ଏସ୍ସିବିରେ ଆରମ୍ଭ ହେବ ପ୍ରିପେଡ୍ ଆମ୍ବୁଲାନ୍ସ ଓ ଶବବାହକ ଗାଡ଼ି, ସରକାରୀ ଧାର୍ଯ୍ୟ ମୂଲ୍ୟରେ ମିଳିବ ଭଡ଼ା
ଏସ୍ସିବିରେ ଆରମ୍ଭ ହେବ ପ୍ରିପେଡ୍ ଆମ୍ବୁଲାନ୍ସ ଓ ଶବବାହକ ଗାଡ଼ି, ସରକାରୀ ଧାର୍ଯ୍ୟ ମୂଲ୍ୟରେ ମିଳିବ ଭଡ଼ା
admin
Feb 10, 2020 - 04:48
Updated: Feb 10, 2020 - 04:48
ଏସ୍ସିବିରେ ଦିନକୁ ୩୦ରୁ ଅଧିକ ରୋଗୀଙ୍କ ଜୀବନ ଯାଉଛି। ହେଲେ ଘରକୁ ଶବ ନେବା ପାଇଁ ସଂପର୍କୀୟଙ୍କୁ ମିଳୁନି ଗାଡ଼ି। ସରକାରଙ୍କ ମହାପ୍ରୟାଣ ଗାଡ଼ି ମାତ୍ର ୩ଟି ଥିବାରୁ ଏହା ଲୋକଙ୍କୁ ମିଳି ପାରୁନି । ଫଳରେ ସମ୍ପର୍କୀୟମାନେ ବାଧ୍ୟହୋଇ ଅଧିକ ଟଙ୍କା ଦେଇ ଘରୋଇ ଶବବାହାକ ଗାଡ଼ିରେ ଶବ ନେଉଛନ୍ତି । ଏପଟେ ସଂପର୍କୀୟଙ୍କ ମୃତ୍ୟୁର ଦୁଃଖ, ତ ଅନ୍ୟପଟେ ଅଧିକ ଟଙ୍କା ନଦେଲେ ଶବ ନେବାକୁ ରାଜି ହେଉନାହାନ୍ତି ଘରୋଇ ଗାଡ଼ିଚାଳକ। ଏଭଳି ସ୍ଥିତିରେ ଅନେକ ସମୟରେ ଅର୍ଥାଭାବରୁ ଭିଟାମାଟିରେ ପହଞ୍ଚିପାରୁନି ଶବ । ଏହାକୁ ଦୃଷ୍ଟିରେ ରଖି କଟକ ବଡ଼ ଡାକ୍ତରଖାନାରେ ଖୁବ୍ଶୀଘ୍ର ଆରମ୍ଭ ହେବାକୁ ଯାଉଛି ନୂଆ ଯୋଜନା ।
ପ୍ରିପେଡ୍ ଅଟୋ ସେବା ଭଳି ଏଣିକି ଏସ୍ସିବିରେ ଆରମ୍ଭ ହେବ ପ୍ରିପେଡ୍ ଆମ୍ବୁଲାନ୍ସ ଓ ଶବବାହକ ଗାଡ଼ି ସେବା । ଗାଡ଼ି ମାଲିକମାନେ ଏସ୍ସିବି ସହ ସହବନ୍ଧିତ ହେବେ ଓ ସରକାରୀ ଧାର୍ଯ୍ୟ ମୂଲ୍ୟରେ ସେମାନଙ୍କୁ ଭଡ଼ା ମିଳିବ । ଶବ ନେବା ପାଇଁ ସଂପର୍କୀୟ ଏସ୍ସିବି କର୍ତ୍ତୃପକ୍ଷଙ୍କୁ ଯୋଗାଯୋଗ କରିବା ପରେ ତୁରନ୍ତ ଗାଡ଼ି ମାଲିକଙ୍କୁ ଫୋନ୍ରେ ସୂଚନା ଦିଆଯିବ ଓ ରୋଗୀର ଶବ ଯେଉଁ ୱାର୍ଡ ବା ବ୍ୟବଚ୍ଛେଦ ସ୍ଥଳରେ ଥିବ ସେଠାରେ ପହଞ୍ଚି ଉକ୍ତ ଗାଡ଼ିଚାଳକ ଶବ ଠିକଣା ସ୍ଥାନରେ ପହଞ୍ଚାଇବେ । ସେମାନେ ଧାର୍ଯ୍ୟ ସରକାରୀ ମୂଲ୍ୟଠାରୁ ଅଧିକ ଟଙ୍କା ମଧ୍ୟ ସଂପର୍କୀୟଙ୍କ ଠାରୁ ନେଇପାରିବେ ନାହିଁ । ସେଭଳି ଅଭିଯୋଗ ଆସିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏଥିପାଇଁ ତିନୋଟି ଫର୍ମ କରାଯିବା ଯାହା ଭିତରୁ ଗୋଟିଏ ମୃତକଙ୍କ ସଂପର୍କୀୟଙ୍କ ପାଖରେ, ଗୋଟିଏ ଗାଡ଼ି ଚାଳକଙ୍କ ପାଖରେ ଓ ତୃତୀୟଟି ଏସ୍ସିବି-ପୁଲିସ ପାଖରେ ରହିବ। ଆମ୍ବୁଲାନ୍ସ ପାଇଁ ମଧ୍ୟ ସମାନ ବ୍ୟବସ୍ଥା କରାଯିବ ବୋଲି ଏସ୍ସିବି ଅଧୀକ୍ଷକ ପ୍ରଫେସର ଡାକ୍ତର ସରୋଜ କାନ୍ତ ସାହୁ ସୂଚନା ଦେଇଛନ୍ତି।