପାୱାର ସ୍ପ୍ରେୟର କ୍ଷେତ୍ରରେ ସର୍ବାଧିକ ୩୮୦୦ ଟଙ୍କା ଏବଂ ହସ୍ତଚାଳିତ ସ୍ପ୍ରେୟର କ୍ଷେତ୍ରରେ ସର୍ବାଧିକ ୭୫୦ ଟଙ୍କା ଦିଆଯିବ ।
ରୋଗପୋକ ନିୟନ୍ତ୍ରଣ ପାଇଁ କ୍ଷତିଗ୍ରସ୍ତ ଚାଷୀ ମାନଙ୍କ ପାଇଁ ମଧ୍ୟ ଏହି ପ୍ୟାକେଜରେ ବ୍ୟବସ୍ଥା ରଖାଯାଇଛି । ଏଥିପାଇଁ ରିହାତି ଚାଷୀଙ୍କୁ DBT ଜରିଆରେ ପ୍ରଦାନ କରାଯିବ । ସମୁଦାୟ ୧୬ ହଜାର ହେକ୍ଟର ଜମି ପାଇଁ ଏହି ସହାୟତା ବ୍ୟବାସ୍ଥା କରାଯିବ ।
୩୩ ପ୍ରତିଶତ ବା ତାଠାରୁ ଧିକ ଫସଲ କ୍ଷତି ହୋଇଥିବା ଅଞ୍ଚଳରେ ଦିଆଯାଇଥିବା ସ୍ବଳ୍ପମିଆଦୀ ଋଣକୁ ମଧ୍ୟମ ମିଆଦୀ ଋଣରେ ପରିଣତ କରାଯିବ। ସେହିପରି ଆସନ୍ତା ରବି ଋତୁ ପାଇଁ ଚାଷୀମାନେ ଯେପରି ସୁବିଧାରେ ଫସଲ ଋଣ ଓ କୃଷି ଋଣ କରିପାରିବେ, ସେଥିପାଇଁ ଆନୁଷ୍ଠାନିକ ଆର୍ଥିକ ସଂସ୍ଥା ଦ୍ବାରା ସହାୟତାର ବ୍ୟବସ୍ଥା କରାଯିବ । ଭାଗଚାଷୀ ମାନେ ଯେପରି ରବି ଋତୁରେ ସୁବିଧାରେ ଋଣ ପାଇପାରିବେ, ସେଥିପାଇଁ Joint Liability Group ଗଠନ ପାଇଁ ତ୍ବରିତ ପଦକ୍ଷେପ ନିଆଯିବ।
ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ପଞ୍ଜୀକୃତ ଚାଷୀମାନେ ଯେପରି ତାଙ୍କ କ୍ଷତିପୂରଣ ଶୀଘ୍ର ପାଇପାରିବେ, ସେଥିପାଇଁ ଅମଳ ପରବର୍ତ୍ତୀ କ୍ଷତିର ତୁରନ୍ତ ଆକଳନ ନିମନ୍ତେ ପଦକ୍ଷେପ ନିଆଯିବ ଏବଂ Crop Cutting Experiement ମଧ୍ୟ ଶୀଘ୍ର ଶେଷ କରାଯିବ । ବାତ୍ୟା ଜୱାଦ ଜନିତ ବର୍ଷାରେ କ୍ଷତିଗ୍ରସ୍ତ ଚାଷୀ ମାନେ ଯେପରି ରବି ଫସଲ ପାଇଁ ତୁରନ୍ତ ଋଣ ସହାୟତା ପାଇପାରିବେ, ସେ ଦିଗରେ ମଧ୍ୟ ପଦକ୍ଷେପ ନିଆଯିବ ।