ଗୁଣିଗାରେଡ଼ି ସନ୍ଦେହରେ ଯୁବକଙ୍କୁ ନିର୍ଯାତନା ।
ଗୁଣିଗାରେଡ଼ି ସନ୍ଦେହରେ ଯୁବକଙ୍କୁ ନିର୍ଯାତନା ।
admin
Jun 22, 2020 - 06:56
Updated: Jun 22, 2020 - 06:56
ରଣପୁର: ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ମହତପଲ୍ଲା ପଞ୍ଚାୟତ ଅଧୀନ ଭାଲିଆମଳେଇ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ଗୁଣି ଗାରେଡ଼ି ସନ୍ଦେହରେ ଜଣେ ଯୁବକଙ୍କୁ ଗ୍ରାମବାସୀ ନିସ୍ତୁକ ମାଡ଼ ମାରିବା ସହ ଫୁଟନ୍ତା ଗରମ ପାଣି ହଣ୍ଡା ଭିତରେ ତାଙ୍କ ହାତକୁ ବୁଡ଼ାଇ ଅକଥନୀୟ ନିର୍ଯାତନା ଦେଇଛନ୍ତି । ଏଥିରେ ଯୁବକ ଜଣକ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କୁ ରଣପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଏଭଳି ବର୍ବର କାଣ୍ଡ ଘଟାଇଥିବା ସମ୍ପୃକ୍ତ ଗାଁର ୧୩ ଜଣଙ୍କୁ ପୁଲିସ ଗିରଫ କରିଛି । ଅଭିଯୋଗ ମୁତାବକ ମହତପଲ୍ଲା ପଞ୍ଚାୟତ ଅଧୀନ ଭାଲିଆମଳେଇ ଗାଁର ମଧୁ ନାୟକଙ୍କ ସ୍ତ୍ରୀ ବନିତା ନାୟକଙ୍କ ଦେହ ସବୁବେଳେ ଅସୁସ୍ଥ ରହୁଥିଲା । ଏ ନେଥ ସର୍ବଦା ପରିବାରରେ ଅଶାନ୍ତି ଓ କଳହ ଲାଗି ରହୁଥିଲା । ତେବେ ଗାଁର ମହେଶ୍ୱର ପ୍ରଧାନଙ୍କ ଠାରେ କାଳିସୀ ଲାଗୁଥିବା ବେଳେ ବନିତା ପରିବାର ଲୋକେ କାଳିସୀଙ୍କ ପାଖକୁ ଯାଇଥିଲେ । କାଳିସୀ କୁଆଡ଼େ କହିଥିଲେ ଯେ ସେହି ଗାଁର ଠୁଣୁଠୁଣିଆ ଗୁଣିଆ ଭାବେ ପରିଚିତ ବସନ୍ତ ଦେହୁଡ଼ି ବନିତାଠାରେ ଚଣ୍ଡୀ ପେଶିଛି । ଏ ନେଇ ବନିତା ପରିବାର ଲୋକେ ଗ୍ରାମବାସୀଙ୍କୁ ଜଣାଇବା ପରେ ରାତି ପ୍ରାୟ ସାଢ଼େ ୧୧ ଟା ବେଳେ ବନିତାଙ୍କ ପରିବାର ଓ ଗ୍ରାମବାସୀ ମିଳିତ ହୋଇ ବସନ୍ତଙ୍କୁ ନିସ୍ତୁକ ମାଡ଼ ମାରିବା ପରେ କାଳିସୀଙ୍କ ପାଖକୁ ନେଇଥିଲେ । ସେଠାରେ କାଳିସୀ କୁଆଡ଼େ ଏକ ସର୍ତ୍ତ ରଖିଥିଲେ । ଯଦି ଫୁଟନ୍ତା ଗରମ ପାଣି ହଣ୍ଡା ଭିତରୁ ଶଙ୍କା କାଢ଼ିବାକୁ ବସନ୍ତ ସକ୍ଷମ ହୁଏ, ତେବେ ସେ ଚଣ୍ଡୀ ପେଶି ନାହିଁ ବୋଲି ଗ୍ରହଣ କରାଯିବ । ଏହା ପରେ ସର୍ବସମ୍ମୁଖରେ ଜଳନ୍ତା ଚୁଲି ଉପରେ ହଣ୍ଡା ବସାଇ ଏକ ଶଙ୍ଖା ପକାଯାଇଥିଳା । ଆଉ ଡହ ଡହ ଫୁଟୁଥିବା ଗରମ ପାଣି ଭିତରେ ହାତ ବୁଡ଼ାଇବାକୁ ବସନ୍ତଙ୍କୁ ବାଧ୍ୟ କରାଯାଇଥିଲା । ବସନ୍ତ ୨ ଥର ପ୍ରୟାସ କରିବା ପରେ ହଣ୍ଡା ଭିତରୁ ଶଙ୍ଖାଟିକୁ ବାହାରକୁ ଆଣିଥିଲା । ହେଲେ ସେତେବେଳକୁ ଗରମ ପାଣିରେ ବସନ୍ତଙ୍କ ହାତ ସିଝି ଯାଇଥିଲା ଏବଂ ସେ ଅତି ଗୁରୁତର ହୋଇପଡ଼ିଥିଲେ । ଗୁରୁତର ଅବସ୍ଥାରେ ବସନ୍ତଙ୍କ ପରିବାର ଲୋକେ ପ୍ରାଥମିକ ଚିକିତ୍ସା ପାଇଁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଥିଲେ ।
ଏ ନେଇ ଅଭିଯୋଗ ହେବା ପରେ ରଣପୁର ପୁଲିସ ବସନ୍ତଙ୍କୁ ଏଭଳି ନିର୍ଯାତନା ଦେଇଥିବା ଗାଁର ମହାଦେବ ପ୍ରଧାନ , ନାଲୁ ନାୟକ , ମାନସ ଦେହୁଡ଼ି, ମଧୁ ନାୟକ , ପବିତ୍ର ନାୟକ, ବ୍ରଜ ଦିହୁଡ଼ି , ରାଜ ଦିହୁଡ଼ି , ଗୋକୁଳ ଦିହୁଡ଼ି , ବିରଞ୍ଜି ଦିହୁଡ଼ି ପୂର୍ଣ୍ଣ ନାୟକ, କାଳିଆ ଦିହୁଡ଼ି, ମହେଶ୍ୱର ପ୍ରଧାନ ଓ ଦୀନବନ୍ଧୁ ଦିହୁଡ଼ି ପ୍ରମୁଖ ୧୩ ଜଣଙ୍କୁ ଗିରଫ କରିଥିଲା । ଅପରପକ୍ଷେ ଏ ନେଇ ଗ୍ରାମରେ ଚାପା ଉତ୍ତେଜନା ଲାଗି ରହିଥିବା ଜଣାଯାଇଛି ।