ଜାଣନ୍ତୁ କେଉଁଠି କେତେ ପବନ ବହିବ

ଜାଣନ୍ତୁ କେଉଁଠି କେତେ ପବନ ବହିବ

ଜାଣନ୍ତୁ କେଉଁଠି କେତେ ପବନ ବହିବ


କାଲି ଅପରାହ୍ନରୁ ପବନ ବଢ଼ିବ

୭୫ରୁ ୯୫ କିମି ପର୍ଯ୍ୟନ୍ତ ପବନ

ବନ୍ୟା, ଭୂସ୍ଖଳନ ହୋଇପାରେ

ଭୁବନେଶ୍ୱର: ଆସୁଛି ବାତ୍ୟା ‘ଗୁଲାବ’ । ଓଡ଼ିଶାରେ ସିଧା ମାଡ଼ ନ ହେଲେ ବି ବ୍ୟାପକ ପ୍ରଭାବ ପକାଇବ ଦକ୍ଷିଣ ଓଡ଼ିଶାର ୭ ଜିଲ୍ଲାରେ । ରବିବାର ସନ୍ଧ୍ୟାରେ ଏହା ଆନ୍ଧ୍ରର କଳିଙ୍ଗପାଟନମ ପାଖରେ ସ୍ଥଳଭାଗକୁ ପଶିବ । ହେଲେ ଦକ୍ଷିଣ ଓଡ଼ିଶା ପ୍ରଭାବିତ କରିବ । ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡ଼ା, ମାଲକାନଗିରି, କୋରାପୁଟ, ନବରଙ୍ଗପୁର ଜିଲ୍ଲାରେ ରବିବାର ଅପରାହ୍ନରୁ ମଧ୍ୟ ରାତି ପର୍ଯ୍ୟନ୍ତ ପବନ ପ୍ରକୋପ ଅଧିକ ରହିବ । ଏହାସହ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ଅଛି । ବର୍ଷା ପରିମାଣ ୨୦୦ ମିଲିମିଟରରୁ ଅଧିକ ରହିପାରେ କେତେକ ସ୍ଥାନରେ । ଏଥିପାଇଁ ଏହି ୭ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି ।

  ଜାଣନ୍ତୁ କେଉଁ ଜିଲ୍ଲାରେ କେତେ ବେଗରେ ପବନ ବହିବ:

ରବିବାର ଅପରାହ୍ନରୁ ପବନ ବେଗ କ୍ରମଶଃ ବଢ଼ିବ । ରବିବାର ମଧ୍ୟ ରାତି୍ର ଯାଏ ପବନ ବେଗ ଅଧିକ ରହିବ । ଗଞ୍ଜାମ, ଗଜପତିରେ ଘଂଟା ପ୍ରତି ୭୫ କିମିରୁ ୮୫ କିମି ପର୍ଯ୍ୟନ୍ତ ପବନ ବହିପାରେ । ମଝିରେ ମଝିରେ ପବନ ଝଟ୍କା ଦେଇପାରେ ଘଣ୍ଟା ପ୍ରତି ୯୫ କିମି ବେଗରେ । ଖୋର୍ଦ୍ଧା, ପୁରୀ, ରାୟଗଡ଼ା, କୋରାପୁଟ ଜିଲ୍ଲାରେ ୫୫-୬୫ କିମି ପବନ ସମ୍ଭାବନା ଅଛି । ମଝିରେ ମଝିରେ ୭୫ କିମି ବେଗରେ ଧକ୍କା ଦେଇପାରେ ପବନ ଝଟକା । ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାରେ ୫୦-୬୦ କିମି ପବନ ହେବ । ଝଟକା ଲାଗିପାରେ  ୭୦ କିମି ବେଗ ପର୍ଯ୍ୟନ୍ତ । ରାଜ୍ୟର ବାକି ଅଂଚଳରେ ପବନ ବେଗ ୪୦ରୁ ୫୦ ସର୍ବାଧିକ ୬୦ କିମି ପର୍ଯ୍ୟନ୍ତ ଛୁଇଁପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । 

  ପାଣିପାଗ ବିଭାଗ ସତର୍କ କରାଇଛି, ଲଗାଣ ବର୍ଷା ଓ ପବନ ଯୋଗୁ ଏସବୁ ଜିଲ୍ଲାରେ ଆକସ୍ମିକ ବନ୍ୟା ସ୍ଥିତି ଆସିପାରେ ତଳି ଅଂଚଳରେ । କଚ୍ଚା ଓ ମାଟି ରାସ୍ତା ଧୋଇଯାଇପାରେ । ମାଟି କାନ୍ଥ ଓ କଚ୍ଚା ଏବଂ ଚାଳ ଛପର ଘର ଭୁଶୁଡ଼ିବା ଆଶଙ୍କା ରହିଛି । ଭୂତଳ ରାସ୍ତା ବୁଡ଼ିପାରେ । ଏହି ସମୟରେ ଗାଡ଼ି ଚଳାଚଳ ବିପଦଜନକ । ବିଭିନ୍ନ ନଦୀରେ ଜଳସ୍ତର ବଢ଼ିପାରେ । ବିଶେଷ କରି ଋଷିକୂଲ୍ୟା, ବଂଶଧାରା ଓ ନାଗାବଳୀ ଫୁଲିବା ବନ୍ୟା ଆସିପାରେ । ଫସଲ କ୍ଷତିଗ୍ରସ୍ତ ହୋଇପାରେ । ରାୟଗଡ଼ା, ଗଜପତି ଭଳି କେତେକ ପାହାଡ଼ିଆ ସ୍ଥାନରେ ଭୂସ୍ଖଳନ ଆଶଙ୍କା ରହିଛି । ଲଗାଣ ବର୍ଷା ଯୋଗୁ ଜଳ ନିଷ୍କାସନ ସମସ୍ୟା ଉପୁଜିପାରେ । 

  ପୁରୀ, ଖୋର୍ଦ୍ଧା, ନୟାଗଡ଼, କଳାହାଣ୍ଡିରେ ବି ପ୍ରବଳରୁ ପ୍ରବଳତର ବର୍ଷା ଆଶଙ୍କା ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ୨୭ରେ ବର୍ଷା ପରିମାଣ କମିବ । ପୁଣି ୨୮ରେ ରାଜ୍ୟରେ ବର୍ଷା ବଢ଼ିବ ।

  ଆଜିଠାରୁ ଓଡ଼ିଶା ଉପକୂଳରେ ୪୦-୫୦ କିମି ବେଗରେ ପବନ ବହିବା ଆଶଙ୍କା ଅଛି । ପବନ ଝଟକା ୬୦ କିମି ଯାଏ ପହଂଚିପାରେ । ରବିବାର ଅପରାହ୍ନରୁ ପବନ ବେଗ କ୍ରମଶଃ ବଢ଼ି ଚାଲିବ । ସମୁଦ୍ର ଅଶାନ୍ତ ରହୁଥିବାରୁ ୨୭ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଭିିତରକୁ ଯିବାକୁ ବାରଣ କରାଯାଇଛି । 

  ବର୍ଷା ପବନରେ କଚ୍ଚା ଘର, ଧାନ ଫସଲ, ଉଦ୍ୟାନ କୃଷି, କଦଳୀ ଗଛ, ସଜନା ଗଛ ଓ ବଡ଼ ଗଛର ଡାଳ ଭାଙ୍ଗିପାରେ । ବାତ୍ୟା ନେଇ ସମସ୍ତ ବନ୍ଦରରେ ୩ ନଂ ବିପଦ ସଙ୍କେତ ଜାରି କରାଯାଇଛି । ବାତ୍ୟା ସ୍ଥଳଭାଗ ଛୁଇଁବାବେଳେ ଗଞ୍ଜାମ ଉପକୂଳରେ ସମୁଦ୍ରରେ ୦.୫ ମିଟର ପର୍ଯ୍ୟନ୍ତ ସମୁଦ୍ରରେ ଜୁଆର ଉଠିପାରେ ।