ଚଳିତ ମାସ ଆସିପାରେ ଆଉ ଏକ ବାତ୍ୟା!
ଚଳିତ ମାସ ଆସିପାରେ ଆଉ ଏକ ବାତ୍ୟା!
ଭୁବନେଶ୍ୱର: ଅକ୍ଟୋବର ମାସରେ ପୁଣିଥରେ ଓଡିଶାକୁ ଆସିପାରେ ଆଉ ଏକ ସାମୁଦ୍ରିକ ବାତ୍ୟା। ଏକ ବେସରକାରୀ ପାଣିପାଗ ସଂସ୍ଥା ଏପରି ଆକଳନ କରିଛି। ଅକ୍ଟୋବର ୧୪ରେ ବଙ୍ଗୋପ ସାଗରରେ ଏକ ଲଘୁଚାପ ସୃଷ୍ଟି ହେବାକୁ ଥିବା ବେଳେ ୧୭ତାରିଖରେ ଏହା ଓଡିଶା ଉପକୂଳ ଦେଇ ଅତିକ୍ରମ କରିବ ବୋଲି ଏହି ବେସରକାରୀ ପାଣିପାଗ ସଂସ୍ଥା ନିଜ ରିର୍ପୋଟରେ ଦର୍ଶାଇଛି।
ତେବେ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏନେଇ ବର୍ତ୍ତମାନ ପର୍ୟ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ।
ଅକ୍ଟୋବର ତୃତୀୟ ସପ୍ତାହରେ କିଛି ବର୍ଷାର ସମ୍ଭାବନା ରହିଛି। ଆନ୍ଧ୍ରମୁହାଁ ଛୋଟ ବାତ୍ୟା ହେବା ପାଇଁ ପାଗ ଅନୁକୂଳ ରହିବାର ସଙ୍କେତ ମିଳୁଛି । ପ୍ରାଥମିକ ଆକଳନରୁ ଜଣାପଡ଼ୁଛି ଯେ ଆସନ୍ତା ୨୪ ଘଣ୍ଟା ଭିତରେ ଫିଲିପାଇନ୍ସ୍ର ପଶ୍ଚିମରେ ଗଭୀର ଅବପାତ ଏକ ବାତ୍ୟା ରୂପ ନେବ। ତାହା ଦକ୍ଷିଣ ଚୀନସାଗର ଅତିକ୍ରମ କରି ଭିଏତ୍ନାମ ଉପକୂଳ ସ୍ପର୍ଶ କରିବ। ଏହାର ଅବଶିଷ୍ଟାଂଶ ଆସି ୯ ତାରିଖରେ ମିଆଁମାର ସଂଲଗ୍ନ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ ବଳୟ ସୃଷ୍ଟି ହେବ। ଏହା କ୍ରମଶଃ ଘନୀଭୂତ ହୋଇ ପ୍ରଥମେ ଉତ୍ତର-ପଶ୍ଚିମ ଦିଗରେ ଯିବ। ତା’ପରେ ଅଧିକ ଘନୀଭୂତ ହୋଇ ପ୍ରାୟତଃ ପଶ୍ଚିମ ଦିଗରେ ଗତି କରି ଆନ୍ଧ୍ର ଉପକୂଳମୁହାଁ ହେବ ।
ବିଭିନ୍ନ ମଡେଲର ବିଶ୍ଳେଷଣରୁ ଜଣାପଡ଼ୁଛି, ଏହା ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ହିଁ ଗଭୀର ଅବପାତରେ ପରିଣତ ହୋଇ କେନ୍ଦ୍ରୀୟ ଆନ୍ଧ୍ର ଉପକୂଳକୁ ମୁହାଁଇବ । ସମ୍ଭବତଃ ଏହା ୧୭ ତାରିଖ ବେଳକୁ ଉପକୂଳ ଛୁଇଁବ। ସମ୍ଭବତଃ ବାତ୍ୟାଟି କାକିନାଡ଼ା ଓ ମଛଲିପଟ୍ଟନମ୍ ମଧ୍ୟରେ ଆନ୍ଧ୍ର ଉପକୂଳ ପହଞ୍ଚିବ । ଏହାଦ୍ବାରା ଆନ୍ଧ୍ର ଉପକୂଳରେ ପ୍ରବଳ ବର୍ଷା ହେବ । ଏହାର ପ୍ରଭାବରେ ଓଡ଼ିଶାରେ ୧୫ରୁ ୧୭ ତାରିଖ ଭିତରେ ଉପକୂଳରେ ବିଶେଷ କରି ଦକ୍ଷିଣ ଉପକୂଳରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି । ତେବେ ୧୦ ତାରିଖ ଆଡ଼କୁ ଏ ନେଇ ସ୍ପଷ୍ଟ କହିହେବ।