ଗଞ୍ଜାମରେ ସୋନମ, କୋରାପୁଟରେ ତୁଳସୀ

ଗଞ୍ଜାମରେ ସୋନମ, କୋରାପୁଟରେ ତୁଳସୀ

ଗଞ୍ଜାମରେ ସୋନମ, କୋରାପୁଟରେ ତୁଳସୀ
ବ୍ରହ୍ମପୁର/କୋରାପୁଟ : ଲୋକସଭା ନିର୍ବାଚନରେ ୩୩ ପ୍ରତିଶତ ମହିଳାଙ୍କୁ ପ୍ରାର୍ଥୀ କରି ନୂଆ ପରମ୍ପରା ସୃଷ୍ଟି କରିଥିବା ବିଜେଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଚୟନ କ୍ଷେତ୍ରରେ ମଧ୍ୟ ମହିଳାଙ୍କୁ ଗୁରୁତ୍ୱ ଦେଇଛି । ଆଜି ଗଞ୍ଜାମ ଓ କୋରାପୁଟ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପାଇଁ ହୋଇଥିବା ନିର୍ବାଚନରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମହିଳାଙ୍କ ପାଇଁ ସଂରକ୍ଷଣ ନ ଥାଇ ସୁଦ୍ଧା ଦୁଇ ଜଣ ମହିଳାଙ୍କୁ ଏଥିପାଇଁ ସୁଯୋଗ ଦେଇଛନ୍ତି । ଗଞ୍ଜାମ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାବେ ସୋନମ ଏବଂ କୋରାପୁଟ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାବେ ତୁଳସୀ କିର୍ସାନୀ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ଗଞ୍ଜାମ ଜିଲ୍ଲା ପରିଷଦ ଅଧ୍ୟକ୍ଷ-୧୧ ପଦ ନେଇ ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଛି । ଖଲ୍ଲିକୋଟ ଜିଲ୍ଲା ପରିଷଦ ଜୋନ ୧୧ ର ସଦସ୍ୟା ସୋନମ ନିର୍ବାଚିତ ହେବା ଫଳରେ ଗଞ୍ଜାମ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ଚୟନ କ୍ଷେତ୍ରରେ ବିଜେଡି ବଜାୟ ରଖି ଆସିଥିବା ଧାରା ଭାଙ୍ଗିଛି । ବ୍ରହ୍ମପୁର ବଦଳରେ ଆସିକା ସଂସଦୀୟ କ୍ଷେତ୍ରକୁ ସୁଯୋଗ ମିଳିଛି । ଆଜି ନିର୍ବାଚନରେ ଅବ୍ୟବହିତ ପୂର୍ବରୁ ଛତ୍ରପୁର ସର୍କିଟ ହାଉସରେ ବିଜେଡି ଜିଲ୍ଲା ପରିଷଦ ସଦସ୍ୟ ଓ ଜିଲ୍ଲାର ସମସ୍ତ ବିଧାୟକଙ୍କୁ ନେଇ ବୈଠକ ବସିଥିଲା । ପୂର୍ବତନ ମନ୍ତ୍ରୀ ତଥା ଚିକିଟି ବିଧାୟିକା ଉଷା ଦେବୀ ସେଠାରେ ନବୀନ ନିବାସରୁ ଆସିଥିବା ଲଫାପା ଖୋଲି ଜିଲ୍ଲା ପରିଷଦ ଅଧ୍ୟକ୍ଷା ପ୍ରାର୍ଥୀ ଭାବେ ସୋନମଙ୍କ ନାମ ଘୋଷଣା କରିଥିଲେ । ଏହା ପରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଋଷିକୁଲ୍ୟା ସମ୍ମିଳନୀ କକ୍ଷରେ ନିର୍ବାଚନ ପ୍ରକ୍ରିୟା ଅନୁଷ୍ଠିତ ହୋଇଥିଲା । ନିର୍ବାଚନରେ ସୋନମ ଜଣେ ମାତ୍ର ପ୍ରାର୍ଥୀ ରହିଥିବାରୁ ସେ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଥିବା ଅଧିକାରୀ ତଥା ଗଞ୍ଜାମ ଅତିରିକ୍ତ ଜିଲ୍ଲାପାଳ ଲକ୍ଷ୍ମୀକାନ୍ତ ସେଠୀ ଘୋଷଣା କରିଥିଲେ । ଉଲ୍ଲେଖ ଯୋଗ୍ୟ ଯେ ଗଞ୍ଜାମ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଥିବା ସୁବାସ ଚନ୍ଦ୍ର ବେହେରା ଛତ୍ରପୁର ବିଧାୟକ ହେବା ପରେ ଅଧ୍ୟକ୍ଷ ଆସନ ଖାଲି ପଡ଼ିଥିଲା । ସେହିପରି ଆଜି କୋରାପୁଟ ଜିଲ୍ଲା ପରିଷଦ ସଭାପତି ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ସଂଖ୍ୟା ଦୃଷ୍ଟିରୁ ବିଜେଡି ଏହି ଆସନ ହାସଲ କରିବ ବୋଲି ସ୍ପଷ୍ଟ ହୋଇଥିଲା । ତେବେ କିଏ ଅଧ୍ୟକ୍ଷ ହେବେ ତାହା ଜଣାପଡ଼ିନଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ଏହି ନିଷ୍ପତ୍ତି ଛାଡ଼ି ଦେଇଥିଲା ଦଳ । ଆଜି ମୁଖ୍ୟମନ୍ତ୍ରୀ ତୁଳସୀ କିର୍ସାନୀଙ୍କ ନାମକୁ ସୁପାରିସ କରି ପଠାଇଥିଲେ । ଫଳରେ ସେ ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଥିଲେ । ଅନ୍ୟ କୌଣସି ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିନଥିବାରୁ ସେ ବିନା ପ୍ରତିଦ୍ୱନ୍ଦ୍ୱିତାରେ ବିଜୟୀ ହୋଇଥିଲେ । ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ ତୁସଳୀଙ୍କ ଜିଲ୍ଲା ପରିଷଦ ସଭାପତି ଭାବେ ଘୋଷଣା କରିଥିଲେ ।