କେବେ ପିପିଲି ଆସିବେ ଅଶ୍ୱିନୀ, ନବୀନଙ୍କ ବିରୋଧରେ ପାଟି ଖୋଲିବ ତ

କେବେ ପିପିଲି ଆସିବେ ଅଶ୍ୱିନୀ, ନବୀନଙ୍କ ବିରୋଧରେ ପାଟି ଖୋଲିବ ତ

କେବେ ପିପିଲି ଆସିବେ ଅଶ୍ୱିନୀ, ନବୀନଙ୍କ ବିରୋଧରେ ପାଟି ଖୋଲିବ ତ


ଭୁବନେଶ୍ୱର: ପିପିଲି ଉପନିର୍ବାଚନ ପ୍ରଚାର ଜମି ଆସିଲାଣି । ତିନି ଦଳ ଜୀ ଜାନ ଲଗାଇ ମାତିଛନ୍ତି ପ୍ରଚାରରେ । ବିଜେପି ପକ୍ଷରୁ ତାରକା ପ୍ରଚାରକ ଭାବେ ଖେଦୁଛନ୍ତି ସମ୍ବିତ ପାତ୍ର । ହେଲେ ସଭିଙ୍କ ନଜର ଅପେକ୍ଷା କରିଛିି ମୋଦିଙ୍କ କ୍ୟାବିନେଟର ନୂଆ ଚେହେରା ଅଶ୍ୱିନୀ ବୈଷ୍ଣବଙ୍କ ଉପରେ । ପିପିଲି ଉପନିର୍ବାଚନ ପ୍ରଚାର ସରିବାକୁ ଆଉ ଦିନ କେଇଟା ରହିଲା । ଏମିତିରେ କେବେ ଆସିବେ ଅଶ୍ୱିନୀ ବୈଷ୍ଣବ? ଏହା ସବୁଠୁ ବଡ଼ ପ୍ରଶ୍ନ । କେବଳ ରାଜ୍ୟ ବିଜେପି ପାଇଁ ନୁହେଁ, ଓଡ଼ିଶା ରାଜନୈତିକ ମହଲରେ ବି ଏ ପ୍ରଶ୍ନ ଘୂରି ବୁଲୁଛି । ସଭିଙ୍କୁ ଚକିତ କରି ମୋଦି ତାଙ୍କ ନୂଆ କ୍ୟାବିନେଟର ଓଡ଼ିଶାର ରାଜ୍ୟସଭା ସାଂସଦ ଅଶ୍ୱିନୀଙ୍କୁ ସାମିଲ କରିବା ସହ ରେଳ ମନ୍ତ୍ରାଳୟ ଦେବା ପରଠୁ ଦଳରେ ତାଙ୍କ କ୍ରେଜ୍ ବଢ଼ିଯାଇଛି । ଏମିତିକି ଗତ ଥର ଓଡ଼ିଶା ଗସ୍ତରେ ଆସିଥିବାବେଳେ ଧର୍ମେନ୍ଦ୍ର ପ୍ରଧାନଙ୍କ ତୁଳନାରେ ଅଶ୍ୱିନୀଙ୍କୁ ଦେଖିବାକୁ ବେଶ୍ ଭିଡ଼ ଜମୁଥିଲା । ଏଭଳି ଲୋକପ୍ରିୟତା ଏବେ ରାଜ୍ୟ ବିଜେପିରେ କାହାରି ନାହିଁ । ଅଶ୍ୱିନୀଙ୍କ ଲୋକପ୍ରିୟତାରୁ ବିଜେପି ଫାଇଦା ନେବାକୁ ଚାହୁଁଥିବାବେଳେ ଅପେକ୍ଷା ତାଙ୍କ ଆଗମନକୁ । ଆଉ ଏକ ପ୍ରଶ୍ନ ହେଲା, ଅଶ୍ୱିନୀ ପ୍ରଚାର ମଇଦାନରେ କୁଦିଲେ କହିବେ କ’ଣ? ଅଶ୍ୱିନୀ କ’ଣ ନବୀନ ସରକାର ବିରୋଧରେ ମୁହଁ ଖୋଲିପାରିବେ? ସିଧାସଳଖ ନବୀନଙ୍କୁ ଟାର୍ଗେଟ କରିପାରିବେ? ଏମିତି ପ୍ରଶ୍ନ ଏବେ ରାଜ୍ୟ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ।

  ଓଡ଼ିଶା କ୍ୟାଡର ଆଇଏଏସ୍ ଅଶ୍ୱିନୀ ଏବେ ବିଜେପି ନେତା । ବିଜେପି ତାଙ୍କୁ ରାଜ୍ୟସଭାକୁ ପଠାଇଥିବାବେଳେ କେନ୍ଦ୍ର ମନ୍ତ୍ରୀ ପଦ ଦେଇଛି । ହେଲେ ଅଶ୍ୱିନୀଙ୍କୁ ରାଜ୍ୟସଭା ପଠାଇବାରେ ବିଜେଡିର ବେଶ୍ ବଡ଼ ଭୂମିକା ରହିଛି । ବିଜେଡିର ଖୋଲା ସମର୍ଥନ ଯୋଗୁ ଅଶ୍ୱିନୀ ରାଜ୍ୟସଭାକୁ ନିର୍ବାଚିତ ହୋଇପାରିଥିଲେ । ନବୀନଙ୍କ ସାହାଯ୍ୟ ବିନା ଅଶ୍ୱିନୀ କେବେ ବି ଏତେ ବାଟ ଯାଇପାରିନଥାନ୍ତେ । ଏକଥାକୁ ଅଶ୍ୱିନୀ ବି ଭୁଲିନଥିବେ । ଏଭଳି ସ୍ଥିତିରେ ପିପିଲି ଉପନିର୍ବାଚନ ପ୍ରଚାର ମଇଦାନରେ ଓହ୍ଲାଇଲେ ଅଶ୍ୱିନୀଙ୍କ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି ହୋଇପାରେ । ସେ ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିପାରିବେ । ମାତ୍ର କର୍ମୀଙ୍କ ଭିତରେ ଜୋଶ୍ ଭରିବାକୁ  ନବୀନଙ୍କ ୨୧ ବର୍ଷର ଶାସନ ବିରୋଧରେ କ’ଣ ପଦୁଟିଏ କହିପାରିବେ? ଏକଥାକୁ ବିଜେଡି ନେତାମାନେ ମଧ୍ୟ ଗ୍ରହଣ କରିପାରୁନାହାନ୍ତି । କେତେକ ବିଜେଡି ନେତାଙ୍କ କହିବା କଥା ହେଲା, ଆଜି ଅଶ୍ୱିନୀ ବିଜେପିର ହେଭିୱେଟ ନେତା ହୋଇପାରନ୍ତି । ହେଲେ ସେ ଭୁଲିବା କଥା ନୁହେଁ, ଯଦି ନବୀନଙ୍କ ଆଶୀର୍ବାଦ ନଥାନ୍ତା, ତେବେ କ’ଣ ଅଶ୍ୱିନୀ ଏତେ ବାଟ ଯାଇପାରିଥାନ୍ତେ । ନବୀନଙ୍କ ଅବଦାନକୁ ଅଶ୍ୱିନୀ କେମିତି ଭୁଲିବେ?

  ରାଜନୈତିକ ବିଶାରଦଙ୍କ କହିବା କଥା ହେଲା, ବର୍ତ୍ତମାନ ଧର୍ମେନ୍ଦ୍ରଙ୍କଠାରୁ ବି ଅଶ୍ୱିନୀଙ୍କ କ୍ରେଜ୍ ବଢ଼ିଛି । ହେଲେ ବିଜେଡି ସହ ତାଙ୍କର ସୁସମ୍ପର୍କ କାହାରିକୁ ଅଛପା ନାହିଁ । ନବୀନଙ୍କ ସହାୟତା ବିନା ସେ କେବେ ବି ଓଡ଼ିଶାରୁ ରାଜ୍ୟସଭା ଯାଇପାରିନଥାନ୍ତେ । ଏମିତିରେ ପିପିଲି ଉପନିର୍ବାଚନ ହେଉ କି ସାଧାରଣ ନିର୍ବାଚନ, ଅଶ୍ୱିନୀଙ୍କ ପାଟିରୁ ନବୀନଙ୍କ ବିରୋଧରେ ପଦୁଟିଏ ବାହାରିବା ମୁସ୍କିଲ । ତେଣୁ ତାରକା ପ୍ରଚାରକ ଥିଲେ ମଧ୍ୟ ଏଯାଏଁ ଅଶ୍ୱିନୀ ବୈଷ୍ଣବ ପିପିଲି ଉପନିର୍ବାଚନରୁ ଦୂରେଇ ରହିଛନ୍ତି । ତଥାପି ପ୍ରଚାର ମଇଦାନରେ ତାଙ୍କ ଆଗମନ ଓ ତାଙ୍କ ବକ୍ତବ୍ୟ ଉପରେ ସଭିଙ୍କ ନଜର ଅଟକିଛି ।