ଜାତୀୟ ସଂଗୀତକୁ ଅପମାନ ମାମଲାରେ ମମତାଙ୍କୁ କୋର୍ଟ ନୋଟିସ୍
ଜାତୀୟ ସଂଗୀତକୁ ଅପମାନ ମାମଲାରେ ମମତାଙ୍କୁ କୋର୍ଟ ନୋଟିସ୍

ମୁମ୍ବାଇ: ଜାତୀୟ ସଂଗୀତକୁ ଅପମାନିତ କରିବା ଅଭିଯୋଗରେ ଫସିଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ମୁମ୍ବାଇର ମାଜଗାଓଁ ମାଜିଷ୍ଟ୍ରେଟ କୋର୍ଟ ନୋଟିସ୍ କରିଛନ୍ତି। ମାର୍ଚ୍ଚ ୨ ତାରିଖରେ ମମତା କୋର୍ଟରେ ଉପସ୍ଥିତି ରହିବା ପରେ ମାମଲାର ଶୁଣାଣି ହେବ ବୋଲି ନୋଟିସରେ କୁହାଯାଇଛି।
୨୦୨୧ ଡିସେମ୍ବର ୧ରେ ମମତା ମୁମ୍ବାଇ ଆସିଥିବା ବେଳେ ଜାତୀୟ ସଂଗୀତକୁ ଅପମାନିତ କରିଥିବା ଅଭିଯୋଗ ହୋଇଛି।
ବିଜେପି କାର୍ୟ୍ୟକର୍ତ୍ତା ତଥା ଆଇନଜୀବୀ ବିବେକାନନ୍ଦ ଗୁପ୍ତା ପ୍ରିଭେନସନ ଅଫ ଇନସଲ୍ଟ ଟୁ ନ୍ୟାଶନାଲ ହନର ଆକ୍ଟ ୧୯୭୧ର ସେକସନ ୩ ଅନୁଯାୟୀ ମାମତାଙ୍କ ନାଁରେ ଅଭିଯୋଗ ଦାଖଲ କରିଛନ୍ତି।
ଏଥିସହ ସେ ମମତାଙ୍କ ନାଁରେ ଏଫଆଇଆର ରୁଜୁ କରିବାକୁ ନିବେଦନ କରିଛନ୍ତି। ଅଭିଯୋଗରେ ସେ କହିଛନ୍ତି ଯେ ଗତବର୍ଷ ଲେଖକ ତଥା କବି ଜାଭେଦ ଆକତର ଗୋଟିଏ କାର୍ୟ୍ୟକ୍ରମ ଆୟୋଜନ କରିଥିଲେ। ଏଥିରେ ମମତା ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ। ତେବେ କାର୍ୟ୍ୟକ୍ରମରେ ଜାତୀୟ ସଂଗୀତ ବାଜୁଥିବା ବେଳେ ମମତା ଚେୟାର ଉପରେ ବସି ରହିଥିଲେ। କିଛି ସେକେଣ୍ଡ ପରେ ସେ ଛିଡ଼ା ହୋଇଥିଲେ ଓ ଜାତୀୟ ସଂଗୀତକୁ ଗାନ କରିଥିଲେ। କିନ୍ତୁ ପୁଣି ସେ ଗାଇବା ବନ୍ଦ କରି ଦେଇ ସେଠାରୁ ଚାଲି ଯାଇଥିଲେ। ମମତାଙ୍କ ଏଭଳି ଆଚରଣର ଭିଡିଓ ସୋଶାଲ ମିଡିଆରେ ରହିଥିବା ମଧ୍ୟ ଶ୍ରୀ ଗୁପ୍ତା ଦାବି କରିଛନ୍ତି।
ଏହାପରେ ମାଜିଷ୍ଟ୍ରେଟ ପିଆଇ ମୋକାଶି ଅଭିଯୋଗରେ ସତ୍ୟତା ଥିବା ହୃଦୟଙ୍ଗମ କରି ମମତାଙ୍କୁ ନୋଟିସ କରିଛନ୍ତି। ମାଜିଷ୍ଟ୍ରେଟ ଭିଡିଓକୁ ଆଧାର କରି ପ୍ରାଥମିକ ଯାଞ୍ଚରୁ ସେକସନ୍ସ ୩ ଅନୁଯାୟୀ ଦଣ୍ଡନୀୟ ଅପରାଧ କରିଥିବା ଭଳି ମନେ ହେଉଛି।