ଇସ୍ତଫା ଦେଲେ ସିଦ୍ଧୁ

ଇସ୍ତଫା ଦେଲେ ସିଦ୍ଧୁ

ଇସ୍ତଫା ଦେଲେ ସିଦ୍ଧୁ

ନୂଆଦିଲ୍ଲୀ: ପାଞ୍ଚ ରାଜ୍ୟର ବିଧାନସଭା ନିର୍ବାଚନରେ ନୈରାଶ୍ୟଜନକ ପ୍ରଦର୍ଶନ କରିଛି କଂଗ୍ରେସ । ଏଥିପାଇଁ ପିସିସି ସଭାପତିମାନେ ମଧ୍ୟ ଦାୟୀ  । ତେଣୁ ପିସିସି ସଭାପତିମାନେ ତୁରନ୍ତ ଇସ୍ତଫା ଦିଅନ୍ତୁ। କଂଗ୍ରେସ ହାଇକମାଣ୍ଡ ସୋନିଆ ଗାନ୍ଧି ୫ ରାଜ୍ୟର ପିସିସି ସଭାପତିଙ୍କୁ ଏଭଳି ନିର୍ଦ୍ଦେଶ ଦେଇଛନ୍ତି  । ଏହି ନିର୍ଦେଶର ଦିନକ ପରେ ପଞ୍ଜାବ କଂଗ୍ରେସ କମିଟିର ସଭାପତି ନବଜୋତ ସିଂହ ସିଦ୍ଧୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫାପତ୍ର ସୋନିଆ ଗାନ୍ଧିଙ୍କ ନିକଟକୁ ପଠାଇ ଦେଇଛନ୍ତି।  

ସଦ୍ୟ ସମାପ୍ତ ବିଧାନସଭା ନିର୍ବାଚନରେ କଂଗ୍ରେସ ଚରମ ବିପର୍ୟ୍ୟୟର ସମ୍ମୁଖୀନ ହୋଇଛି  । ଉତ୍ତରପ୍ରଦେଶରୁ ନେଇ ଉତ୍ତରାଖଣ୍ଡ ପର୍ୟ୍ୟନ୍ତ କଂଗ୍ରେସ ମାଟି କାମୁଡ଼ିଛି  । ଗୋଆରେ ବି ଆଶାନୁରୂପକ ପ୍ରଦର୍ଶନ କରିବାରେ ଦଳ ବିଫଳ ହୋଇଛି  । ସବୁଠାରୁ ବଡ଼ ଝଟକା ପଞ୍ଜାବରେ ଲାଗିଛି  । ଆମ ଆଦମୀ ପାର୍ଟି ଏକପାଖିଆ ବିଜୟ ହାସଲ କରିଛି । ଆପର ଝଟକାରେ ପଞ୍ଜାବ ପିସିସି ସଭାପତି, ମୁଖ୍ୟମନ୍ତ୍ରୀ ମଧ୍ୟ ଜିତି ପାରିନାହାନ୍ତି  । ମଣିପୁରରେ ବି ଦଳ ଭଲ ପ୍ରଦର୍ଶନ କରିପାରିନାହିଁ  । ଦଳୀୟ ନେତାମାନେ ବିଜେପିରେ ଯୋଗଦେବାରୁ ମଣିପୁରରେ ବିଜେପି ସରକାର ଗଢ଼ିପାରିଛି  । ପିସିସି ସଭାପତିମାନଙ୍କ ଭୂମିକାକୁ ଅନୁଶୀଳନ କରିବାପରେ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ଗୋଆ ଓ ମଣିପୁର ପ୍ରଦେଶ କଂଗ୍ରେସ ସଭାପତିଙ୍କୁ ଇସ୍ତଫା ଦେବା ପାଇଁ ସୋନିଆ ଗାନ୍ଧୀ ନିର୍ଦ୍ଦେଶ ଦେଇଛନ୍ତି  ।

ଅପରପକ୍ଷରେ ପୂର୍ବରୁ କଂଗ୍ରେସ ହାଇକମାଣ୍ଡଙ୍କ ଅଧ୍ୟକ୍ଷତାରେ ୫ ରାଜ୍ୟର ନିର୍ବାଚନୀ ବିପର୍ୟ୍ୟୟ ନେଇ ମାନସ ମନ୍ଥନ ହୋଇଛି  । ସୋନିଆ ଗାନ୍ଧି ନିଜେ ଇସ୍ତଫା ଦେବାକୁ ଚାହୁଁଥିଲେ ବି ଏଆଇସିସି ଏହାକୁ ଗ୍ରହଣ କରିନାହିଁ  । ନୂଆ ସଭାପତି ଚୟନ ପର୍ୟ୍ୟନ୍ତ ସୋନିଆ  ପଦରେ ରହିବେ  ।