ଚର୍ଚ୍ଚା : ରାଜନୀତି ଛାଡ଼ିବେ କି ଗଡ଼କରୀ
ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ନୀତିନ ଗଡ଼କରୀ ରାଜନୀତି ଛାଡ଼ିବାକୁ ଆଗ୍ରହୀ ଥିବା ଚର୍ଚ୍ଚାର ବିଷୟ ପାଲଟିଛି। ଦଳର ହାଇକମାଣ୍ଡଙ୍କ ସହ ଗଡ଼କରୀଙ୍କ ସମ୍ପର୍କରେ ତିକ୍ତତା ପରିଲକ୍ଷିତ ହୋଇଥିବା ତଥା ୨୦୨୪ ସାଧାରଣ ନିର୍ବାଚନରେ ତାଙ୍କୁ ଦଳୀୟ ଟିକଟ ମିଳିବ ନାହିଁ ବୋଲି ଆଲୋଚନା ହେଉଛି। ଏକ ସଭାରେ ଗଡ଼କରୀ ଯେଉଁ ମନ୍ତବ୍ୟ ଦେଇଥିଲେ ତାହାକୁ ଆଧାର କରି ଏପରି ଚର୍ଚ୍ଚା ଲାଗି ରହିଛି।
ଏକ କାର୍ୟ୍ୟକ୍ରମରେ ଯୋଗ ଦେଇ ଗଡ଼କରୀ କହିଥିଲେ ସେ ଦୁଇଥର ନିର୍ବାଚନ ଜିତି ସାରିଛନ୍ତି। ଆଗାମୀ ନିର୍ବାଚନରେ ଯଦି ଭୋଟର ତାଙ୍କୁ ଉପଯୁକ୍ତ ମନେ କରିବେ ଭୋଟ୍ ଦେବେ। େତବେ ସେ ଭୋଟ୍ ପାଇଁ ଲୋକଙ୍କୁ ଅଧିକ ଅନୁରୋଧ କରିବେ ନାହିଁ। ରାଜନୀତି ଛଡ଼ା ତାଙ୍କର ଅନ୍ୟ କାମ ରହିଥିବାରୁ ସେଥିପ୍ରତି ଅଧିକ ସମୟ ଦେବାକୁ ଚାହୁଁଛନ୍ତି। ତାଙ୍କ ସ୍ଥାନରେ ଆଉ କିଏ ନିର୍ବାଚନ ଲଢ଼ିଲେ ସେ ତାହାକୁ ଗ୍ରହଣ କରି ନେବେ। ଗଡ଼କରୀଙ୍କ ଏପରି ମନ୍ତବ୍ୟକୁ ନେଇ ରାଜନୈତିକ ମହଲରେ ଅଙ୍କକଷା ଆରମ୍ଭ ହୋଇଯାଇଛି।
ସୂଚନାଥାଉ କି ପୂର୍ବରୁ ମଧ୍ୟ ଗଡ଼କରୀ ସମାନ ପ୍ରକାର ମନ୍ତବ୍ୟ ଦେଇ ସାରିଛନ୍ତି। ଗତ ଜାନୁଆରୀରେ ଆଦିବାସୀ ମହାସଂଘର ଏକ କାର୍ୟ୍ୟକ୍ରମରେ ଯୋଗ ଦେଇ ଗଡ଼କରୀ ସମାନ କଥା କହିଥିଲେ। ସେହିପରି ଗତବର୍ଷ ଜୁଲାଇରେ ଗଡ଼କରୀ କହିଥିଲେ ରାଜନୀତି ଛାଡ଼ିବା ଉଚିତ୍ ବୋଲି ସେ ଭାବୁଛନ୍ତି। ଜନସାଧାରଣଙ୍କ ପାଇଁ ତାଙ୍କୁ ଅନେକ କିଛି କରିବାର ଥିବାରୁ ରାଜନୀତିରୁ ସନ୍ନ୍ୟାସ ନେଇ ପାରନ୍ତି ବୋଲି ଗଡ଼କରୀ ସୂଚନା ଦେଇଥିଲେ। ଏପରି ମନ୍ତବ୍ୟ ଦେବାର କିଛିଦିନ ପରେ ଗଡ଼କରୀଙ୍କୁ ବିଜେପି ସଂସଦୀୟ ବୋର୍ଡ ଓ କେନ୍ଦ୍ରୀୟ ନିର୍ବାଚନ କମିଟିରୁ ବାଦ୍ ଦିଆଯାଇଥିଲା।




admin 