ଏବେ ଲକଡାଉନର ସମ୍ଭାବନା ନାହିଁ : ଡିଏମଇଟି
ଏବେ ଲକଡାଉନର ସମ୍ଭାବନା ନାହିଁ : ଡିଏମଇଟି
admin
Feb 20, 2021 - 08:22
Updated: Feb 20, 2021 - 08:22
ଭୁବନେଶ୍ୱର: ବର୍ତ୍ତମାନ ରାଜ୍ୟରେ କୋଭିଡ ସଂଖ୍ୟା କମୁଛି । ଏବେ ଲକଡାଉନର ସମ୍ଭାବନା ନାହିଁ । ମାତ୍ର ଲକଡାଉନର ସମ୍ଭାବନାକୁ ଏଡ଼ାଇ ହେବନାହିଁ । କୋଭିଡର ସାମ୍ପ୍ରତିକ ସ୍ଥିତିକୁ ନେଇ ଏଭଳି କହିଛନ୍ତି ଡିଏମଇଟି ସିବିକେ ମହାନ୍ତି ।
ସେହିପରି ସେ କହିଛନ୍ତି ଯେ, ଲୋକେ ନିଜେ ସଚେତନ ରହିଲେ ଲକଡାଉନକୁ ଏଡ଼ାଇ ହେବ । ମହାରାଷ୍ଟ୍ର ଓ କେରଳରେ ଆମେରିକା ଓ ବ୍ରିଟେନ ପରି ସଂକ୍ରମଣ ନାହିଁ । ସର୍ଭେଲାନ୍ସ ଟିମ ରାଜ୍ୟ ବାହାରୁ ଆସୁଥିବା ଲୋକଙ୍କ ଉପରେ ନଜର ରଖିଛନ୍ତି । କିଛି ବି ଲକ୍ଷଣ ଦେଖାଗଲେ ନିଜେ ଜଣାନ୍ତୁ, ଡାକତରଙ୍କ ପରାମର୍ଶ କରନ୍ତୁ ବୋଲି ଡିଏମଇଟି ସିବିକେ ମହାନ୍ତି କହିଛନ୍ତି ।
ସୂଚନାଯୋଗ୍ୟ ଯେ, ମହାରାଷ୍ଟ୍ରରେ ହୁ ହୁ ହୋଇ ବଢୁଛି କୋଭିଡ୍ ସଂକ୍ରମଣ । ସତର୍କ ନହେଲେ ଓଡ଼ିଶାରେ ବି ବଢ଼ିପାରେ । ତେଣୁ ସତର୍କ ହୁଅ । କୋଭିଡ୍ କଟକଣା କଡ଼ାକଡ଼ି ପାଳନ କର । ଶୁକ୍ରବାର ରାଜ୍ୟର ସମସ୍ତ ଜିଲ୍ଲାପାଳ, ସମସ୍ତ ପୌର କମିଶନର, କଟକ-ଭୁବନେଶ୍ୱର ପୁଲିସ୍ କମିଶନର, ସମସ୍ତ ପୁଲିସ୍ ଡିସିପି ଓ ପୁଲିସ ଅଧୀକ୍ଷକ (ଏସ୍ପି), ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଚିଠି ଲେଖି ସତର୍କ କରାଇଥିଲେ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ।
ଦେଶର କେତେକ ରାଜ୍ୟ ବିଶେଷକରି ମହାରାଷ୍ଟ୍ରରେ ଅନ୍ଲକ୍ ପରେ କୋଭିଡ୍ ସଂକ୍ରମଣ ବୃଦ୍ଧି ପାଇଛି । ଫଳରେ ଅମରାବତୀରେ ପୁଣି ଲକ୍ଡାଉନ୍ ଲାଗୁ ହୋଇଛି । ଆମ ରାଜ୍ୟରେ ମଧ୍ୟ ଏଭଳି ସ୍ଥିତି ଦେଖା ଦେଇପାରେ । ତେଣୁ ଏଭଳି ପରିସ୍ଥିତି ସୃଷ୍ଟି ହେବା ପୂର୍ବରୁ ସତର୍କ ପଦକ୍ଷେପ ନନେଲେ ଓଡ଼ିଶାରେ ସଂକ୍ରମଣ ବଢ଼ିପାରେ ବୋଲି ଚେତାବନୀ ଦେଇଥିଲେ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଶ୍ରୀ ମହାପାତ୍ର । ଏସବୁକୁ ଦୃଷ୍ଟିରେ ରଖି ଜିଲ୍ଲାରେ କୋଭିଡ୍ ନିୟମ ପୂର୍ବ ଭଳି କଡ଼ାକଡ଼ି ପାଳନ ପାଇଁ ଜିଲ୍ଲାପାଳଙ୍କୁ ଚିଠି ଲେଖିଥିଲେ ।