କ୍ୟାବିନେଟର ନିଷ୍ପତ୍ତି କ’ଣ
କ୍ୟାବିନେଟର ନିଷ୍ପତ୍ତି କ’ଣ
ଭୁବନେଶ୍ୱର: ପଞ୍ଚାୟତ ଭୋଟ ବିଗୁଲ ବାଜିବା ଆଗରୁ ରାଜ୍ୟ ସରକାର ଗୋଟିଏ ପରେ ଗୋଟିଏ ଯୋଜନାର ଘୋଷଣା କରି ଚାଲିଛନ୍ତି । ଯାହା ବି ପ୍ରକଳ୍ପ ଘୋଷଣା ହେବାକୁ ଅଛି, ସରକାର ତୁରନ୍ତ ମୋହର ମାରିବାରେ ଲାଗିଛନ୍ତି । ଶୁକ୍ରବାର କ୍ୟାବିନେଟ ବୈଠକରେ ରାଜ୍ୟ ସରକାର ୧୩ଟି ପ୍ରସ୍ତାବରେ ମୋହର ମାରିଛନ୍ତି । ଗ୍ରାମାଞ୍ଚଳରେ ଲୋଭୋଲଟେଜ ସମସ୍ୟା ଦୂର ପାଇଁ ବଡ଼ ପ୍ରକଳ୍ପର ଘୋଷଣା ହୋଇଛି । ୩୩୨୮ଜଣ ବହୁଭାଷୀ ଶିକ୍ଷା ସହାୟକଙ୍କୁ ନିୟମିତ କରିବାକୁ ନିଷ୍ପତ୍ତି ହୋଇଛି । କୃଷିକୁ ଜଳସେଚନ ପାଇଁ ବି ବଡ଼ ପ୍ରକଳ୍ପ ମଞ୍ଜୁର ହୋଇଛି ।
ଲୋଭୋଲଟେଜ ସମସ୍ୟା ଦୂର ପାଇଁ ଦୁଇଟି ମେଗା ପ୍ରକଳ୍ପ ଟେଣ୍ଡରକୁ ଅନୁମତି ଦେଇଛି କ୍ୟାବିନେଟ । ଗ୍ରାମାଂଚଳରେ ଲୋ-ଭୋଲଟେଜ ସମସ୍ୟା ଦୂର କରିବାକୁ ବିଜୁଳି ବିତରଣ ବ୍ୟବସ୍ଥାକୁ ଆହୁରି ସଶକ୍ତ କରାଯିବ । ୧୭୯୬ କୋଟି ଟଙ୍କା ବ୍ୟୟରେ ୯୯ଟି ସବ୍ଷ୍ଟେସନ (୩୩/୧୧ କେଭି) ପ୍ରତିଷ୍ଠା ହେବ । ଏହାସହିତ ୮୧୨ କିମି ଲମ୍ବ ୬୪ଟି ସ୍ୱତନ୍ତ୍ର ୩୩ କେଭି ଲାଇନ କରାଯିବ । ୩ ବର୍ଷ ଭିତରେ ଏ କାର୍ଯ୍ୟ ଶେଷ କରାଯିବ । ଏ ପ୍ରକଳ୍ପ ପାଇଁ ଆବଶ୍ୟକ ଅନୁମୋଦନ ଦେଇଛି କ୍ୟାବିନେଟ । ଏ ପ୍ରକଳ୍ପ ହେଲେ ଲୋଭୋଲଟେଜ ସମସ୍ୟାରୁ ମୁକ୍ତି ମିଳିବ ବୋଲି ସରକାର ଆଶା ଦେଖାଇଛନ୍ତି । ସେହିପରି ଆଠମଲ୍ଲିକ, ଏମରାମପୁର, ଯାଜପୁରର ଚିତ୍ତାଳୋ, ବଲାଙ୍ଗିରର ଆଗଲପୁରରେ ଲୋଭୋଲଟେଜ ସମସ୍ୟା ଦୂର କରିବାକୁ ଗ୍ରୀଡ ସବଷ୍ଟେସନ କରିବେ ସରକାର । ତୁରୁମୁଙ୍ଗାରୁ ଢେଙ୍କିକୋଟ ଯାଏ ୧୩୨ କେଭି ଲାଇନ ବି ହେବ । ଏ ବାବଦରେ ୨୬୦ କୋଟି ଟଙ୍କା ବ୍ୟୟ ହେବ । ଏହାର ଟେଣ୍ଡରକୁ ଅନୁମୋଦନ ମିଳିଛି ।
କଳାହାଣ୍ଡି ଜିଲ୍ଲାରେ ୧୨୬କୋଟିର ସାନ୍ଦୁଲ ବ୍ୟାରେଜ ପ୍ରକଳ୍ପକୁ ମଂଜୁରୀ ମିଳିଛି । ରେଙ୍ଗାଳି ଦକ୍ଷିଣ କେନାଲରେ ଜଳସେଚନ ପାଇଁ ୪୪୩କୋଟି ପ୍ରକଳ୍ପକୁ ଅନୁମୋଦନ ଦିଆଯାଇଛି । ପୌର ଆଇନ ଓ ମହାନଗର ନିଗମ ଆଇନ ସଂଶୋଧିତ ହୋଇଛି । SCB ମେଡିକାଲ କଲେଜ ଡାକ୍ତରଙ୍କ କ୍ବାର୍ଟର୍ସ ପାଇଁ ୮୮୮କୋଟି ଖର୍ଚ୍ଚ ହେବ । ୬୦୦ରୁ ଅଧିକ ଡାକ୍ତରଙ୍କ ପାଇଁ ୨ବର୍ଷରେ ସରିବ କ୍ବାର୍ଟର୍ସ ନିର୍ମାଣ କାମ । ସହରାଞ୍ଚଳର କାଉନସିଲର ଓ ମହାନଗର ନିଗମର କର୍ପୋରେଟର ପଦବୀ ଥିବା ସଂରକ୍ଷଣ ବ୍ୟବସ୍ଥାରେ ହେବ ସଂଶୋଧନ । ଏହାସହ ଏଥର ପ୍ରତ୍ୟକ୍ଷ ଭାବେ ନିର୍ବାଚିତ ହେବାକୁ ଯାଉଥିବା ପୌରଧ୍ୟକ୍ଷ ଓ ମେୟରଙ୍କ ପାଇଁ ଥିବା ସଂରକ୍ଷଣ ବ୍ୟବସ୍ଥାରେ ମଧ୍ୟ ସଂଶୋଧନ କରାଯିବ। ପୌର ନିର୍ବାଚନ ପାଇଁ କିଛି ନିୟମରେ ସଂଶୋଧନ ପ୍ରସ୍ତାବକୁ ଅନୁମୋଦନ ମିଳିଛି । ପୌରାଧ୍ୟକ୍ଷ, ମେୟର ଆସନ ପାଇଁ ପଛୁଆ ବର୍ଗଙ୍କ ପାଇଁ ଥିବା ସଂରକ୍ଷଣ ବ୍ୟବସ୍ଥାରେ ପରିବର୍ତ୍ତନ ପାଇଁ ସଂଶୋଧନ କରାଯିବ ।




admin 