ଉଚ୍ଚ ଦରରେ କିଣା ହେବା ସତ୍ତ୍ୱେ ବେଞ୍ଚ ଗରମ କରିଛନ୍ତି ଏହି ଖେଳାଳି
ଉଚ୍ଚ ଦରରେ କିଣା ହେବା ସତ୍ତ୍ୱେ ବେଞ୍ଚ ଗରମ କରିଛନ୍ତି ଏହି ଖେଳାଳି
admin
Nov 11, 2020 - 09:13
Updated: Nov 11, 2020 - 09:13
ମୁମ୍ବାଇ : ଆଇପିଏଲରେ ସର୍ବଦା ବିଦେଶୀ ଖେଳାଳିଙ୍କ ଚାହିଦା ରହିଥାଏ । ପ୍ରତ୍ୟେକ ବର୍ଷ ନିଲାମୀରେ ବିଦେଶୀ ଖେଳାଳିଙ୍କୁ କିଣିବା ପାଇଁ ଫ୍ରାଞ୍ଚାଇଜିଙ୍କ ମଧ୍ୟରେ ଭୟଙ୍କର ପ୍ରତିଦ୍ୱନ୍ଦିତା ଲାଗି ରହିଥାଏ । ମାତ୍ର ଚଳିତ ସିଜିନରେ ଏକାଧିକ ଦଳ ବିଦେଶୀ ଖେଳାଳିଙ୍କୁ କେବଳ ବସାଇ ରଖିିଥିଲେ । ସମ୍ପୂର୍ଣ୍ଣ ସିଜିନରେ ଗୋଟିଏ ବି ମ୍ୟାଚ ଖେଳି ପାରିନଥିଲେ ଏହି ଖେଳାଳି । କୋଟି କୋଟି ଟଙ୍କା ମୂଲ୍ୟରେ କିଣା ଯାଇଥିଲେ ମଧ୍ୟ ଗୋଟିଏ ବି ମ୍ୟାଚ ଖେଳିପାରିନଥିବା ଏହି ଖେଳାଳି ମାନଙ୍କ ମଧ୍ୟରେ ସନ୍ଦୀପ ଲାମିଚାନେ, କିମୋ ପଲ, କ୍ରିସ ଲିନ, ମିଚେଲ ମ୍ୟାକ୍ଲେନଘାନ, ଓସେନ ଥୋମାସ ଏବଂ ବିଲି ଷ୍ଟାନଲେକଙ୍କ ପରି ନାମକରା ଖେଳାଳି ରହିଛନ୍ତି । ଚଳିତ ବର୍ଷ ଏକାଧିକ ଯୁବ ଭାରତୀୟ ଖେଳାଳିଙ୍କୁ ସୁଯୋଗ ମିଳିଥିବା ବେଳେ ଅଧିକ ମୂଲ୍ୟରେ କିଣା ଯାଇଥିବା ଖେଳାଳିଙ୍କୁ ଗୋଟିଏ ବି ମ୍ୟାଚ ମିଳିନଥିଲା । ଆସନ୍ତୁ ଜାଣିବା କେଉଁ ଟିମର କେତେ ଜଣ ଖେଳାଳି ଏହି ତାଲିକାରେ ରହିଛନ୍ତି ।
ଦିଲ୍ଲୀ କ୍ୟାପିଟାଲ୍ସ : ବିଗତ ଦୁଇ ସିଜିନରେ ଦିଲ୍ଲୀର ପ୍ରମୁଖ ସ୍ପିନର ରହିଥିବା ସନ୍ଦୀପ ଲାମିଚାନେ ଚଳିତ ସିଜିନରେ ଗୋଟିଏ ବି ମ୍ୟାଚ ଖେଳିବାର ସୁଯୋଗ ପାଇନାହାନ୍ତି । ଦଳରେ ରବିଚନ୍ଦ୍ରନ ଅଶ୍ୱିନ ଏବଂ ଅକ୍ଷର ପଟେଲଙ୍କ ପରି ମହାରଥୀ ସ୍ପିନରଙ୍କ ସମ୍ମୁଖରେ ଲାମିଚାନେଙ୍କୁ ସୁଯୋଗ ମିଳିନଥିଲା । ଲାମିଚାନେଙ୍କୁ ଦଳ ୨୦ ଲକ୍ଷଟଙ୍କାରେ କିଣିଥିଲେ ମଧ୍ୟ ସେ ବେକଳ ବେଞ୍ଚ ଗରମ କରିଥିଲେ । ଅନ୍ୟତମ ଅଲରାଉଣ୍ଡର କିମୋ ପଲଙ୍କୁ ଦିଲ୍ଲୀ ୫୦ ଲକ୍ଷ ଟଙ୍କାରେ କିଣିଥିଲା । ତେବେ ମାର୍କସ ଷ୍ଟୋଇନିସଙ୍କ ଉପସ୍ଥିତିରେ ପଲଙ୍କୁ ଗୋଟିଏ ବି ମ୍ୟାଚରେ ସୁଯୋଗ ମିଳିନଥିଲା ।
ମୁମ୍ବାଇ ଇଣ୍ଡିଆନ୍ସ : ଚଳିତ ସିଜିନରେ ମୁମ୍ବାଇ ନିଜ ଦଳର ତିନି ଜଣ ଖେଳାଳିଙ୍କୁ ଉଚ୍ଚ ମୂଳ୍ୟରେ କିଣିଥିଲେ ମଧ୍ୟ ଗୋଟିଏ ବି ମ୍ୟାଚ ଖେଳାଇନଥିଲା । କେକେଆର ପାଇଁ ଆଇପିଏଲରେ ହିରୋ ରହିଥିବା ବିଧ୍ୱଂସୀ କ୍ରିସ ଲିନଙ୍କୁ ମୁମ୍ବାଇ ୨ କୋଟି ଟଙ୍କାରେ କିଣିଥିଲା । ତେବେ ଲିନଙ୍କୁ ଗୋଟିଏ ବି ମ୍ୟାଚରେ ସୁଯୋଗ ମିଳିନଥିଲା । କାରିବିୟାନ ଅଲରାଉଣ୍ଡର ଶେରଫିନ ରଦରଫୋର୍ଡଙ୍କୁ ମଧ୍ୟ ଦଳ ସମାନ ମୂଲ୍ୟରେ କିଣି ଖେଳାଇନଥିଲା । ୨୦୧୨ରେ ଦଳର ପ୍ରମୁଖ ବୋଲର ରହିଥିବା ମିଚେଲ ମ୍ୟାକ୍ଲେନଘାନଙ୍କୁ ଚଳିତ ସିଜିନରେ ୧.୫ କୋଟଇ ଟଙ୍କାରେ କିଣାଯାଇଥିଲେ ମଧ୍ୟ ଗୋଟିଏ ବି ମ୍ୟାଚ ମିଳିନଥିଲା ।
ସନରାଇଜର୍ସ ହାଇଦ୍ରାବାଦ : ହାଇଦ୍ରାବାଦ ୫୦-୫୦ ଲକ୍ଷ ଟଙ୍କା ବିନିମୟରେ ଫାବିଏନ ଆଲେନ ଏବଂ ବିଲି ଷ୍ଟାନଲେକଙ୍କୁ କିଣିଥିଲେ ମଧ୍ୟ ଗୋଟିଏ ବି ମ୍ୟାଚରେ ଖେଳାଇନଥିଲେ ।
ରାଜସ୍ଥାନ ରୟାଲ୍ସ : ରାଜସ୍ଥାନ ରୟାଲ୍ସ ଚଳିତ ବର୍ଷ ୱିଣ୍ଡିଜ ଦ୍ରୁତ ବୋଲର ଓସେନ ଥୋମାସଙ୍କୁ ୧.୧୦ କୋଟି ଟଙ୍କା ବିନିମୟରେ କିଣିଥିଲା । ଏହା ବ୍ୟତିତ ଆଇପିଏଲର ଅନ୍ୟତମ ସଫଳ ଖେଳାଳି ଡେଭିଡ ‘କିଲର’ ମିଲରଙ୍କୁ ଦଳ ୭୫ ଲକ୍ଷ ଟଙ୍କାରେ କିଣିଥିଲା । ତେବେ ଥୋମାସଙ୍କୁ ଗୋଟିଏ ବି ମ୍ୟାଚ ମିଳି ନଥିବା ବେଳେ ମିଲରଙ୍କୁ ଗୋଟିଏ ମ୍ୟାଚରେ ଖେଳାଯାଇଥିଲା ।
କିଙ୍ଗସ ଇଲେଭେନ ପଞ୍ଜାବ : ଗତ ସିଜିନରେ ୬ମ୍ୟାଚରୁ ୭ ୱିକେଟ ଅକ୍ତିଆର କରିଥିବା ଦକ୍ଷିଣ ଆଫ୍ରିକୀୟ ପେସ ବୋଲର ହାର୍ଡସ ଭିଲଜଏନଙ୍କୁ ୭୫ ଲକ୍ଷ ଟଙ୍କାରେ କିଣିଥିଲା ପଞ୍ଜାବ । ତେବେ ଭିଲଜଏନଙ୍କୁ ଗୋଟିଏ ବି ମ୍ୟାଚ ଖେଳିବାର ସୁଯୋଗ ମିଳିନଥିଲା ।
କେକେଆର: ନ୍ୟୁଜିଲ୍ୟାଣ୍ଡର ଟିମ ସେଫର୍ଟଙ୍କ ଆହତ ହେବା ପରେ ବଦଳ ଖେଳାଳି ଭାବରେ ଅଲୀ ଖାନଙ୍କୁ ଦଳରେ ସାମିଲ କରାଯାଇଥିଲା । ମାତ୍ର ଅଲୀଙ୍କୁ ଗୋଟିଏ ବି ମ୍ୟାଚ ଖେଳିବାର ସୁଯୋଗ ମିଳିନଥିଲା ।
ତେବେ ଆରସିବି ଏବଂ ସିଏସକେ ଏପରି ଦୁଇଟି ଦଳ ଯେଉଁଥିରେ ସମସ୍ତ ବିଦେଶୀ ଖେଳାଳିଙ୍କୁ ଖେଳିବାର ସୁଯୋଗ ପ୍ରଦାନ କରାଯାଇଥିଲା ।