କୀର୍ତ୍ତିରାଜି ସୁରକ୍ଷା ପାଇଁ ତରବରିଆ ଚିଠିଲେଖି ଦାୟୀତ୍ବ ଝାଡିଦେଲା ASI

କୀର୍ତ୍ତିରାଜି ସୁରକ୍ଷା ପାଇଁ ତରବରିଆ ଚିଠିଲେଖି ଦାୟୀତ୍ବ ଝାଡିଦେଲା ASI

ଧିରେ ଧିରେ ଉପକୂଳକୁ ମାଡ଼ି ଆସୁଛି ସାମୁଦ୍ରିକ ଝଡ଼ ଦାନା । ତେବେ ବାତ୍ୟାକୁ ଦୃଷ୍ଟିରେ ରଖି ଐତିହ୍ୟ କୀର୍ତ୍ତିରାଜି ଗୁଡିକର ସୁରକ୍ଷା ପାଇଁ ପଦକ୍ଷେପ ନେଇଛି ଏଏସଆଇ। ପୁରୀ, କଟକ, ଜଗତସିଂହପୁର ଏବଂ ଯାଜପୁର ଜିଲ୍ଳାରେ ଥିବା ସମସ୍ତ ଐତିହ୍ୟ କୀର୍ତ୍ତିରାଜିର ଯେଉଁଭଳି କୌଣସି ବାତ୍ୟା ଦ୍ବାରା କ୍ଷତି ନ ଘଟିବ ସେନେଇ ଏଏସଆଇ ପକ୍ଷରୁ ଅଧିକାରୀ ମାନଙ୍କୁ ଚିଠି ଯୋଗେ ନିର୍ଦ୍ଦେଶ ଦିଆଯାଇଛି। ଐତିହ୍ୟ କୀର୍ତ୍ତିରାଜି ଗୁଡିକରେ ଲାଗିଥିବା ଲୁହା ସ୍କାଫୋଲ୍ଡିଙ୍ଗ ଯେଭଳି ପବନ ଦ୍ବାରା କୌଣସି ସମସ୍ୟା ସୃଷ୍ଟି ନହୁଏ ସେ ଦିଗରେ ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଓଭର ହେଡ ପାଣି ଟାଙ୍କି ସମ୍ପୂର୍ଣ୍ଣ ଭାବେ ପୂର୍ଣ୍ଣ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଡିଜି ସେଟ୍ ଗୁଡିକ ପାଇଁ ପର୍ଯ୍ୟାପ୍ତ ପରିମାଣରେ ତେଲ ମହଜୁଦ ରଖିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ପ୍ରବଳ ବର୍ଷା ଯୋଗୁ କୋଣାର୍କ ସୂର୍ଯ୍ୟ ମନ୍ଦିରରେ ଜଳବନ୍ଦୀ ସମସ୍ୟା ହେବାର ଆଶଙ୍କା ଥିବାରୁ ଜଳ ନିଷ୍କାସନ ପାଇଁ ପମ୍ପସେଟର ବ୍ୟବସ୍ଥା କରିବା ପାଇଁ କୁହାଯାଇଛି। ଶ୍ରୀମନ୍ଦିରର ବିଭିନ୍ନ ସ୍ଥାନ ଯାଞ୍ଚ କରାଯିବା ସହ ମନ୍ଦିରର ବିଭିନ୍ନ ଅଂଶରେ ପାଣି ନିଷ୍କାସନ ପାଇଁ ଯେଭଳି କୌଣସି ଅସୁବିଧା ନହୁଏ ସେ ଦିଗରେ ମଧ୍ୟ ପଦକ୍ଷେପ ନେବାକୁ କୁହାଯାଇଛି। ତେବେ ସାମୁଦ୍ରିକ ଝଡ଼ ଦାନା ଶହେରୁ ଶହେ କୋଡ଼ିଏ କି.ମି ବେଗରେ ପବନ ବହିବା ସହ ୨୪ ଓ ୨୫ ତାରିଖରେ ଏହାର ପ୍ରଭାବ ଆହୁରି ଅଧିକ ରହିବ। ଏଣୁ ଏଏସଆଇ ଅଧିନରେ ଥିବା ସଂଗ୍ରହାଳୟ ଏବଂ ସମସ୍ତ ଐତିହ୍ୟ କୀର୍ତ୍ତିରାଜି ଗୁଡିକୁ ୨୪ ଓ ୨୫ ଦୁଇଦିନ ଭକ୍ତ ଓ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରଖାଯିବାକୁ ନିର୍ଦ୍ଦେଶ ଦିଆଯାଇଛି ।