ଏହି କାରଣ ପାଇଁ କଟକ-ଭୁବନେଶ୍ୱରରେ ଗଡିବନି ମେଟ୍ରୋ ଟ୍ରେନ
ଏହି କାରଣ ପାଇଁ କଟକ-ଭୁବନେଶ୍ୱରରେ ଗଡିବନି ମେଟ୍ରୋ ଟ୍ରେନ
admin
Mar 30, 2021 - 13:18
Updated: Mar 30, 2021 - 13:18
ଭୁବନେଶ୍ୱର : ୨୦୪୧ ପୂର୍ବରୁ କଟକ-ଭୁବନେଶ୍ୱରରେ ମେଟ୍ରୋ ଟ୍ରେନ ଗଡ଼ିପାରିବ ନାହିଁ । ମେଟ୍ରୋ ରେଳ ପ୍ରକଳ୍ପ ନେଇ ହୋଇଥିବା ସର୍ଭେ ରିପୋର୍ଟରେ ଏହା ଉଲ୍ଳେଖ କରାଯାଇଛି । ବିଧାୟକ ସୁରେଶ କୁମାର ରାଉତରାୟଙ୍କ ଏକ ପ୍ରଶ୍ନର ଉତରରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଏହି ସୂଚନା ଦେଇଛନ୍ତି ।
ବିଧାୟକ ସୁର ରାଉତରାୟଙ୍କ ପ୍ରଶ୍ନର ଉତରରେ ମନ୍ତ୍ରୀ ଶ୍ରୀ ଜେନା କହିଲେଯେ, ୨୦୧୩ରେ କଟକ-ଭୁବନେଶ୍ୱର ମେଟ୍ରୋ ଚଳାଚଳ ନେଇ ସରକାରୀସ୍ତରରେ ଆଲୋଚନା ହୋଇଥିଲା । ରାଜ୍ୟ ଓ କେନ୍ଦ୍ର ସରକାର ଏନେଇ ଆଲୋଚନା କରିଥିଲେ । ଏଥିପାଇଁ ସର୍ଭେ ନିମନ୍ତେ କେନ୍ଦ୍ର ସରକାର ୧୨.୬୧ ଲକ୍ଷ ଟଙ୍କା ପ୍ରଦାନ କରିଥିଲେ । ଫିଜିବଲ ରିପୋର୍ଟ ପ୍ରସ୍ତୁତି ନିମନ୍ତେ ୫ କମ୍ପାନୀ ଟେଣ୍ଡର ପ୍ରକ୍ରିୟାରେ ସାମିଲ ହୋଇଥିବାବେଳେ ହାଇଦ୍ରାବାଦର ବାଲାଜୀ ରେଳ ରୋଡ଼ ସିଷ୍ଟମସ ପ୍ରାଇଭେଟ ଲିମିଟେଡ଼ ଏସଂକ୍ରାନ୍ତରେ ସର୍ଭେ କରିଥିଲେ । ଉକ୍ତ କମ୍ପାନୀକୁ ଏବାବଦରେ ୫୨ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ତେବେ ବିଭିନ୍ନ ମାନଦଣ୍ଡକୁ ଭିତିକରି କଟକ-ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ ୨୦୪୧ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରିବ ନାହିଁ ବୋଲି ରିପୋର୍ଟ ଆସିଥିଲା । ତେଣୁ ଏହି ପ୍ରକଳ୍ପ ନେଇ ଆଉ ଅଧିକ ଆଲୋଚନା କରାଯାଇନାହିଁ ।
ଅପରପକ୍ଷରେ ଜନସଂଖ୍ୟା ବୃଦ୍ଧି ପାଇଥିବାରୁ ବିଧାୟକ ସୁର ରାଉତରାୟ ଓ ଅମର ପ୍ରସାଦ ଶତପଥି ଏନେଇ ଆଉ ଥରେ ସର୍ଭେ କରିବାକୁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହାର ଉତରରେ ମନ୍ତ୍ରୀ ଶ୍ରୀ ଜେନା କହିଥିଲେଯେ, ଜନସଂଖ୍ୟା ସହ ତାଳଦେଇ ଟ୍ରାଫିକ ମଧ୍ୟ ବଢ଼ିଛି । ଏହାକୁ ଆଖିଆଗରେ ରଖି ମେଟ୍ରୋ ଟ୍ରେନକୁ ଗୋଟିଏ ପଟେ କଟକରୁ ଚଣ୍ଡୀଖୋଲ ପର୍ଯ୍ୟନ୍ତ ଓ ଅପରପକ୍ଷରେ ଭୁବନେଶ୍ୱରରୁ ପୁରୀ ପର୍ଯ୍ୟନ୍ତ ସମ୍ପ୍ରସାରିତ କରାଗଲେ ସମ୍ଭବପର ହୋଇପାରେ । ଏନେଇ ଅଧିକ ଆଲୋଚନା କରାଯିବ ବୋଲି ସେ କହିଥିଲେ ।