ଚୀନକୁ ଟପିଲା ଇଟାଲି

ଚୀନକୁ ଟପିଲା ଇଟାଲି

ନୂଆଦିଲ୍ଲୀ: ୧୭୬ ରାଷ୍ଟ୍ରକୁ କରୋନା ଭାଇରସ ବ୍ୟାପିଛି । ବିଶ୍ୱବ୍ୟାପୀ ୨୨୭,୭୬୪ ଜଣ ଭାଇରସ ଆକ୍ରାନ୍ତ ହୋଇଛନ୍ତି ଏବଂ ୯,୮୩୪ ଜଣଙ୍କ ମୃତ୍ୟୁ ହୋଇଛି । ୟୁରୋପୀୟ ରାଷ୍ଟ୍ର ଇଟାଲିରେ ଆକ୍ରାନ୍ତଙ୍କ ସଂଖ୍ୟା ୩୫,୮୦୦ ଟପିଥିବା ବେଳେ ମୃତକଙ୍କ ସଂଖ୍ୟା ୩୪୦୫ ରେ ପହଞ୍ଚିଛି । କରୋନା ମୃତ୍ୟୁ କ୍ଷେତ୍ରରେ ଇଟାଲି ଏବେ ଚୀନକୁ ଟପି ଯାଇଛି । ଚୀନରେ କରୋନା ଯୋଗୁଁ ମୋଟ ୩୨୪୫ ଲୋକଙ୍କ ମୃତ୍ୟୁ ହୋଇଥିଲା । ଇଟାଲିରେ ଏବେ ସ୍ଥିତି ଅତ୍ୟନ୍ତ ଭୟାନକ ରୂପ ନେଇଛି । ସେହିଭଳି ଇରାନରେ ମୃତ୍ୟୁ ସଂଖ୍ୟା ୧୨୮୪ ରେ ପହଞ୍ଚିଛି ଏବଂ ଆକ୍ରାନ୍ତଙ୍କ ସଂଖ୍ୟା ୧୮,୫୦୦ ଟପିଛି । ଇରାନ ସ୍ଥିତି ସାଂଘାତିକ ହୋଇପଡ଼ିଛି । ଇରାନର ପ୍ରତି ୧୦ ମିନିଟରେ ଜଣଙ୍କର କରୋନା ଭାଇରସରେ ମୃତ୍ୟୁ ହେଉଛି ଏବଂ ୫୦ ଜଣ ଭାଇରସ ଆକ୍ରାନ୍ତ ହେଉଛନ୍ତି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ସ୍ପେନରେ ମୃତ୍ୟୁ ସଂଖ୍ୟା ୭୬୭ ପହଞ୍ଚିଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୧୭,୧୪୭ ପହଞ୍ଚିଛି । ଜର୍ମାନୀରେ ଆକ୍ରାନ୍ତଙ୍କ ସଂଖ୍ୟା ୧୩,୦୮୩ ପହଞ୍ଚଥିବା ବେଳେ ମୃତ୍ୟୁ ସଂଖ୍ୟା ୩୦ ଟପିଛି । ଫ୍ରାନ୍ସରେ ବି ସ୍ଥିତି ଜଟିଳ ହୋଇଛି । ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୯,୧୩୪ ଥିବା ବେଳେ ମୃତ୍ୟୁ ସଂଖ୍ୟା ୩୦୦ ରେ ପହଞ୍ଚିଛି । ୟୁଏସ କଂଗ୍ରେସର ୨ ଜଣ ସଦସ୍ୟ କରୋନା ଭାଇରସ ଆକ୍ରାନ୍ତ ହୋଇଛନ୍ତି । ୟୁରୋପୀୟ ସଂଘ ମୁଖ୍ୟ ବ୍ରେକଜିଟ ବାର୍ତ୍ତାକାର ମିସେଲ ବାର୍ନିୟର କରୋନା ଭାଇରସ ଆକ୍ରାନ୍ତ ହୋଇଛନ୍ତି । ବ୍ରିଟେନର ଭାଇରସର ହଟସ୍ପଟ ଲଣ୍ଡନ ଖୁବ ଶୀଘ୍ର ସମ୍ପୂର୍ଣ୍ଣ ଠପ ହୋଇଯିବ । ବ୍ରିଟେନର ମୃତ୍ୟୁ ସଂଖ୍ୟା ୧୦୦ ଟପିଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୨,୬୨୬ ରେ ପହଞ୍ଚିଛି । ଅନ୍ୟ ପକ୍ଷେ ଆଫ୍ରିକାର ପ୍ରଥମ କରୋନା ମୃତ୍ୟୁ ହେବା ପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚଓ) ପକ୍ଷରୁ କୌଣସି ଜରୁରୀ ସ୍ଥିତିର ମୁକାବିଲା ପାଇଁ ସଚେତନ ରହିବାକୁ କୁହାଯାଇଛି । ଆମେରିକାରେ ମାତ୍ର ୨୪ ଘଣ୍ଟା ମଧ୍ୟରେ ୪୦ ପ୍ରତିଶତରୁ ଅଧିକ କରୋନା ମାମଲା ସ୍ପଷ୍ଟ ହୋଇଛି । ଆମେରିକାରେ ୨୪ ଘଣ୍ଟାରେ ୨,୭୦୦ ନୂଆ ମାମଲା ସାମ୍ନାକୁ ଆସିଛି ।