ଚିତାଲାଗି ଅମାବାସ୍ୟାରେ ଉତ୍ସବ ମୁଖର ବନମାଳୀପୁର: କର୍କଟ ସଂକ୍ରାନ୍ତିରେ ହେଲା କବାଟ ପୂଜା

ଚିତାଲାଗି ଅମାବାସ୍ୟାରେ ଉତ୍ସବ ମୁଖର ବନମାଳୀପୁର: କର୍କଟ ସଂକ୍ରାନ୍ତିରେ ହେଲା କବାଟ ପୂଜା

ବାଲିପାଟଣା: ଚିତାଲାଗି ଅମାବାସ୍ୟା ସହିତ ପଡ଼ିଥିଲା ସଂକ୍ରାନ୍ତି ତିଥି। ତେଣୁ ଘରେଘରେ ଲାଗିଥିଲା ପୂଜାର୍ଚ୍ଚନା। ପରମ୍ପରା ଅନୁସାରେ ଚିତାଲାଗି ଅମାବାସ୍ୟା ତିଥିରେ ବନମାଳୀପୁର ଉତ୍ସବମୁଖର ହୋଇଥାଏ। ଚଳିତ ବର୍ଷ ଅମାବାସ୍ୟା ସାଙ୍ଗରେ କର୍କଟ ସଂକ୍ରାନ୍ତି ମିଶିଥିବାରୁ ବନମାଳୀପୁର ଅଧିକ ଉତ୍ସବମୁଖର ହୋଇପଡ଼ିଥିଲା। ଏହି ଅଞ୍ଚଳର ୧୦ଟି ଗାଁରେ ଆୟୋଜିତ ହୋଇଥିବା ସମୂହ ସଂକୀର୍ତ୍ତନ ବେଶ୍ କୋଳାହଳ ସୃଷ୍ଟି କରିଥିଲା।

ଅମୃତମଣୋହି ପାଟଣାର ବଡ଼ସାହି, ସାନସାହି, ନୂଆସାହି, ଡେରାସାହି, ପତିତପାବନ ପାଟଣାର ଉତ୍ତରସାହି ଓ ଦକ୍ଷିଣସାହି, ସାରଙ୍ଗଧରସାହୁ ପାଟଣା, ଗୋଲା ମହମ୍ମଦ ପାଟଣା, ରୟତ ପାଟଣା, ସେକ ପାଟଣାରେ ନାମ ସଂକୀର୍ତ୍ତନ ଆୟୋଜିତ ହୋଇଥିଲା। ଗ୍ରାମବାସୀମାନେ କୁଶଭଦ୍ରା ନଦୀରୁ କଳସ ବୁଡ଼ାଇ ଅଷ୍ଟପ୍ରହରୀ ମଣ୍ଡପକୁ ଆସିଥିଲେ। ପ୍ରତ୍ୟୁଷରୁ ନାମ ସଂକୀର୍ତ୍ତନ ଆରମ୍ଭ ହୋଇଥିଲା। ଏଥିସହିତ ପ୍ରତ୍ୟେକ ଗ୍ରାମରେ ଭୋଜିଭାତର ଆୟୋଜନ ମଧ୍ୟ ହୋଇଥିଲା।

ନଗର କୀର୍ତ୍ତନ ଅନୁଷ୍ଠିତ ହେବା ସହ ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଉଦ୍‌ଯାପିତ ହେବ। ନାମ ସଂକୀର୍ତ୍ତନ ସାଙ୍ଗକୁ ଆଜି ବିଭିନ୍ନ ଶିବ ମନ୍ଦିରରେ ବୋଲ ବମ୍ ଭକ୍ତମାନେ ଜଳ ଲାଗି କରିଥିଲେ। ଉଲ୍ଲେଖଯୋଗ୍ୟ ଯେ ଏହି ଅଞ୍ଚଳରେ ସଂକ୍ରାନ୍ତି ଅବସରରେ ଘରେଘରେ ଦକ୍ଷିଣ କବାଟ ପୂଜା ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରଥାନୁସାରେ ଲୋକେ କବାଟ ଧୋଇବା ପରେ ସେଥିରେ ଅରୁଆ ଚାଉଳ, ହଳଦୀ, ଫୁଲ, ଦୁବ, ବରକୋଳି ପତ୍ର ଆଦି ଲଗାଇ ପୂଜାର୍ଚ୍ଚନା କରନ୍ତି ଏବଂ ଖେଚୁଡ଼ି ଭୋଗ ଲାଗି ହୁଏ।