କୋଭିଡ ମୁକାବିଲା ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା, ସଙ୍ଗରୋଧ କେନ୍ଦ୍ରରେ ଉପଯୁକ୍ତ ପରିଚାଳନା ଏବଂ ଅର୍ଥନୈତିକ ପୁନରୁଦ୍ଧାର ଉପରେ ଦିଆଯିବ ଗୁରୁତ୍ୱ
କୋଭିଡ ମୁକାବିଲା ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା, ସଙ୍ଗରୋଧ କେନ୍ଦ୍ରରେ ଉପଯୁକ୍ତ ପରିଚାଳନା ଏବଂ ଅର୍ଥନୈତିକ ପୁନରୁଦ୍ଧାର ଉପରେ ଦିଆଯିବ ଗୁରୁତ୍ୱ
admin
May 12, 2020 - 10:49
Updated: May 12, 2020 - 10:49
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ରାଜ୍ୟରେ କୋଭିଡ ନିୟନ୍ତ୍ରଣ ଅର୍ଥନୈତିକ ପୁନରୁଦ୍ଧାର କାର୍ଯ୍ୟକ୍ରମ ସମ୍ପର୍କରେ ମୁଖ୍ୟ ଶାସନ ସଚିବ ଓ ବରିଷ୍ଠ ଅଧିକାରୀମାନଙ୍କ ସହିତ ଆଲୋଚନା କରିଛନ୍ତି । ବର୍ତ୍ତମାନ ପ୍ରବାସୀ ଓଡ଼ିଆମାନେ ବହୁ ସଂଖ୍ୟାରେ ଓଡ଼ିଶା ଫେରୁଥିବାରୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ନିର୍ମିତ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର ଗୁଡ଼ିକର ଉପଯୁକ୍ତ ପରିଚାଳନା ଏବଂ ଲୋକମାନଙ୍କୁ ରୋଜଗାର ଯୋଗାଇ ଦେବା ପାଇଁ ଅର୍ଥନୀତିକୁ ଚଳଚଞ୍ଚଳ କରିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଆରୋପ କରିଥିଲେ । ଏଥିପାଇଁ ମାନବିକତା ଏବଂ ବୃତ୍ତିଗତ ଦକ୍ଷତା ସହ ଏହି କଠିନ ପରିସ୍ଥିତିର ମୁକାବିଲା କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହା ଏକ ଲମ୍ବା ଯୁଦ୍ଧ । ତେଣୁ କୋଭିଡ ମୁକାବିଲା ସମାଜର ସକି୍ରୟ ଅଂଶଗ୍ରହଣ ସହିତ ପଞ୍ଚାୟତିରାଜ ଅନୁଷ୍ଠାନ ଗୁଡ଼ିକୁ ବର୍ତ୍ତମାନ ପରିସ୍ଥିତିରେ ଅଧିକ ସଶକ୍ତ କରାଯିବାର ଆବଶ୍ୟକତା ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ଗଞ୍ଜାମ ଭଳି ଅନ୍ୟ ଜିଲ୍ଲାରେ ଥିବା ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର ମାନଙ୍କର ଅନ୍ତେବାସୀମାନଙ୍କୁ କୋଭିଡ ରୋଗ ପରିଚାଳନା ସମ୍ପର୍କରେ ତାଲିମ ଦିଆଯିବ ଦରକାର, ଯାହା ଫଳରେ କି ସଙ୍ଗରୋଧରୁ ବାହାରିବା ପନରେ ସେମାନେ କୋଭିଡ ସ୍ୱେଚ୍ଛାସେବୀ ଭାବରେ ସମାଜକୁ ସେବା ଯୋଗାଇ ଦେଇପାରିବେ ବୋଲି ମୁଖ୍ୟମନ୍ତ୍ରୀ ମତବ୍ୟକ୍ତ କରିଥିଲେ । ଏଥିପାଇଁ ଏକ ସଂକ୍ଷିପ୍ତ ସାର୍ଟିଫିକେଟ କୋର୍ସ ପ୍ରସ୍ତୁତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିଦେ୍ର୍ଧଶ ଦେଇଥିଲେ ।
ଆଗାମୀ ଏକ ସପ୍ତାହ ମଧ୍ୟରେ ଗଞ୍ଜାମ, ବାଲେଶ୍ୱର, କେନ୍ଦ୍ରାପଡ଼ା, ଭଦ୍ରକ, ଯାଜପୁର ଓ ବଲାଙ୍ଗୀର ଆଦି ଜିଲ୍ଲାମାନଙ୍କରେ କୋଭିଡ କେୟାର ସେଣ୍ଟରରେ ଶଯ୍ୟା ସଂଖ୍ୟା ବୃଦ୍ଧି ଉପରେ ବୈଠକରେ ଗୁରୁତ୍ୱ ଆରୋପ କରାଯାଇଥିଲା ।
ବର୍ତ୍ତମାନ ସମୟରେ ଗର୍ଭବତୀ ମହିଳା, ପ୍ରସୂତୀ, ଶିଶୁ, ଭିନ୍ନକ୍ଷମ ଓ ବୟସ୍କ ଲୋକମାନଙ୍କ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।
ଜୀବନ ଜୀବିକା ଏବଂ ଅର୍ଥନୈତିକ ପୁନରୁଦ୍ଧାର ସମ୍ପର୍କରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏମଜିଏନଆରଇଜିଏସ ଏବଂ ମିଶନ ଶକ୍ତି କାର୍ଯ୍ୟକ୍ରମକୁ ଅଧିକ ବ୍ୟାପକ କରାଯିବା ଦରକାର । ବିଭିନ୍ନ ବିଭାଗମାନେ ସେମାନଙ୍କ ଅଧୀନରେ ଯେପରି ଅଧିକରୁ ଅଧିକ ଲୋକଙ୍କୁ କାମ ଯୋଗାଇ ଦେଇପାରିବେ, ସେଥିପାଇଁ ଯୋଜନା କରିବାକୁ ମୁଖ୍ୟମନ୍ତ୍ରୀ ନିଦେ୍ର୍ଧଶ ଦେଇଥିଲେ । ଗ୍ରାମ ଅର୍ଥନୀତିକୁ ଅଧିକ ସଶକ୍ତ କରିବା ପାଇଁ ଅଧିକ ପାଣ୍ଠି ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ସ୍ୱାସ୍ଥ୍ୟ ସେବାରେ ନିୟୋଜିତ କର୍ମଚାରୀମାନଙ୍କ ପାଇଁ ପିପିଇ ଏବଂ ଅନ୍ୟ ମେଡିକାଲ ଉପକରଣ ଯୋଗାଣ ସୁନିଶ୍ଚିତ କରିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଆରୋପ କରିଥିଲେ ।
କୃଷି ଅର୍ଥନୀତିକୁ ଅଧିକ ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାର ଖୁବ ଶୀଘ୍ର ୩ଟି ଅର୍ଡିନାନ୍ସ ଆଣିବେ ବୋଲି ବୈଠକରୁ ଜଣାଯାଇଛି ।
ବର୍ତ୍ତମାନ ରବି ଧାନ ଅମଳ କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ ହୋଇସାରିଛି । ସାର, ବିହନ ଏବଂ ଅନ୍ୟାନ୍ୟ ଜରୁରୀ କୃଷି ଉପକରଣ ଯୋଗାଣ ଆରମ୍ଭ କରାଯାଇଛି । ଚାଷୀମାନଙ୍କ ପାଇଁ ହେଲପ ଲାଇନ ମଧ୍ୟ କାର୍ଯ୍ୟ କରୁଛି । ମତ୍ସ୍ୟ ଚାଷ, କୁକୁଡ଼ା ଚାଷ, ଉଦ୍ୟାନ କୃଷି, ଗୋପାଳନ ଆଦି କାର୍ଯ୍ୟକ୍ରମ ମଧ୍ୟ ସନ୍ତୋଷ ଜନକ ରହିଛି ।
ସ୍ୱୟଂ ସହାୟକ ଗୋଷ୍ଠୀମାନେ କୋଭିଡ ପରିଚାଳନାରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଛନ୍ତି ବୋଲି ମିଶନ ଶକ୍ତି ନିଦେ୍ର୍ଧଶିକା ସୂଚନା ଦେଇଥିଲେ । ମିଶନ ଶକ୍ତିର ମହିଳାମାନେ ୫୦ ଲକ୍ଷରୁ ଅଧିକ ମାସ୍କ ପ୍ରସ୍ତୁତ କରିଥିବା ବେଳେ ସେଥିରୁ ୪୬ ଲକ୍ଷରୁ ଅଧିକ ମାସ୍କ ବଣ୍ଟନ କରାଯାଇଛି । ସେହିପରି ମାଗଣା ରନ୍ଧା ଖାଦ୍ୟ ଯୋଗାଣ କାର୍ଯ୍ୟକ୍ରମରେ ଉଲ୍ଲେଖନୀୟ ଯୋଗଦାନ ଦେଇ ୧.୬ କୋଟି ମିଲ୍ ଯୋଗାଇ ଦେଇଛନ୍ତି । ଏହା ସହିତ ସେମାନେ ହସ୍ପିଟାଲ ଖାଦ୍ୟ ଯୋଗାଣ କାର୍ଯ୍ୟକ୍ରମ, ମାଛ ଚାଷ, କୃଷି, ପରିବାର ଗୁଡ଼ିକୁ ସିଧାସଳଖ ରାସନ ଯୋଗାଣ ଆଦି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ୩୦୦ କୋଟି ଟଙ୍କା ସୁଧମୁକ୍ତ ଋଣ ଦିଆଯାଇଛି ବୋଲି ବୈଠକରେ ସୂଚନା ଦିଆଯାଇଥିଲା ।
ବିଭିନ୍ନ କ୍ଷେତ୍ରରେ ଶ୍ରମଭିତ୍ତିକ କାର୍ଯ୍ୟକ୍ରମକୁ ଜୋରଦାର କରିବା ପାଇଁ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା । ଜଳସମ୍ପଦ, ଗ୍ରାମ୍ୟ ଉନ୍ନୟନ, ପୂର୍ତ୍ତ ଓ ଜଙ୍ଗଲ ବିଭାଗ ପକ୍ଷରୁ ଏ ଦିଗରେ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି ବୋଲି ବୈଠକରେ ସୂଚନା ଦିଆଯାଇଥିଲା । ଆଗାମୀ ଏକ ମାସରେ ଦିନକୁ ଏକ ଲକ୍ଷ ଲୋକଙ୍କୁ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ନିୟୋଜିତ କରାଯିବ ବୋଲି ସୂଚନା ଦିଆଯାଇଥିଲା ।
ଲକଡାଉନ ସମୟରେ ଆଇନଶୃଙ୍ଖଳା ବଜାୟ ରଖିବା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଛି ଏବଂ ନିୟମଭଙ୍ଗକାରୀ ମାନଙ୍କ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ବୋଲି ପୁଲିସ ମହାନିଦେ୍ର୍ଧଶକ ସୂଚନା ଦେଇଥିଲେ ।
ଏହି ବୈଠକରେ ମୁଖ୍ୟ ଶାସନ ସଚିବ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶଦାତା, ବିଭିନ୍ନ ବିଭାଗ ଦାୟିତ୍ୱରେ ଥିବା ଅତିରିକ୍ତ ମୁଖ୍ୟ ଶାସନ ସଚିବମାନେ, ପୋଲିସ ମହାନିଦେ୍ର୍ଧଶକ, ପ୍ରମୁଖ ଶାସନ ସଚିବ ଓ ସଚିବମାନେ ଉପସ୍ଥିତ ଥିଲେ ।