କେନ୍ଦୁଝର ପାଇଁ ସ୍ୱାସ୍ଥ୍ୟ କାର୍ଡ, ବର୍ଷକରେ ସବୁ ଘରକୁ ପାଣି
କେନ୍ଦୁଝର ପାଇଁ ସ୍ୱାସ୍ଥ୍ୟ କାର୍ଡ, ବର୍ଷକରେ ସବୁ ଘରକୁ ପାଣି
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କେନ୍ଦୁଝର ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ସ୍ମାର୍ଟ ହେଲ୍ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି। ଜିଲ୍ଲାର ପ୍ରାୟ ୪.୨୦ ଲକ୍ଷ ପରିବାର ଏହି ସୁବିଧା ପାଇବେ। କେନ୍ଦୁଝର ସହିତ ରାଜ୍ୟର ୧୩ଟି ଜିଲ୍ଲା ଏହି କାର୍ଯ୍ୟକ୍ରମରେ ସାମିଲ ହେଲା।
ଏହି କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ କେନ୍ଦୁଝର ଜିଲ୍ଲା ପାଇଁ ୧୪୩୩ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ, ରାଜ୍ୟ ସରକାର ଭଲ ପିଇବା ପାଣି ଉପରେ ଗୁରୁତ୍ବ ଦେଇଆସୁଛନ୍ତି। କେନ୍ଦୁଝରର ସବୁ ଗାଁ, ସବୁ ସହର ଓ ସବୁ ପରିବାରକୁ ଡିସେମ୍ବର ୨୦୨୨ ସୁଦ୍ଧା ପାଇପ ପାଣି ସଂଯୋଗ ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ।
ଜନଜାତି ଭାଇ ଭଉଣୀ ମାନଙ୍କ ରୋଜଗାର ବୃଦ୍ଧି ପାଇଁ ରାଜ୍ୟ ସରକାର ୩୬ କୋଟି ଟଙ୍କାରେ ବୃହତ କୁକୁଡା ପାଳନ ପ୍ରକଳ୍ପ (Mega Poultry Project) ଆରମ୍ଭ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହାଦ୍ବାରା ୩୦ ହଜାର ଜନଜାତି ଭାଇ ଭଉଣୀ ଉପକାର ପାଇବେ ବୋଲି ସେ କହିଥିଲେ ।
ମୁଖ୍ୟମନ୍ତ୍ରୀ କହିଲେ, ସ୍ମାର୍ଟ ହେଲ୍ଥ କାର୍ଡ ଦ୍ବାରା ରାଜ୍ୟର ୯୬ ଲକ୍ଷ ପରିବାରର ସାଢେ ତିନି କୋଟି ଲୋକ ଉପକୃତ ହେବେ । ଏହାଦ୍ବାରା ଆମର ଗରିବ ଲୋକମାନେ ସ୍ବାସ୍ଥ୍ୟ ସେବା ପାଇଁ ଅନେକ ସମସ୍ୟାରୁ, ବିଶେଷକରି ଆର୍ଥିକ ସମସ୍ୟାରୁ ମୁକ୍ତ ହୋଇପାରିବେ । ଲୋକମାନେ ସ୍ବାସ୍ଥ୍ୟ ସମସ୍ୟାରେ ପଡିଲେ ଚିକିତ୍ସା ପାଇଁ କିପରି ଜମିବାଡି ବିକିବାକୁ ବାଧ୍ୟ ହୁଅନ୍ତି, ପିଲାଙ୍କ ପାଠପଢା ବନ୍ଦ କରନ୍ତି, ସେ ସବୁ ସମସ୍ୟା ବିଷୟରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଏହା ତାଙ୍କୁ ବହୁତ ଦୁଃଖ ଦେଇଥାଏ। ବର୍ତ୍ତମାନ ଲୋକମାନେ ବିନା କୌଣସି ଅସୁବିଧାରେ କାର୍ଡ ଖଣ୍ଡିଏ ଧରି ଦେଶର ୨୦୦ ବଡ଼ ହସ୍ପିଟାଲରେ ଭଲ ଚିକିତ୍ସା ପାଇପାରିବେ। ଏଥିପାଇଁ ଟଙ୍କାଟିଏ ବି ଖର୍ଚ୍ଚ କରିବାକୁ ପଡିବ ନାହିଁ।
ପ୍ରାରମ୍ଭରେ ମୁଖ୍ୟମନ୍ତ୍ରୀ ଶିଶୁ ଦିବସ ଦିନ ୧୦୦ଟି ରୂପାନ୍ତରୀତ ସ୍କୁଲର ଲୋକାର୍ପଣ ପାଇଁ ଖୁସି ବ୍ୟକ୍ତ ପାଇଁ ଏଥିପାଇଁ କାମ କରିଥିବା ଲୋକ ମାନଙ୍କୁ ଧନ୍ୟବାଦ ଦେଇଥିଲେ। ଗୋଟିଏ ଦିନରେ ୧୦୦ଟି ସ୍କୁଲର ଲୋକାର୍ପଣ ସାରା ରାଜ୍ୟରେ ଏକ ରେକର୍ଡ ବୋଲି ସେ କହିଥିଲେ । ପୁଷ୍ଟି ନିରାପତ୍ତା କ୍ଷେତ୍ରରେ କେନ୍ଦୁଝର ଜିଲ୍ଲା ଭଲ ପ୍ରଦର୍ଶନ କରୁଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ ଏଥିରେ ଖୁସି ପ୍ରକାଶ କରିଥିଲେ ।




admin 