ଜୁନ ୧, ୨ରେ ପିସିସି ଚିନ୍ତନ ଶିବିର
ଜୁନ ୧, ୨ରେ ପିସିସି ଚିନ୍ତନ ଶିବିର

ଭୁବନେଶ୍ୱର: ପିସିସି ସଭାପତି ହେବା ପରେ ରାଜ୍ୟ କଂଗ୍ରେସକୁ ପୁଣି ଥରେ ଛିଡ଼ା କରିବାକୁ କମର କଷିଛନ୍ତି ଶରତ ପଟ୍ଟନାୟକ । ବ୍ରଜରାଜନଗର ଉପନିର୍ବାଚନ ପ୍ରଚାର ସରିବା ସହ ୨୦୨୪ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି କଂଗ୍ରେସ । ଏଥିପାଇଁ ରଣନୀତି ପ୍ରସ୍ତୁତ କରିବା ସହ ୨ ବର୍ଷିଆ ଖସଡ଼ା ପ୍ରସ୍ତୁତ ଲାଗି କଂଗ୍ରେସ କରିବ ଦୁଇଦିନିଆ ମାନସ ମନ୍ଥନ । ଆସନ୍ତା ଜୁନ୍ ୧ ଓ ୨ ତାରିଖରେ ଭୁବନେଶ୍ୱରରେ ହେବ ପିସିସି ନବସଂକଳ୍ପ ଶିବିର ।
ପ୍ରଥମ ଦିନରେ (ଜୁନ୍ ୧) ପିସିସି ସଭାପତିଙ୍କ ସହ ଦଳର ସାଂସଦ, ବିଧାୟକ, ପୂର୍ବତନ ପିସିସି ସଭାପତି, ପୂର୍ବତନ ସିଏଲପି ମୁଖ୍ୟ, ପୂର୍ବତନ ସାଂସଦ, ପୂର୍ବତନ ବିଧାୟକ, ୨୦୧୯ର ସମସ୍ତ ବିଧାୟକ ପ୍ରାର୍ଥୀ, ସାଂସଦ ପ୍ରାର୍ଥୀ, ଏଆଇସିସି କର୍ମକର୍ତ୍ତା, ପୂର୍ବତନ କର୍ମକର୍ତ୍ତା, ପିସିସି ସଭ୍ୟ, ଜିଲ୍ଲା କଂଗ୍ରେସ ସଭାପତି, ରାଜ୍ୟ ସାମ୍ମୁଖ୍ୟ, ବିଭିନ୍ନ ବିଭାଗ ଓ ପ୍ରକୋଷ୍ଠର ମୁଖ୍ୟମାନେ ଏକାଠି ହେବେ । ଦ୍ୱିତୀୟ ଦିନରେ ପୂର୍ବତନ ପିସିସି ସଭାପତି, ଏଆଇସିସି ସମ୍ପାଦକ, ଜିଲ୍ଲା ସଭାପତି, ବ୍ଲକ ଓ ନଗର କଂଗ୍ରେସ କମିଟି ସଭାପତି ଉପସ୍ଥିତ ରହି ଆଲୋଚନା କରିବେ । ପିସିସି ସଭାପତି ଶରତଙ୍କ ଅଧ୍ୟକ୍ଷତାରେ ଦଳର ଏହି ଦୁଇଦିନିଆ ମାନସ ମନ୍ଥନ ବା କର୍ମଶାଳା ଅନୁଷ୍ଠିତ ହେବ ଭୁବନେଶ୍ୱରର ଇନଷ୍ଟିଚୁ୍ୟଟ ଅଫ୍ ଇଂଜିନିୟର ସମ୍ମିଳନୀ କେନ୍ଦ୍ରରେ । ଦୁଇଦିନିଆ କର୍ମଶାଳାରେ କଂଗ୍ରେସ ଖୋଜିବ ପରାଜୟ ଓ ବିଫଳତାର କାରଣ । ୨୦୨୪ ପାଇଁ ପ୍ରସ୍ତୁତ ହେବ ରୋଡମ୍ୟାପ । ସଭିଏ ରଖିବେ ନିଜର ମତାମତ । ଏହାକୁ ନେଇ ଆଗେଇ କଂଗ୍ରେସ ।
୨୦୦୦ ମସିହା ନିର୍ବାଚନ ପରଠାରୁ ରାଜ୍ୟରେ କଂଗ୍ରେସ ଦୁର୍ବଳ ହୋଇ ଚାଲିଛି । ଏହି ୨୨ ବର୍ଷରେ ବାରମ୍ବାର ପିସିସି ସଭାପତି ବଦଳିଛନ୍ତି । ମାତ୍ର କଂଗ୍ରେସ କିଛି ସୁଫଳ ପାଇନାହିଁ । ସବୁଥର ପ୍ରଦର୍ଶନ ପୂର୍ବଥରଠାରୁ ଖରାପ ରହିଛି । ତେବେ ଶରତ ଦଳକୁ ସଂଜୀବନୀ ଦେଇ ପୁଣି ଥରେ ଛିଡ଼ା କରିପାରିବେ କି ନାହିଁ, ତାହା ଆଗାମୀଦିନରେ ଜଣାପଡ଼ିବ ।
ନିକଟରେ ଜାତୀୟସ୍ତରରେ ୪୦୦ ନେତାଙ୍କୁ ନେଇ ଏଆଇସିସି ରାଜସ୍ଥାନର ଉଦୟପୁରରେ ତିନି ଦିନିଆ ନବ ସଂକଳ୍ପ ଶିବିର ବା ଚିନ୍ତନ ଶିବିର ଆୟୋଜନ କରିଥିଲେ । ଏଆଇସିସିର ଏହି ଶିବିର ଢାଞ୍ଚାରେ ଏବେ ପିସିସି ବି ଆଗାମୀ ୨୦୨୪ ପାଇଁ ରାଜ୍ୟସ୍ତରୀୟ ଶିବିର ଡାକିଛି ।