ଓଡ଼ିଶା ହିଁ ଭବିଷ୍ୟତ , ଆସ, ଏଠାରେ ପୁଞ୍ଜି ଖଟାଅ :  ନବୀନ ପଟ୍ଟନାୟକ

ଓଡ଼ିଶା ହିଁ ଭବିଷ୍ୟତ , ଆସ, ଏଠାରେ ପୁଞ୍ଜି ଖଟାଅ :  ନବୀନ ପଟ୍ଟନାୟକ

ଭୁବନେଶ୍ୱର,: ଓଡ଼ିଶା ଏବେ ଆଧୁନିକ ଶିଳ୍ପ ହବ୍‌ ଭାବେ ଉଭା ହେଲାଣି । ଆମ ରାଜ୍ୟରେ ପ୍ରଚୁର ପ୍ରାକୃତିକ ସମ୍ବଳ ଅଛି । ବିପୁଳ ସୁଯୋଗ ଅଛି । ଓଡ଼ିଶା ହିଁ ଭବିଷ୍ୟତ । ଆସ, ଏଠାରେ ପୁଞ୍ଜି ଖଟାଅ । ଜାପାନର ଟୋକିଓରେ ଆଜି ହୋଇଥିବା ଓଡ଼ିଶା ବିଜନେସ୍‌ ମିଟ୍‌ରେ ଜାପାନର ନିବେଶକାରୀଙ୍କୁ ଏଭଳି ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିବେଶ କଲେ ଆମେ ସର୍ବୋତ୍ତମ ସେବା ଯୋଗାଇବୁ । ସବୁ ସହଯୋଗ କରିବୁ । ଓଡ଼ିଶା ଆସି ନିବେଶ କରିବାକୁ ଜାପାନର ପୁଞ୍ଜିପତିଙ୍କୁ ଏଭଳି ଅପିଲ୍‌ କରିଛନ୍ତି ମୁଖ୍ୟମନ୍ତ୍ରୀ ।
ଟୋକିଓ ଓକୁରାରେ ହୋଇଥିବା ଏ ସମ୍ମିଳନୀରେ ଜାପାନ ଓ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ୨୦୦ ପ୍ରତିଷ୍ଠିତ ଶିଳ୍ପ ପ୍ରତିନିଧି ସାମିଲ ହୋଇଥିଲେ । ରାଜ୍ୟରେ ପ୍ରାୟ ୨୬ ହଜାର କୋଟି ଟଙ୍କା ନିବେଶ ପାଇଁ ପୁଞ୍ଜିପତିମାନେ ଆଗ୍ରହ ଦେଖାଇଛନ୍ତି । ଗ୍ରୀନ୍‌ ହାଇଡ୍ରୋଜେନ୍‌, ଗ୍ରୀନ୍‌ ଆମୋନିଆ, ସବୁଜ ଶକ୍ତି ଉପକରଣ ଉତ୍ପାଦନ, ଆଇଟି, ଆଇଟିଇଏସ୍‌, ଲଜିଷ୍ଟିକ୍ସ, ମେଟାଲ ଆନସିଲାରୀ, ଷ୍ଟିଲ୍‌ ଓ ମେଟାଲ ଡାଉନଷ୍ଟ୍ରିମ୍‌ କ୍ଷେତ୍ରରେ ଏହି ପୁଞ୍ଜି ଖଟାଇବାକୁ ଅନେକ ଶିଳ୍ପ ପ୍ରତିନିଧି ଇଚ୍ଛାପ୍ରକାଶ କରିଛନ୍ତି । ଦକ୍ଷତା ବିକାଶ କ୍ଷେତ୍ରରେ ସହଯୋଗ ପାଇଁ ସମ୍ମିଳନୀରେ ଏକ ଏମଓୟୁ ହୋଇଛି । ନିହନ୍‌-ଉତ୍କଳ ଓ ଆଇଆଇଆଇଟି ଭୁବନେଶ୍ୱର ସହ ଏହି ଚୁକ୍ତି ସ୍ୱାକ୍ଷର ହୋଇଛି ।
ସମ୍ମିଳନୀ ଅବସରରରେ ଜାପାନର ୧୨ ପ୍ରତିଷ୍ଠିତ କମ୍ପାନୀର ସିଇଓ ଏବଂ ଶୀର୍ଷସ୍ତରର ଅଧିକାରୀଙ୍କ ସହ ମୁଖ୍ୟମନ୍ତ୍ରୀ ସିଧାସଳଖ ଆଲୋଚନା କରିଛନ୍ତି । ୱାନ୍‌ ଟୁ ୱାନ୍‌ ବୈଠକରେ ନିବେଶକାରୀଙ୍କୁ ସର୍ବୋତ୍ତମ ସୁବିଧା ଓ ସହଯୋଗ ମିଳିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି । ରାଜ୍ୟରେ ଷ୍ଟିଲ୍‌ ସର୍ଭିସ୍‌ ସେଣ୍ଟର ଓ ମେଗା ଇଣ୍ଟିଗ୍ରେଟେଡ୍‌ ଷ୍ଟିଲ୍‌ ପ୍ଲାଣ୍ଟ ପ୍ରତିଷ୍ଠା ହେବାକୁ ଯାଉଛି । ନିଉ ଏଜ୍‌ ଷ୍ଟିଲ ଉପରେ ଆଲୋଚନା ହୋଇଥିଲା । ଏହାର ଚାହିଦା ଦିନକୁ ଦିନ ବଢ଼ୁଛି । ଏହାର ଉତ୍ପାଦନ ପାଇଁ ରାଜ୍ୟରେ ବହୁ ସୁଯୋଗ ରହିଛି । ଓଡ଼ିଶା ବିଶ୍ୱର ଷ୍ଟିଲ୍‌ ହବ୍‌ ହେବାକୁ ଯାଉଛି ବୋଲି ମୁଖ୍ୟମନ୍ତ୍ରୀ ସେମାନଙ୍କୁ କହିଥିଲେ ।