କାହାକୁ ରେଡ ଓ କାହାକୁ ଅରେଞ୍ଜ ୱାର୍ଣ୍ଣିଂ ଜାଣନ୍ତୁୂ
କାହାକୁ ରେଡ ଓ କାହାକୁ ଅରେଞ୍ଜ ୱାର୍ଣ୍ଣିଂ ଜାଣନ୍ତୁୂ
admin
Oct 24, 2019 - 09:25
Updated: Oct 24, 2019 - 09:25
ଭୁବନେଶ୍ୱର: ଗତ ଦୁଇ ଦିନ ଧରି ରାଜ୍ୟରେ ଲାଗି ରହିଥିବା ଲଗାଣ ବର୍ଷା ଯୋଗୁ ଅଧା ଓଡ଼ିଶା ବେହାଲ ହୋଇପଡ଼ିଛି । ୱେଲମାର୍କ ଲୋ ପ୍ରେସର ପ୍ରଭାବରେ ବର୍ଷା ଜାରି ରହିଛି । ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ବର୍ଷା ଲାଗି ରହିଛି । ତଳିଆ ଅଞ୍ଚଳରେ ଜଳବନ୍ଦୀ ସ୍ଥିତି ସୃଷ୍ଟି ହୋଇଛି । ବ୍ରହ୍ମପୁର ସହରର ବିଭିନ୍ନ ସ୍ଥାନରେ ପାଣି ପଶିଛି । ଭୁବନେଶ୍ୱର ଓ କଟକରେ ବି ବର୍ଷା ଯୋଗୁଁ ଜଳବନ୍ଦୀ ସ୍ଥିତି ଉପୁଜିଛି । ଲଗାଣ ବର୍ଷା ଯୋଗୁଁ ଜୀବନ ଯାତ୍ରା ବ୍ୟାହତ ହୋଇଛି । ତେବେ ଆଜି ରାଜ୍ୟରେ ଏମିତି ବର୍ଷା ଲାଗି ରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି । ଏହାକୁ ଆଖି ଆଗରେ ରଖି କେତେକ ଜିଲ୍ଲାକୁ ରେଡ ଓ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।
ରେଡ ୱାର୍ଣ୍ଣିଂ:
୫ଟି ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଜାରି କରାଯାଇଛି । ଅତି ପ୍ରବଳ ବର୍ଷାନେଇ ସମ୍ପୃକ୍ତ ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଜାରି କରାଯାଇଛି । ସେହି ଜିଲ୍ଲାଗୁଡ଼ିକ ହେଲା ଢେଙ୍କାନାଳ, କେନ୍ଦୁଝର, କଟକ, ଖୋର୍ଦ୍ଧା ଓ ପୁରୀ । ଆସନ୍ତାକାଲି ପର୍ଯ୍ୟନ୍ତ ଏହି ଜିଲ୍ଲାଗୁଡ଼ିକୁ ରେଡ ୱାର୍ଣ୍ଣିଂ ଜାରି କରାଯାଇଛି ।
ଅରେଞ୍ଜ ୱାର୍ଣ୍ଣିଂ:
ଅନ୍ୟପକ୍ଷରେ ପ୍ରବଳ ବର୍ଷା ସମ୍ଭାବନା ନେଇ ୧୦ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ସେହି ଜିଲ୍ଲାଗୁଡ଼ିକ ହେଲା ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ଗଞ୍ଜାମ, ନାୟାଗଡ଼, ଦେବଗଡ ଓ ଅନୁଗୁଳ ।
ଅନ୍ୟପକ୍ଷରେ ବର୍ଷା ସତ୍ୱେ ଓଡ଼ିଶାରେ ବନ୍ୟା ସ୍ଥିତି ନଥିବା ସ୍ୱତନ୍ତ୍ର ରିଲିଫ କମିଶନର(ଏସଆରସି) ପ୍ରଦୀପ ଜେନା କହିଛନ୍ତି । ଅନ୍ୟପକ୍ଷରେ ବିଭିନ୍ନ ଜିଲ୍ଲାରେ ବର୍ଷା ନେଇ ଶ୍ରୀ ଜେନା ସୂଚନା ଦେଇ କହିଛନ୍ତି ଯେ , ୨ଟି ବ୍ଲକରେ ୨୦୦ ମିମି ଓ ୩୭ଟି ବ୍ଲକରେ ୧୦୦ ମିମିରୁ ଅଧିକ ବର୍ଷା ହୋଇଛି । ପୁରୀ କୃଷ୍ଣପ୍ରସାଦ ବ୍ଲକରେ ସର୍ବାଧିକ ୨୪୯.୪ ମିମି ବର୍ଷା ରେକର୍ଡ କରାଯାଇଛି । ଗଞ୍ଜାମ ଚିକିଟି ବ୍ଲକରେ ୨୦୩ ମିମିବର୍ଷା ରେକର୍ଡ କରାଯାଇଛି । ତେବେ ବନ୍ୟା ସ୍ଥିତି ନାହିଁ । କଟକର କିଛି ଜାଗାରେ ପାଣି ଜମିଥିବା ସୂଚନା ମିଳିଛି ବୋଲି ଶ୍ରୀ ଜେନା କହିଛନ୍ତି ।