ଚାଷୀଙ୍କ ପାଇଁ ଏହି ନିର୍ଦ୍ଦେଶ ଦେଲେ କୃଷି ମନ୍ତ୍ରୀ

ଚାଷୀଙ୍କ ପାଇଁ ଏହି ନିର୍ଦ୍ଦେଶ ଦେଲେ କୃଷି ମନ୍ତ୍ରୀ

ଚାଷୀଙ୍କ ପାଇଁ ଏହି ନିର୍ଦ୍ଦେଶ ଦେଲେ କୃଷି ମନ୍ତ୍ରୀ

ଭୁବନେଶ୍ବର: ଉନ୍ନତ ମାନର ବିହନ ବ୍ୟବହାର ଦ୍ୱାରା ଅମଳ ପରିମାଣ ବୃଦ୍ଧି ପାଉଛି । ରାଜ୍ୟ ବିହନ ନିଗମ ଦ୍ୱାରା ଉତ୍ପାଦିତ ଉନ୍ନତ ମାନର ବିହନ ଚାଷୀମାନଙ୍କୁ ସଠିକ୍‌ ସମୟରେ ଯୋଗାଇ ଦେବାକୁ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ନିର୍ଦ୍ଦେଶ ଦେଇଛନ୍ତି। କୃଷି ଭବନରେ ବିହନ ନିଗମ କାର୍ୟ୍ୟକ୍ରମର ସମୀକ୍ଷା କରିଛନ୍ତି ବିଭାଗୀୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ । ଉନ୍ନତ ମାନର ଧାନ ଓ ଅଣଧାନ ବିହନ ସହ ଡାଲି, ତୈଳବୀଜ, ପନିପରିବା ଆଦି ବିହନ ଉତ୍ପାଦନ ଉପରେ ମନ୍ତ୍ରୀ ଗୁରୁତ୍ୱ ଦେବା ସହ ନିଗମ ଦ୍ୱାରା ଅଧିକ ପରିମାଣର ଫାଉଣ୍ଡେସନ୍‌ ସିଡ୍‌ର ଉତ୍ପାଦନର ଆବଶ୍ୟକତା ରହିଛି ବୋଲି କହିଥିଲେ ।
କୃଷକମାନେ ଆବଶ୍ୟକ କରୁଥିବା ବିହନର କିସମର ଚାହିଦାକୁ ଅନୁଧ୍ୟାନ କରି ବିହନ ଉତ୍ପାଦନ କରିବାକୁ ହେବ । ରାଜ୍ୟରେ ଅଧିକ ପରିମାଣର ହାଇବ୍ରିଡ୍‌ ବିହନ ଉତ୍ପାଦନ କରିବା ଓ ଏ ଦିଗରେ ଥିବା ସମସ୍ୟାର ସମାଧାନ ଦିଗରେ ଏକ କାର୍ୟ୍ୟ ଖସଡ଼ା ଆଗାମୀ ୬ ସପ୍ତାହ ମଧ୍ୟରେ ପ୍ରସ୍ତୁତ କରିବା ପାଇଁ ମନ୍ତ୍ରୀ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ ।
ବିହନ ପ୍ରତିବଦଳ ଦ୍ୱାରା ଉତ୍ପାଦନ ହାର ବୃଦ୍ଧି ପାଉଥିବା ଦୃଷ୍ଟିରୁ ବିହନ ପ୍ରତିବଦଳ ହାର ବୃଦ୍ଧି ଉପରେ ମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି । ରାଜ୍ୟ ବିହନ ନିଗମ ଦ୍ୱାରା ପ୍ରସ୍ତୁତ ବିହନ ବିଭିନ୍ନ ପ୍ୟାକ୍ସ/ଲ୍ୟାମ୍ପସ୍‌ ଏବଂ ବେସରକାରୀ ଡିଲରମାନଙ୍କ ଦ୍ୱାରା ଚାଷୀମାନଙ୍କୁ ବିକ୍ରୀ କରାଯିବାର ବ୍ୟବସ୍ଥା ରହିଛି । କୌଣସି ଅସାଧୁ ବ୍ୟବସାୟୀଙ୍କ ଦ୍ୱାରା ନିମ୍ନମାନର ବିହନ ଯେପରି ବିକ୍ରି ନହୁଏ, ସେଥିପ୍ରତି ଯାଞ୍ଚ ବ୍ୟବସ୍ଥାକୁ କଡ଼ାକଡ଼ି କରିବା ଓ କାର୍ୟ୍ୟାନୁଷ୍ଠାନ ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ବିହନ ବିକ୍ରି ବ୍ୟବସ୍ଥାରେ ଚାଷୀମାନଙ୍କୁ ଡିବିଟି ବ୍ୟବସ୍ଥାରେ ରିହାତି ହସ୍ତାନ୍ତରଣ ବ୍ୟବସ୍ଥା ରହିଛି । ରବି ଋତୁ ପାଇଁ ଓଟିପି ବ୍ୟବସ୍ଥା ସମ୍ପର୍କରେ ଚାଷୀମାନଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି ଉପରେ ମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ ।