ଚାଷୀ ଆନ୍ଦୋଳନକୁ ପୂରିବ ୧୦ ମାସ, ସେପ୍ଟେମ୍ବର ୨୫ରେ ଭାରତ ବନ୍ଦ ଡାକରା
ଚାଷୀ ଆନ୍ଦୋଳନକୁ ପୂରିବ ୧୦ ମାସ, ସେପ୍ଟେମ୍ବର ୨୫ରେ ଭାରତ ବନ୍ଦ ଡାକରା
ନୂଆଦିଲ୍ଲୀ : ସେପ୍ଟେମ୍ବର ୨୫ରେ ଭାରତ ବନ୍ଦ ଡାକରା ଦେଇଛନ୍ତି ଚାଷୀ ସଂଗଠନ। ଦିଲ୍ଲୀ ସୀମାରେ ଚାଷୀଙ୍କ ଆନ୍ଦୋଳନକୁ ଇତି ମଧ୍ୟରେ ୧୦ ମାସ ପୂରିବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ଚାଷୀ ସଂଗଠନ ପକ୍ଷରୁ ଏଭଳି ଡାକରା ଦିଆଯାଇଛି। ଅନ୍ୟପକ୍ଷରେ ହରିୟାଣାର କର୍ଣ୍ଣଲଠାରେ ଆନ୍ଦୋଳନରତ ଚାଷୀଙ୍କ ଉପରେ ହୋଇଥିବା ଲାଠିମାଡ଼କୁ ନେଇ ସଂଗଠନ ସେମାନଙ୍କ ଆନ୍ଦୋଳନକୁ ଆହୁରି ଜୋରଦାର କରିବାକୁ ନିଷ୍ପତ୍ତି ନେଇଛି। ରବିବାର ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯିବା ପରେ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଏକ ଉଚ୍ଚସ୍ତରୀୟ ବୈଠକ ଚଣ୍ଡୀଗଡ଼ଠାରେ କରିଛନ୍ତି । ସମାଧାନ ପନ୍ଥା ବାହାର କରିବା ପାଇଁ ବୈଠକରେ ମନ୍ତ୍ରୀ ଏବଂ ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ତେବେ ଗତକାଲିର ଲାଠିମାଡ଼ରେ ଜଣେ ଚାଷୀଙ୍କର ମୃତ୍ୟୁ ହୋଇଥିବା ଚାଷୀ ସଂଗଠନ ପକ୍ଷରୁ ଦାବି କରାଯାଇଛି । ଚାଷୀ ଆନ୍ଦୋଳନରେ ସାମିଲ ଥିବା ସାମାଜିକ କର୍ମୀ ଯୋଗେନ୍ଦ୍ର ଯାଦବ କହିଛନ୍ତି, ଲାଠିମାଡ଼ରେ ମୃତ୍ୟୁ ହୋଇଥିବା ଚାଷୀଙ୍କ ନାମ ସୁଶୀଲ କାଜଲ ଏବଂ ରାମପୁର ଯାତନ ଗ୍ରାମରେ ତାଙ୍କର ଘର । ଅନ୍ୟପକ୍ଷରେ ଆହତ ଚାଷୀଙ୍କୁ କର୍ଣ୍ଣଲସ୍ଥିତ କଳ୍ପନା ଚାୱଲା ସରକାରୀ ମେଡିକାଲ କଲେଜରେ ଚିକିତ୍ସିତ ହେଉଥିବା ୪ ଜଣ ଚାଷୀଙ୍କୁ ସଂଯୁକ୍ତ କିଷାନ ମୋର୍ଚ୍ଚା ମୁଖ୍ୟ ରାକେଶ ଟିକାୟତ ରବିବାର ଭେଟିଛନ୍ତି । ଲାଠିମାଡ଼ ନିର୍ଦ୍ଦେଶ ଦେଇଥିବା କର୍ଣ୍ଣଲ ଏସଡିଏମ ଆୟୁଷ ସିହ୍ନା ଏବଂ ସଂପୃକ୍ତ ଅନ୍ୟ ପୁଲିସଙ୍କ ବିରୋଧରେ ମାମଲା ରୁଜୁ ପାଇଁ ସେ ଦାବି କରିଛନ୍ତି । ଆନ୍ଦୋଳନକାରୀ ବାରିକେଡ ନିକଟକୁ ଆସିଲେ ସେମାନଙ୍କ ମୁଣ୍ଡ ଫଟାଇ ଦେବା ପାଇଁ ଏସଡିଏମ ପୁଲିସକୁ ନିର୍ଦ୍ଦେଶ ଦେଇଥିବା କୁହାଯାଉଛି। ଉଲ୍ଲେଖଯୋଗ୍ୟ, ଗତକାଲି ବିଜେପି ରାଜ୍ୟଶାଖାର ବୈଠକ ଏକ ହୋଟେଲରେ ହୋଇଥିଲା । ସେହି ହୋଟେଲ ନିକଟରେ ଜାତୀୟ ରାଜପଥ-୪୪ର ବସ୍ତର ଟୋଲ ପ୍ଲାଜା ପାଖରେ କୃଷକମାନେ ବିକ୍ଷୋଭ ପ୍ରଦର୍ଶନ କରୁଥିବାବେଳେ ପୁଲିସ ସେମାନଙ୍କ ଉପରେ ଲାଠିମାଡ଼ କରିଥିଲା ।




admin 