କଙ୍ଗନାଙ୍କ ମନ୍ତବ୍ୟ ପାଗଳାମୀ ନା ଦେଶଦ୍ରୋହ
କଙ୍ଗନାଙ୍କ ମନ୍ତବ୍ୟ ପାଗଳାମୀ ନା ଦେଶଦ୍ରୋହ
ନୂଆଦିଲ୍ଲୀ: ବଲିଉଡର ବିବାଦ ରାଣୀ ତଥା ନିକଟରେ ପଦ୍ମଶ୍ରୀ ଓ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇ ଥିବା କଙ୍ଗନା ରଣାୱତ ଏବେ ପୁଣି ବିବାଦକୁ ଡାକି ଆଣିଛନ୍ତି। କଙ୍ଗନା ଏକ ଇଂରାଜୀ ଟିଭି ଚ୍ୟାନେଲ କାର୍ଯ୍ୟକ୍ରମରେ ଦେଇଥିବା ବୟାନକୁ ନେଇ ଏବେ ଦେଶବ୍ୟାପୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଗଣମାଧ୍ୟମ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇ କଙ୍ଗନା କହିଛନ୍ତି,୧୯୪୭ରେ ଭାରତ ସ୍ୱାଧୀନ ହୋଇନଥିଲା। ୧୯୪୭ରେ ଭାରତକୁ ମିଳିଥିବା ସ୍ୱାଧିନତା ଭିକ ଥିଲା । ପ୍ରକୃତ ସ୍ୱାଧିନତା ୨୦୧୪ରେ ମିଳିଥିଲା । ବିନା ରକ୍ତପାତରେ ମିଳିଥିବା ସ୍ୱାଧୀନତା ଭିକ ବୋଲି ସେ କହିଛନ୍ତି । ଏଭଳି କଥା କହି ସେ ଭାରତୀୟ ସ୍ୱାଧୀନତା ସଂଗ୍ରାମ ଓ ସ୍ୱାଧୀନତା ସଂଗ୍ରାମଙ୍କୁ ଅପମାନିତ କରିଛନ୍ତି। ତେଣୁ ତାଙ୍କ ବିରୋଧରେ ଦେଶ ଦ୍ରୋହ ମାମଲା ହେବା ସହ ତାଙ୍କୁ ଗିରଫ କରିବା ଓ ତାଙ୍କଠାରୁ ମର୍ଯ୍ୟାଦାଜନକ ପଦ୍ମ ପୁରସ୍କାର ଫେରାଇ ଆଣିବାକୁ ବିଭିନ୍ନ ମହଲରେ ଦାବି ହୋଇଛି।
କେବଳ ବିରୋଧୀ ନୁହନ୍ତି, ବିଜେପି ସାଂସଦ ବରୁଣ ଗାନ୍ଧି ଏଭଳି ବୟାନକୁ କଡ଼ା ଶବ୍ଦରେ ନିନ୍ଦା କରିଛନ୍ତି। କଙ୍ଗନା ଦେଇଥିବା ବୟାନକୁ ପାଗଳାମି ନା ଦେଶ ଦ୍ରୋହ ବୋଲି କୁହାଯିବ ବୋଲି ବରୁଣ ପ୍ରଶ୍ନ ପଚାରିଛନ୍ତି। ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ତ୍ୟାଗ ଓ ତପସ୍ୟା ପ୍ରତି ଏହା ଏକ ବଡ଼ ଅପମାନ । ଦେଶର ସ୍ୱାଧିନତା ପାଇଁ ଲକ୍ଷ ଲକ୍ଷ ଲୋକ ବଳିଦାନ ଦେଇଥିଲେ । ଲକ୍ଷ ଲକ୍ଷ ପରିବାର ସ୍ୱାଧିନତା ଲାଗି ଆନ୍ଦୋଳନ ଓ ଲଢ଼େଇରେ ଶହୀଦ ହୋଇଥିଲେ । କଙ୍ଗନାଙ୍କ ଏହି ବୟାନ ସିଧାସଳଖ ସ୍ୱାଧିନତା ସଂଗ୍ରାମୀଙ୍କ ପ୍ରତି ଅପମାନ ।
କଂଗ୍ରେସ, ଶିବସେନା, ଆରଜେଡି, ସାମଜବାଦୀ ପାର୍ଟି, ଏନସିପି, ଟିଏମସି ସମେତ ବହୁ ଦଳ ପକ୍ଷରୁ କଙ୍ଗନାଙ୍କ ଏଭଳି ମନ୍ତବ୍ୟକୁ କଡ଼ା ନିନ୍ଦା କରାଯାଇଛି। କଂଗ୍ରେସ ନେତା ଆନନ୍ଦ ଶର୍ମା, ମୁଖପାତ୍ର ସୁପ୍ରିୟା ସିନେଟଙ୍କ ସମେତ ସୋସିଆଲ ମିଡିଆରେ ବହୁ ବୁଦ୍ଧିଜୀବି, ସାଧାରଣ ଲୋକ କଙ୍ଗନାଙ୍କ ଏଭଳି ବୟାନକୁ ଛି ଛି କହି ସାଲୋଚନା କରିଛନ୍ତି। କଙ୍ଗନା ପଦ୍ମ ପୁରସ୍କାର ଫେରାଅ ବୋଲି ଟ୍ୱିଟରରେ ଟ୍ରେଣ୍ଡ ହେଉଛି। ଏ ପ୍ରସଙ୍ଗରେ ଦେଶର ଅଧିକାଂଶ ଦଳ କଡ଼ା ପ୍ରତିକ୍ରିୟା ରଖି କଙ୍ଗନା କ୍ଷମା ମାଗିବା ସହ ତାଙ୍କ ବିରୋଧରେ ଦେଶ ଦ୍ରୋହ ମାମଲା କରି ତାଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି। ହେଲେ ବରୁଣ ଗାନ୍ଧିଙ୍କୁ ଛାଡି ବିଜେପିର କୌଣସି ନେତା ଏ ବିବାଦରେ ମୁହଁ ଖୋଲୁନାହାନ୍ତି।
ଆମ୍ ଆଦମୀ ପାର୍ଟିର ନେତ୍ରୀ ପ୍ରିତୀ ଶର୍ମା ମେନନ କଙ୍ଗନାଙ୍କ ଏହି ଉକ୍ତିକୁ ବିରୋଧ କରି ମୁମ୍ବାଇ ପୋଲିସ ନିକଟରେ ଏକ ଏଫଆଇଆର ଦାୟର କରିଛନ୍ତି । ତେବେ ଏମାନଙ୍କ ବ୍ୟତୀତ ଇତିହାସକାର ଇର୍ଫାନ ହବିବ୍, ଅଭିନେତ୍ରୀ ସ୍ବାରା ଭାସ୍କର, ଫିଲ୍ମ ନିର୍ମାତା ଓନିର, ବ୍ୟାଟମିଣ୍ଟନ ତାରକା ଜ୍ୱାଲା ଗୁଟ୍ଟା ଓ ରେଡିଓ ଜକି ସାଇମାଙ୍କ ସହ ବହୁ ବରିଷ୍ଠ ବ୍ୟକ୍ତି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।




admin 