ଏଥର ହେବନି କଲେଜ ନିର୍ବାଚନ

ଏଥର ହେବନି କଲେଜ ନିର୍ବାଚନ

ଏଥର ହେବନି  କଲେଜ ନିର୍ବାଚନ
ଭୁବନେଶ୍ୱର : ଛାତ୍ରନେତାମାନେ ନିରାଶ ହୋଇଛନ୍ତି । ଯେଉଁମାନେ କଲେଜରେ ଏଥର ନେତା ହେବେବୋଲି ଭାବିଥିଲେ ସେମାନଙ୍କ ଆଶାରେ ପାଣି ପୂରାଇ ଦେଇଛନ୍ତି ସରକାର । ଚଳିତ ବର୍ଷ ଛାତ୍ର ସଂସଦ ନିର୍ବାଚନକୁ ବାତିଲ କରି ଦିଆଯାଇଛି । ଏନେଇ ଉଚ୍ଚଶିକ୍ଷା ବିଭାଗର ସବୁ ବିଶ୍ୱବିଦ୍ୟାଳୟ ଓ କଲେଜଗୁଡ଼ିକୁ ଅବଗତ କରାଯାଇଛି । ଉଚ୍ଚଶିକ୍ଷା ବିଭାଗର କମିଶନର ସଚିବ ଶାଶ୍ୱତ ମିଶ୍ର ବିଶ୍ୱବିଦ୍ୟାଳୟଗୁଡ଼ିକର କୁଳପତି ଓ ସମସ୍ତ ସରକାରୀ କଲେଜର ଅଧ୍ୟକ୍ଷମାନଙ୍କୁ ପତ୍ର ଲେଖିଛନ୍ତି । ସେ ତାଙ୍କ ପତ୍ରରେ ଉଲ୍ଳେଖ କରିଛନ୍ତିଯେ, ଛାତ୍ରଛାତ୍ରୀମାନଙ୍କ ବୃହତର ସ୍ୱାର୍ଥ ଦୃଷ୍ଟିରୁ ଚଳିତ ବର୍ଷ ଛାତ୍ର ସଂସଦ ନିର୍ବାଚନ ନକରିବା ପାଇଁ ନିଷ୍ପତି ନିଆଯାଇଛି । ତେବେ ଯେଉଁଠାରେ ଛାତ୍ର ପ୍ରତିନିଧିମାନଙ୍କର ଆବଶ୍ୟକତା ରହିଛି ସେଠାରେ ମନୋନୟନ ଭିତରେ ଛାତ୍ର ପ୍ରତିନିଧି ଚୟନ କରାଯିବ । ଉଚ୍ଚଶିକ୍ଷା ବିଭାଗର ଏହି ପତ୍ର ଏବେ ଛାତ୍ର ନେତାଙ୍କ ମନରେ ନିରାଶ ଖେଳାଇ ଦେଇଛି । ସାଧାରଣତଃ ଅକ୍ଟୋବର ମାସରେ ଛାତ୍ର ସଂସଦ ନିର୍ବାଚନ ହୋଇଥାଏ । ତେବେ ସାଧାରଣତଃ ଜୁଲାଇରୁ ପାଠପଢ଼ା ଆରମ୍ଭ ହେଉଥିବାରୁ ସେବେଠାରୁ ଛାତ୍ରନେତାମାନେ ପ୍ରସ୍ତୁତି ଆରମ୍ଭ କରିଦେଇଥା’ନ୍ତି । ଇତିମଧ୍ୟରେ କ୍ୟାମ୍ପସ ବି ସରଗରମ ହୋଇଯାଇଥିଲା । ଆଶାୟୀ ପ୍ରାର୍ଥୀମାନେ ବ୍ୟାନର ମାରି ନୂଆ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ମଧ୍ୟ କରୁଥିବା ଦେଖିବାକୁ ମିଳିଥିଲା । ଛାତ୍ର ସଂସଦ ନିର୍ବାଚନ ବାତିଲ ହୋଇଥିବାରୁ ଛାତ୍ରକଂଗ୍ରେସ ସରକାରଙ୍କ ଉପରେ ବର୍ଷିଛି । ନିର୍ବାଚନରେ ହାରିବା ଭୟରେ ନିର୍ବାଚନ ବାତିଲ କରାଗଲା ବୋଲି ଛାତ୍ର କଂଗ୍ରେସ ନେତା ଇତିଶ ପ୍ରଧାନ କହିଛନ୍ତି । ଅପରପକ୍ଷରେ ବିଜୁ ଛାତ୍ର ଜନତା ଦଳ ନେତା ତନ୍ମୟ ସ୍ୱାଇଁ କହିଛନ୍ତିଯେ, ସେ ଏନେଇ କିଛି ଜାଣିନାହାନ୍ତି । ସରକାର ହୁଏତ ଛାତ୍ରମାନଙ୍କ ବୃହତର ସ୍ୱାର୍ଥ ଦୃଷ୍ଟିରୁ ଏଭଳି ନିଷ୍ପତି ନେଇଥାଇପାରନ୍ତି । ତେବେ ବିଜୁ ଛାତ୍ର ଜନତା ଦଳ ସର୍ବଦା ନିର୍ବାଚନ ପାଇଁ ପ୍ରସ୍ତୁତ ରହିଥାଏ । ବିଗତ ଦିନମାନଙ୍କରେ ଅଧିକାଂଶ କ୍ୟାମ୍ପସରେ ଆମ ପ୍ରାର୍ଥୀମାନେ ବିଜୟୀ ହୋଇଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି ।