ଜ୍ୱାଇଁର ଟାଙ୍ଗିଆ ଚୋଟରେ ଶ୍ୱଶୁର ମୃତ

ଜ୍ୱାଇଁର ଟାଙ୍ଗିଆ ଚୋଟରେ ଶ୍ୱଶୁର ମୃତ

ଜ୍ୱାଇଁର ଟାଙ୍ଗିଆ ଚୋଟରେ ଶ୍ୱଶୁର ମୃତ

କାମାକ୍ଷାନଗର:ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ପଙ୍ଗାତିରା ଗାଁରେ  ଜ୍ୱାଇଁର ଟାଙ୍ଗିଆ ଚୋଟରେ ଶ୍ୱଶୁରର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି।  ମୃତ ବ୍ୟକ୍ତି ଜଣଙ୍କ ହେଲେ ପଙ୍ଗାତିରା ଗାଁର ପର୍ଶୁରାମ ବାରିକ। ଜ୍ୱାଇଁ ରମଣ ବେହେରା ହତ୍ୟାକାଣ୍ଡ ପରେ ଫେରାର ହୋଇଯାଇଛନ୍ତି।
୧୦ ବର୍ଷ ତଳେ ପର୍ଶୁରାମଙ୍କ ଝିଅ ସେହି ଗାଁର ରମଣ ବେହେରାଙ୍କୁ ପ୍ରେମ ବିବାହ କରିଥିଲେ। ପର୍ଶୁରାମ ଜ୍ୱାଇଁଙ୍କୁ ଯୌତୁକ ବାବଦକୁ ୩୦ ହଜାର ଟଙ୍କା ଦେଇଥିଲେ। ତେବେ ଅଧିକ ଯୌତୁକ ଟଙ୍କା ଆଣିବାକୁ ରମଣ ତାଙ୍କ ସ୍ତ୍ରୀଙ୍କୁ ବାଧ୍ୟ କରୁଥିଲେ। ଏନେଇ ଉଭୟ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ଲାଗି ରହୁଥିଲା। ସେମାନଙ୍କୁ ପର୍ଶୁରାମ ସବୁବେଳେ ବୁଝାଇ ଆସୁଥିଲେ।

ଅଭିଯୋଗ ଅନୁଯାୟୀ, ରମଣ ତାଙ୍କ ସ୍ତ୍ରୀଙ୍କୁ ହତ୍ୟା କରିବାକୁ ଯୋଜନା କରୁଥିଲେ। ତାଙ୍କ ସ୍ତ୍ରୀ ଏକଥା ଜାଣିପାରିଥିଲେ। ଏନେଇ ସେ ତାଙ୍କ ବାପ ଘରକୁ ଲୋକଙ୍କୁ ଖବର ଦେଇଥିଲେ। ଖବର ପାଇ ପର୍ଶୁରାମ ଝିଅ ଘରକୁ ଆସିଥିଲେ। ଏହି କଥାକୁ ନେଇ ଗତକାଲି ରାତିରେ ଶ୍ୱଶୁର ଓ ଜ୍ୱାଇଁ ମଧ୍ୟରେ ଝଗଡ଼ା ହୋଇଥିଲା। ଆଉ ରମଣ ଉତ୍‌କ୍ଷିପ୍ତ ହୋଇ ପର୍ଶୁରାମଙ୍କୁ ଟାଙ୍ଗିରେ ହାଣି ହତ୍ୟା କରିଥିଲା। ଘଟଣାସ୍ଥଳରେ ପର୍ଶୁରାମଙ୍କ ମୃତ୍ୟୁ ଘଟିଥିଲା। ପୁଲିସ ହତ୍ୟାରେ ବ୍ୟବହୃତ ଟାଙ୍ଗିଆକୁ ଜବତ କରି ଘଟଣାର ତଦନ୍ତ କରୁଛି ଓ ଫେରାର ରମଣ ବେହେରାଙ୍କୁ ଖୋଜୁଛି।