ଜାଣନ୍ତୁ ଚଇତି ମଙ୍ଗଳବାର ଓଷା କଥା

ଜାଣନ୍ତୁ ଚଇତି ମଙ୍ଗଳବାର ଓଷା କଥା

ଜାଣନ୍ତୁ ଚଇତି ମଙ୍ଗଳବାର ଓଷା କଥା
ମାଆ ମଙ୍ଗଳା ପରମବୈଷ୍ଣବୀ ଦେବୀ । ଗବେଷକମାନଙ୍କ ମତରେ, ଏହି ଦେବୀ ବୌଦ୍ଧ ଦେବୀ ତାରାଙ୍କର ପରିବର୍ତ୍ତିତ ରୂପ । କିନ୍ତୁ ଏହି ଦେବୀ ପ୍ରାୟ ପ୍ରତି ଗ୍ରାମରେ ଗ୍ରାମଦେବୀ ଭାବରେ ପୂଜିତା ହୁଅନ୍ତି । ବାଟମଙ୍ଗଳା, ସର୍ବମଙ୍ଗଳା, ସିଦ୍ଧମଙ୍ଗଳା, ଜୟମଙ୍ଗଳା ଆଦି ଏହାଙ୍କର ଅନେକ ନାମ । ଚୈତ୍ରମାସର ମଙ୍ଗଳବାରଗୁଡ଼ିକରେ ଏହାଙ୍କର ପୂଜା ଓଡ଼ିଶାର ପ୍ରାୟ ପ୍ରତ୍ୟେକ ଗୃହିଣୀ କରିଥାଆନ୍ତି । ସାଧାରଣତଃ ଦାଣ୍ଡରେ ପନ୍ଥେଇ ଖୋଳି, ସେଥିରେ ପଣା ଭୋଗ ଦେଇ ଏହି ପୂଜା କରାଯାଇଥାଏ । କିନ୍ତୁ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ମିଳିଥିବା ଚୈତ୍ର ମଙ୍ଗଳବାର ଓଷା ପୋଥିର କାହାଣୀ ସମାନ ନୁହେଁ । ଟିକାଲି, ବୁଗୁଡ଼ା ଓ ଶେରଗଡ଼ ଆଦି ଅଞ୍ଚଳରୁ ମିଳିଥିବା ପୋଥିରେ ଉଲ୍ଲେଖ ଅଛି ଯେ ସ୍ୱର୍ଗରେ ନିତେଇ ଧୋବଣୀ ଓ ମର୍ତ୍ତ୍ୟରେ ଚଇତି ହାଡ଼ିଆଣୀ ଏହି ଓଷା କରନ୍ତି । ଏହା ସୂଚନାଏ ଯେ ସମାଜର ବିଭିନ୍ନ ବର୍ଗର ମହିଳା ମାଆ ମଙ୍ଗଳାଙ୍କୁ ପୂଜା କରିଥାଆନ୍ତି । ଏହି ପୋଥିର କାହାଣୀ ଅନୁସାରେ, ଚଇତି ହାଡ଼ିଆଣୀ ସବୁଦିନ ସକାଳେ ଯାଇ ରାଜନଅର ଓଳାଏ । ଦିନେ ରାଜନଅର ଓଳାଇଲା ବେଳେ ସେ ରାଜାଙ୍କର ମୁଖ ଦର୍ଶନ କଲା । ସେହି ରାଜା ଅପୁତ୍ରିକ ଥିଲେ । ସମାଜରେ ପ୍ରଚଳିତ ବିଶ୍ୱାସ ଅନୁସାରେ ଅପୁତ୍ରିକର ମୁଖ ଦର୍ଶନ ଅଶୁଭ । ତେଣୁ, ଚଇତି ମନ ଦୁଃଖ କଲା ଓ ତାହା କହିଦେଲା । ତାହା ଶୁଣି ରାଜା ରାଗିଯାଇ ତା’ର ସାତ ପୁଅଙ୍କୁ ଢ଼ିଙ୍କିରେ କୁଟାଇ ମାରିବାକୁ ଆଦେଶ ଦେଲେ । ଦୋସାଧୁ ନାମକ ଜଣେ ବ୍ୟକ୍ତି ରାଜାଦେଶ ପାଳନ କରି, ତାର ସାତ ପୁଅଙ୍କୁ ମାରି ଗଭୀର ପାଣିରେ ପକାଇ ଦେଲା । କିନ୍ତୁ ଚଇତି ହାଡ଼ିଆଣୀ ମାଆ ମଙ୍ଗଳାଙ୍କ ପୂଜା କରି ସେହି ଗଣ୍ଡରେ ଦୂବ ପ୍ରସାଦ ପକାଇବାକୁ ସାତ ପୁଅ ବଞ୍ଚି ଫେରିଆସିଲେ । ଫଳରେ ରାଜା ହାରିଲେ । ରାଣୀମାନଙ୍କୁ ଚୈତ୍ର ମଙ୍ଗଳବାର ଓଷାର ବିଧି ବତାଇ ଦେବାକୁ ସେଇ ଚଇତିକୁ ଅନୁରୋଧ କଲେ । ସେ ତାହା ବତାଇବାରୁ ରାଣୀମାନେ ଚଇତି ମଙ୍ଗଳବାର ଓଷା କଲେ ଓ ତାଙ୍କର ପୁତ୍ର ଲାଭ ହେଲା । ‘ଲକ୍ଷ୍ମୀପୁରାଣ’ ରଚନାକାର ବଳରାମ ଦାସଙ୍କ ନାଆଁରେ ଭଣିତା ଥାଇ ଚଇତି ମଙ୍ଗଳବାର ଓଷା ପୋଥି ମଧ୍ୟ ଅଛି । ସେଥିରେ ମଧ୍ୟ ପରିଶେଷରେ ଚଣ୍ଡାଳୁଣୀ ଓ ରାଜାଙ୍କ ମଧ୍ୟରେ ମିତ୍ରତା ସ୍ଥାପିତ ହୋଇଛି । ସେହି ପୋଥି ଅନୁସାରେ, ଶ୍ରୀୟାଚଣ୍ଡାଳୁଣୀ ମାଆ ମଙ୍ଗଳାଙ୍କ ପୂଜା କରି ସାତ ପୁଅ, ସାତ ଝିଅଙ୍କର ମାଆ ହୋଇଥିଲେ । ଦିନେ ଅପୁତ୍ରିକ ରାଜାଙ୍କ ମୁହଁ ଦେଖ୍‌ିବାକରୁ- ‘ଆଜି ଖାଇବାକୁ ମିଳିବ ନାହିଁ ବୋଲି ସେ କହିଲା । ତାହା ଶୁଣି ରାଜା ରାଗିଯାଇ ତାର ସାତପୁଅଙ୍କୁ ହାଣି ମାରି ଦେବାକୁ ଆଦେଶ ଦେଲେ । କିନ୍ତୁ ପାଞ୍ଚ ପାଞ୍ଚ ଥର ମାଆ ମଙ୍ଗଳା ଶ୍ରୀୟା ଚଣ୍ଡାଳୁଣୀର ପୁଅମାନଙ୍କୁ ରକ୍ଷା କଲେ । ଶେଷରେ ରାଜା ନିଜର ଭୁଲ ବୁଝିପାରି ଶ୍ରୀୟା ସହିତ ମିତ୍ରତା କଲେ । ସେ ରାଣୀମାନଙ୍କୁ ଚଇତି ମଙ୍ଗଳବାର ଓଷାର ପୂଜାବିଧି ବତାଇଲା । ସେହି ଅନୁସାରେ ପୂଜା କରିବାରୁ ରାଣୀମାନେ ପୁତ୍ର ସନ୍ତାନ ଲାଭ କଲେ । ରାଜାଙ୍କ ଅପୁତ୍ରିକ ଦୋଷ କଟିଲା । ଏଣୁ ଚଇତି ମଙ୍ଗଳବାର ଓଷାର କାହାଣୀ କହେ ଯେ ମାଆ ମଙ୍ଗଳା ଚିର ମଙ୍ଗଳମୟୀ । ତାଙ୍କର ଓଷା, ପୂଜାରେ ଛୋଟ ବଡ଼ର କୌଣସି ସାମାଜିକ ଭେଦଭାବ ନାହିଁ ।