କରୋନାକୁ ନେଇ ବାହାରିଲା ଗୀତ, ଝିଅ ନୁହେଁ ତୁ କରୋନା ଭାଇରସ..
କରୋନାକୁ ନେଇ ବାହାରିଲା ଗୀତ, ଝିଅ ନୁହେଁ ତୁ କରୋନା ଭାଇରସ..
admin
Mar 17, 2020 - 09:30
Updated: Mar 17, 2020 - 09:30
ଭୁବନେଶ୍ୱର: ‘କରୋନା’ କୁ ବିଶ୍ୱ ମହାମାରୀ ଘୋଷଣା କରାଯାଇଛି । କେନ୍ଦ୍ର ସରକାର ଜାତୀୟ ବିପର୍ଯ୍ୟୟ ଓ ରାଜ୍ୟ ସରକାର ଏହାକୁ ରାଜ୍ୟ ବିପର୍ଯ୍ୟୟ ଘୋଷଣା କରିଛନ୍ତି । କରୋନା ନାଁ ଶୁଣିଲେ ଦେହରେ ଛନକା ପଶିଯାଉଛି । ମାତ୍ର କରୋନା ଶବ୍ଦକୁ ନେଇ ଶିବ ଭିଡିଓ ନାମକ ଏକ ସଂସ୍ଥା ଏକ ଗୀତ ପ୍ରସ୍ତୁତ କରି ସୋସିଆଲ ମିଡିଆରେ ଛାଡ଼ିଛି । ‘ଝିଅ ନୁହେଁ ତୁ କରୋନା ଭାଇରସ’ ନାମକ ଏହି ଗୀତ ୟୁ ଟ୍ୟୁବରେ ଆସିବା ପରେ ଏହାକୁ ଅନେକ ବିରୋଧ କରିଛନ୍ତି । କରୋନା ଶବ୍ଦଟି ଏବେ ସମସ୍ତଙ୍କ ଆତଙ୍କିତ କରୁଥିବା ବେଳେ ଏ ଗୀତଟିକୁ ଗାଇଥିବା କଣ୍ଠଶିଳ୍ପୀ କେମିତି ଏହାକୁ ମଉଜ କରିବା ଉଦ୍ଦେଶ୍ୟରେ ବ୍ୟବହାର କଲେ ସେଇ ନେଇ ବହୁ ବିରୋଧାଭାସ ପ୍ରତିକ୍ରିୟା ପୋଷ୍ଟ କରାଯାଉଛି । ଗୀତଟିକୁ ପବିତ୍ର ଲେଖିଥିବା ବେଳେ ଗଣେଶ ପ୍ରସାଦ ଏହାକୁ ସଙ୍ଗୀତରେ ସଜାଇଛନ୍ତି । ଏ ନେଇ ଲୋକପ୍ରିୟ ସଂଗୀତ ନିର୍ଦ୍ଦେଶକ ମଳୟ ମିଶ୍ରଙ୍କ କହିବା ମୁତାବକ କରୋନା ଭୁତାଣୁକୁ ନେଇ ସମଗ୍ର ବିଶ୍ୱବାସୀ ଭୟଭୀତ ହୋଇଥିବା ବେଳେ ସେଇ ଶବ୍ଦକୁ ନେଇ ମନୋରଞ୍ଜନଧର୍ମୀ ଉତ୍ପାଦ ଭାବେ ଭେଟି ଦେବା ମୋ ମତରେ ଠିକ୍ ନୁହେଁ ବୋଲି ସେ କହିଛନ୍ତି ।
ସଂସ୍କୃତି ଓ ସଂସ୍କୃତି ତଥା ସିନେ କ୍ରିଟିକ ଆସୋସିଏସନର ସଭାପତି ପ୍ରଦୋଷ ପଟ୍ଟନାୟକ ଓ ଦିଲ୍ଲୀପ ହାଲି ମଧ୍ୟ ଏହାର ବିରୋଧ କରି କହିଛନ୍ତି ଯେ କରୋନାକୁ ନେଇ ଏବେ ଭୟର ବାତାବରଣ ଥିବା ବେଳେ କରୋନାକୁ ନେଇ ଗୀତ ଲେଖିବା, ଏହାକୁ ଗାଇବା ଓ ଏହାକୁ ତିଆରି କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା ଉଚିତ । ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଏଭଳି ଅରୁଚିକର ଗୀତ ପ୍ରସ୍ତୁତ କରିଥିବାରୁ ପ୍ରଯୋଜନା ସଂସ୍ଥା କ୍ଷମା ମାଗୁ ଏବଂ ଏହି ଗୀତକୁ ତୁରନ୍ତ ବ୍ୟାନ କରାଯାଉ । କରୋନାକୁ ନେଇ ସୋସିଆଲ ମିଡିଆରେ ଅପପ୍ରଚାର କରୁଥିବା ବ୍ୟକ୍ତିଙ୍କୁ ପୁଲିସ ଉଠାଇ ନେଉଥିବା ବେଳେ ଏପରି ଗୀତ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ ବୋଲି ଶ୍ରୀ ହାଲି ପ୍ରଶ୍ନ କରିଛନ୍ତି ।