କରୋନା: ଆକ୍ରାନ୍ତଙ୍କ ସଂଖ୍ୟା କମୁଛି, ବଢୁଛି ମୃତକଙ୍କ ସଂଖ୍ୟା

କରୋନା: ଆକ୍ରାନ୍ତଙ୍କ ସଂଖ୍ୟା କମୁଛି, ବଢୁଛି ମୃତକଙ୍କ ସଂଖ୍ୟା

କରୋନା: ଆକ୍ରାନ୍ତଙ୍କ ସଂଖ୍ୟା କମୁଛି, ବଢୁଛି ମୃତକଙ୍କ ସଂଖ୍ୟା
ଭୁବନେଶ୍ୱର: ରାଜ୍ୟରେ ଏବେ ମାତ୍ର ୨ ପ୍ରତିଶତ ଚିକିତ୍ସାଧୀନ କରୋନା ରୋଗୀ ରହିଛନ୍ତି । ଅପରପକ୍ଷରେ ରାଜ୍ୟରେ କରୋନା ମୃତୁ୍ୟ ସଂଖ୍ୟା ବଢ଼ି ବଢ଼ି ଚାଲିଛି । ଗତ ସେପ୍ଟେମ୍ବର ୨୬ ତାରିଖ ବେଳକୁ ୧୦ ଲକ୍ଷ ଜନସଂଖ୍ୟାରେ ରାଜ୍ୟରେ ୧୭ ଜଣଙ୍କ ମୃତୁ୍ୟ ହେଉଥିବା ବେଳେ ଚଳିତ ମାସ ୨୩ ତାରିଖ ସୁଦ୍ଧା ଏଥିରେ ବୃଦ୍ଧି ଦେଖିବାକୁ ମିଳିଛି । ଏବେ ପ୍ରତି ୧୦ ଲକ୍ଷ ଜନସଂଖ୍ୟାରେ ରାଜ୍ୟରେ ୩୫ ଜଣ କରୋନରେ ପ୍ରାଣ ହରାଉଥିବା ଜଣାପଡ଼ିଛି । ସ୍ୱାସ୍ଥ୍ୟ ବିଭାଗରୁ ମିଳିଥିବା ସୂଚନା ଅନୁସାରେ ରାଜ୍ୟରେ ଗତ ଅଗଷ୍ଟ ଓ ସେପ୍ଟେମ୍ବର ମାସରେ ସଂକ୍ରମଣ ଶୀର୍ଷରେ ରହିଥିବା ସମୟରେ କୋଭିଡ ହସ୍ପିଟାଲ ଗୁଡ଼ିକରେ ଅନେକ ଚିକିତ୍ସାଧୀନ ରୋଗୀଙ୍କ ମୃତୁ୍ୟ ହୋଇଛି । ଏସବୁ ମୃତୁ୍ୟର ଡେଥ ଅଡିଟ କରାଯାଇଥିଲା । ସେ ସମୟରେ ହୋଇଥିବା ମୃତୁ୍ୟକୁ ଏବେ ଘୋଷଣା କରାଯାଉଛି । ଏହା ସହ ପୂର୍ବରୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଅତ୍ୟନ୍ତ ଚତୁରତାର ସହିତ କରୋନା ମୃତୁ୍ୟ ସଂଖ୍ୟାକୁ ଲୁଚାଇବା ଲାଗି ଅଣ କରୋନା ମୃତୁ୍ୟ ସଂଖ୍ୟା ଜାରି ହୋଇଥିବା ଅଭିଯୋଗ ହୋଇଥିଲା । ରାଜ୍ୟ ତଥା ରାଜ୍ୟ ବାହାରର ଅନେକ ସ୍ୱାସ୍ଥ୍ୟ ବିଶେଷଜ୍ଞ ଏଭଳି ଘୋଷଣାକୁ ନେଇ ପ୍ରଶ୍ନ ଉଠାଇଥିଲେ । ଅଗଷ୍ଟ ୧୦ ତାରିଖରେ ରାଜ୍ୟରେ ଶେଷ ଥର ଲାଗି ଅଣ କରୋନା ମୃତୁ୍ୟ ସମ୍ପର୍କରେ ଘୋଷଣା ହୋଇଥିଲା । ୫୩ ସଂଖ୍ୟା ପରେ ଆଉ କୌଣସି ଅଣ କରୋନା ମୃତୁ୍ୟ ଘୋଷଣା ହୋଇନାହିଁ । ରାଜ୍ୟରେ କରୋନା ମୃତୁ୍ୟ ସଂଖ୍ୟାରେ ଏବେ ପୂର୍ବରୁ ଘୋଷିତ ହେଉଥିବା ଅଣ କରୋନା ମୃତୁ୍ୟକୁ ମଧ୍ୟ ସାମିଲ କରାଯାଉଥିବା ସୂଚନା ମିଳିଛି । ଫଳରେ ସଂକ୍ରମଣ କମିଥିଲେ ହେଁ ମୃତୁ୍ୟ ସଂଖ୍ୟା ପୂର୍ବ ଭଳି ଜାରି ରହିଥିବା ପ୍ରତୀୟମାନ ହେଉଛି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ୧୪ ଜଣଙ୍କ କରୋନାରେ ମୃତୁ୍ୟ ସମ୍ପର୍କରେ ଘୋଷଣା କରାଯାଇଛି । ଫଳରେ ରାଜ୍ୟରେ ସମୁଦାୟ ମୃତୁ୍ୟ ସଂଖ୍ୟା ୧୬୭୧କୁ ବୃଦ୍ଧି ପାଇଛି ।